ରାଜନୀତି

“ଛାତ୍ର ଆଣିବେ ପରିବର୍ତନ” କାର୍ଯ୍ୟକ୍ରମ ଉଦ୍‌ଘାଟିତ – Ibnodisha

[ad_1]

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ “ଛାତ୍ର ଆଣିବେ ପରିବର୍ତନ” କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦୀର୍ଘ ୨୪ ବର୍ଷର ନବୀନ ଶାସନରେ ଓଡ଼ିଶାର ଛାତ୍ରଛାତ୍ରୀ ଉପେକ୍ଷିତ, ଅବହେଳିତ ଏବଂ ଅତ୍ୟାଚାରିତ, ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଶିକ୍ଷାର ମାନ ବଢ଼ିଛି ବୋଲି ଯେଉଁ ପ୍ରଚାର କରୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା । ୫ଟି ଅଧ୍ୟକ୍ଷ କଲେଜରୁ କଲେଜ ବୁଲି ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ପାଇଁ ଭୋଟ ଯୋଗାଡ଼ କରିଛନ୍ତି । ମାତ୍ର ଛାତ୍ର ଛାତ୍ରୀମାନଙ୍କର ଅସୁବିଧାକୁ ସମାଧାନ କରିବାପାଇଁ କୌଣସି ସ୍ଥାୟୀ ପ୍ରତିକାର କରିନାହାନ୍ତି ।

ଏଠି ବିନା ଶିକ୍ଷକରେ ଚାଲିଛି ସ୍କୁଲ,କଲେଜ ଓ ୟୁନିର୍ଭସିଟି । ୩୦୦୦ ପ୍ରାଇମେରୀ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ପାଠ ପଢ଼ାଉଛନ୍ତି । ୬୭୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚବିଦ୍ୟାଳୟ ଶିକ୍ଷକ ଅଭାବରୁ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବର୍ଗର ବିଦ୍ୟାଳୟରୁ ପ୍ରାୟ ୭୫ ପ୍ରତିଶତରୁ ଉର୍ଦ୍ଧ୍ୱଶିକ୍ଷକ ଅବସର ନେଇସାରିଲେଣି ହେଲେ ନୂତନ ନିଯୁକ୍ତି ନାହିଁ । ୭୫ ପ୍ରତିଶତ ସ୍କୁଲରେ ଖେଳପଡ଼ିଆ ନାହିଁ । ଶିକ୍ଷା ଅଧିକାର ଆଇନର ବ୍ୟବସ୍ଥା ଅନୁଯାୟୀ ୭୫ ପ୍ରତିଶତ ସ୍କୁଲର ଭିତିଭୂମିର ଷ୍ଟାଣ୍ଡାର୍ଡ଼ ନାହିଁ । ଏଥିରେ ମରାମତିର ଆବଶ୍ୟକତା ରହିଛି । ୩୪ ହଜାର ସ୍କୁଲରେ ଟୟଲେଟ ନାହିଁ, ୧୨ ହଜାର ସ୍କୁଲରେ ବିଜୁଳି ସଂଯୋଗ ନାହିଁ, ୪୨ ହଜାର ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ । ୭ ହଜାର ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନାହିଁ, ୩୦ ପ୍ରତିଶତ ସ୍କୁଲରେ ପିଇବାପାଣି ନାହିଁ । ସ୍କୁଲରେ ଶିକ୍ଷକ ପଦବୀର ଉକ୍‌ôଟ ଅଭାବ ରହିଛି । ୫ଟି ବ୍ୟବସ୍ଥାରେ ଉନ୍ନତ କରାଯାଇଥିବା ସ୍କୁଲର ସିଲିଂ ଖସିଲାଣି, କାନ୍ଥ ଦୋହଲୁଛି । ମ୍ୟାଟ୍ରିକ ଛାତ୍ର ଦାଦନ ଖଟିବାକୁ ଯାଉଛନ୍ତି । ଲୋକସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଦଶମ ଶ୍ରେଣୀରେ ଡ୍ରପଆଉଟ ସଂଖ୍ୟା ଓଡ଼ିଶାରେ ୫୦ ପ୍ରତିଶତ ଯାହାକି ଦେଶରେ ପ୍ରଥମ । ସପ୍ତମ ଶ୍ରେଣୀର ଛାତ୍ର ଗୁଣନ, ହରଣ ଜାଣି ନାହାନ୍ତି । ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ବଜାରରେ ମିଳୁଛି । ଏହା ହେଉଛି ନବୀନମାର୍କା ଗୁଣାତ୍ମକ ଶିକ୍ଷା ।

