ଆଳୁ କୁ ନେଇ ବିବାଦ, ହଟହଟା ହେଲେ ହର୍ଟିକଲଚର କର୍ମଚାରୀ

ଧର୍ମଶାଳା ବ୍ଲକରେ ଉଦ୍ୟାନ କୃଷି ବିଭାଗର ଆଳୁ ବିହନ ବଣ୍ଟନ ବେଳେ ଉତ୍ତେଜନା
ଅଧିକାରୀଙ୍କୁ ଘଂଟାଏ କାଳ ଘେରି ରଖିଲେ ଚାଷୀ
ବିହନ ବଣ୍ଟନ ସ୍ଥାନ ନିରୂପଣ ଓ ପ୍ରକୃତ ଚାଷୀଙ୍କୁ ବାଦ୍ ଦିଆଯିବାକୁ ନେଇ ଚାଷୀଙ୍କ ବିରୋଧ
ଆବଶ୍ୟକତା ଠାରୁ ୨୫ ଭାଗ ବିହନ ଯୋଗାଣକୁ ନେଇ ଚାଷୀ ଅସନ୍ତୋଷ
ଯାଜପୁର,ଧର୍ମଶାଳା, IBN ଓଡିଶା:- ଧର୍ମଶାଳା ବ୍ଲକ ଉଦ୍ୟାନ କୃଷି ପକ୍ଷରୁ ଆଜି ଆଳୁ ବିହନ ବଣ୍ଟନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି। ଆବଶ୍ୟକତା ଅନୁସାରେ ବ୍ଲକକୁ ବିହନ ଆସିନଥିବା ଓ ଯାହା ଆସିଛି ସେଥିରେ ସ୍ଥାନୀୟ ଅଞ୍ଚଳର ପ୍ରକୃତ ଚାଷୀଙ୍କୁ ବାଦ୍ ଦିଆଯିବାକୁ ନେଇ ଘଟଣା ସ୍ଥଳରେ କୃଷି ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଏପରିକି ବିହନ ବଣ୍ଟନ ଘଂଟାଏ କାଳ ବନ୍ଦ କରି ଅଧିକାରୀଙ୍କୁ ଘେରି ରଖିଲେ ଚାଷୀ। ସବୁ ଠାରୁ ଆଶ୍ଚର୍ଯ୍ୟର କଥା ଯେ, ଆଳୁ ବିହନ କାର୍ଯ୍ୟାଳୟ ପରିସରରେ ନବଣ୍ଟନ କରାଯାଇ କୁମାରୀ ସ୍ଥିତ ଧର୍ମଶାଳା ମହିଳା ମହାବିଦ୍ୟାଳୟ ନିକଟ ରାସ୍ତାରେ ଟ୍ରକରୁ ଅନ୍ୟ ସବୁ ଛୋଟ ଗାଡ଼ିରେ ବିହନ ବସ୍ତା ଖଲାସ କରାଯିବାକୁ ନେଇ ଅଧିକାରୀମାନେ ଚାଷୀଙ୍କ ପ୍ରଶ୍ନବାଣ ଓ ବିରୋଧର ସମ୍ମୁଖୀନ ହୋଇଥିଲେ। କିଛି ବିହନ ବସ୍ତା ଟ୍ରାକ୍ଟର ଯୋଗେ ଚାଷୀ ନେଇଯାଇଥିବା ବେଳେ ବିରୋଧ ଯୋଗୁ ଏହା ଅଫିସ କାର୍ଯ୍ୟାଳୟ ନିକଟକୁ ଅଣାଯାଇ ବିଳମ୍ବରେ ବଣ୍ଟନ କରାଯାଇଥିଲା। ତଥାପି ପୂର୍ବରୁ ଅନଲାଇନରେ ଆବେଦନ କରିଥିବା ବହୁ ଚାଷୀ ଆଜି ବିହନ ନପାଇ ଫେରିଯାଇଥିବା ଜଣାପଡିଛି।
ଖବର ଜଣାଯାଏ ଯେ, ଧର୍ମଶାଳା ବ୍ଲକ ଅଞ୍ଚଳର ଚାଷୀମାନେ ଆଳୁ ବିହନ ପାଇଁ ‘ଗୋ ସୁଗମ’ ପୋର୍ଟାଲରେ ଅନଲାଇନ ଯୋଗେ ଆବେଦନ କରିଥିଲେ। ବ୍ଲକ ପାଇଁ ପାଖା ପାଖି ୧୫୦୦ କ୍ଵିଣ୍ଟାଲ ବିହନ ଆବଶ୍ୟକତା ରହିଥିବା ବେଳେ ଆଜି ଏହି ବ୍ଲକକୁ ୩୦୦ କ୍ଵିଣ୍ଟାଲ ବିହନ ଯୋଗାଇ ଦିଆଯାଇଥିଲା। ଗୋଟିଏ ହେକ୍ଟର ଜମି ପାଇଁ ୧୫ କ୍ଵିଣ୍ଟାଲ ବିହନ ଆବଶ୍ୟକ ପଡୁଥିବା ବେଳେ ଆଜି ଆସିଥିବା ୩ ଶହ କ୍ଵିଣ୍ଟାଲ ପାଖା ପାଖି ୨୦ ହେକ୍ଟର ଜମିରେ ବିହନ ବୁଣି ହେବ। ତେବେ ଆବଶ୍ୟକତା ଠାରୁ ମାତ୍ର ୨୫ ପ୍ରତିଶତ ବିହନ ଯୋଗାଇ ଦିଆଯାଇଥିବାରୁ କାହାକୁ ଦେବେ କାହାକୁ ନଦେବେ ତାକୁ ନେଇ ତାଲିକା ପ୍ରସ୍ତୁତ କରିବା ନିଷ୍ପତି ନେବା ଉଦ୍ୟାନ କୃଷି ଅଧିକାରୀ ମଧ୍ୟରେ କଷ୍ଟ ସାଧ୍ୟ ହୋଇଥିଲା। ତେବେ ବିହନ ନପାଇଥିବା ଚାଷୀ ମାନେ ଘଟଣାସ୍ଥଳରେ ହୋଲ୍ଲା କରିଥିଲେ। ଏହି ବିହନ ବୋଝେଇ ଟ୍ରକଟି ଅଧିକ ଲୋଡ ଥିବାରୁ ପାହାଡ ରାସ୍ତା ଚଢ଼ି କାର୍ଯ୍ୟାଳୟ ପରିସରକୁ ଯିବା ପାଇଁ ସମ୍ଭବ ନଥିବାରୁ ମହିଳା କଲେଜ ରାସ୍ତାରେ ଆସି ରହିଥିଲା। ସେଠାରେ ବଡଚଣା କୃଷି ବିଜ୍ଞାନ କେନ୍ଦ୍ରର ଜଣେ ବୈଜ୍ଞାନିକ ଆସି ଆଳୁ ବିହନ ମାନ ଦେଖିଥିଲେ। ଏହା ପରେ ଉଦ୍ୟାନ କୃଷିର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା ଓ ଧର୍ମଶାଳା ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭଶ୍ରୀ ଶୁଭଦର୍ଶିନିଙ୍କ ଉପସ୍ଥିତିରେ ସେଠାରେ କ୍ଳଷ୍ଟର ୱାରି ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକୁ ନେଇ ବିହନରୁ ବଞ୍ଚିତ ହୋଇଥିବା ଛୋଟ ଚାଷୀ ମାନେ ବିରୋଧ କରିବା ସହ ଅଧିକାରୀଙ୍କୁ ଦୀର୍ଘ ସମୟ ଘେରାଉ କରି ରଖିଥିଲେ। ବାଧ୍ୟ ହୋଇ ଆଳୁ ଟ୍ରକକୁ ନୂଆଗାଁ ସ୍ଥିତ କାର୍ଯ୍ୟାଳୟ ନିକଟକୁ ନିଆଯାଇ ଅବଶିଷ୍ଟ ଆଳୁ ବିହନକୁ ପୁନର୍ବାର ତାଲିକା ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିବା ଜଣାଯାଇଛି। ଆଜି ମର୍ଜିତାପୁର, ରେଖିଦେଇପୁର, ଜେନାପୁର, ରାଇଛନ୍ଦା, କବାଟବନ୍ଧ ଆଦି ପଞ୍ଚାୟତକୁ ୨୫୦ କ୍ଵିଣ୍ଟାଲ ବିହନ ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୫୦ କ୍ଵିଣ୍ଟାଲ ବିହନକୁ ହୋ ହାଲ୍ଲା କରିଥିବା ଛୋଟ ଚାଷୀ ମାନଙ୍କୁ ଦିଆଯାଇଥିବା ଜଣାଯାଇଛି।