ସରକାରୀ ଡିଗ୍ରୀ କଲେଜ ଓ ୟୁନିଭର୍ସିଟିରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀର ଘୋର ଅଭାବ । ଉତ୍କଳ ୟୁନିଭର୍ସିିଟିରେ ୫୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ କେବଳ ଠିକା ଶିକ୍ଷକମାନଙ୍କ ଦ୍ୱାରା ଚାଲିଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ୫୭ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ଯାହାର ସଂଖ୍ୟା ପ୍ରାୟ ୧ ହଜାର । ୫୧ଟି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ରମାଦେବୀ ବିଶ୍ୱବିଦ୍ୟାଳୟର ନୂଆ କାନ୍ଥ ତିନିମାସ ଭୂଷୁଡ଼ିପଡ଼ିବା ଘଟଣା, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ଉଦ୍‌ଘାଟନ ଦିନ ଭୁଷିଡ଼ି ପଡ଼ିବା ଘଟାଣାରୁ ଶିକ୍ଷା ବ୍ୟବସ୍ଥାର ଭିତିଭୂମି ନିର୍ମାଣରେ ନବୀନ ସରକାର କିପରି ଦୁର୍ନୀତି କରୁଛି ତାହା ସ୍ପଷ୍ଟ ହୋଇପଡ଼ୁଛି । ଜାଲ ସାର୍ଟିଫିକେଟରେ ସରକାରୀ ଡିଗ୍ରୀ କଲେଜରେ ଆଡମିଶନ ଚାଲିଥିଲା ବେଳେ ଏହି ର‌୍ୟାକେଟରେ ବିଜୁ ଜନତା ଦଳର କର୍ମକର୍ତାମାନେ ସଂପୃକ୍ତ ରହିଛନ୍ତି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ସରକାରୀ ଡିଗ୍ରୀ କଲେଜରେ ଏହି ଘଟଣା ଘଟିଥିବାର ସ୍ପଷ୍ଟ ହୋଇଛି । ବିରୋଧି ଦଳକୁ ଭୟ କରି ନବୀନ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେଇଛନ୍ତି । ନିର୍ବାଚନ ହୋଇଥିଲେ ନବୀନ ସରକାରର ଦୁର୍ନୀତି ବିରୋଧରେ ଯେଉଁ ଆନ୍ଦୋଳନ ହୋଇଥାନ୍ତା ସେଥିରୁ ମୁକ୍ତି ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି । କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳର ଆତଙ୍କରାଜ ଚାଲିଛି । ସେମାନେ ଶିକ୍ଷାନୁଷ୍ଠାନରେ ଠିକାଦାରୀ କରୁଛନ୍ତି ।

ର‌୍ୟାଗିଂ କ୍ଷେତ୍ରରେ ଶୀର୍ଷରେ ଥିବା ୫ଟି ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ଚତୁର୍ଥରେ ଏଣୁ ଏଠାରେ ହୋଇଥିବା ଆଂଟି ର‌୍ୟାଗିଂ କମିଟି ଏକ ପ୍ରହତ୍ସନ । ସମସ୍ତ ର‌୍ୟାଗିଂ ଘଟଣାରେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତା ଓ ସମର୍ଥକ ସଂଶ୍ଳିଷ୍ଟ । ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ର‌୍ୟାଗିଂରେ ଶିକାର ହୋଇ ଆତ୍ମହତ୍ୟା କରିଥିବା ବେଳେ ନବୀନ ସରକାର ଏହି ଘଟଣାକୁ ଚପାଇ ଦେଇଛନ୍ତି । ରୁଚିକା ମହାନ୍ତିର ମା’କୁ ପୋଲିସ ବିଜେବି କଲେଜ ଫାଟକ ପାଖରୁ ବାଡ଼େଇ ବାଡ଼େଇ ବିଦା କରିଦେଇଛି । ଖଲିକୋଟ ଜୁନିୟର କଲେଜର ଜଣେ ଛାତ୍ରୀଙ୍କୁ କିଭଳି ଭାବରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତାମାନେ ର‌୍ୟାଗିଂ କରିଥିଲେ ତାହା କ’ଣ ଏ ରାଜ୍ୟର ଅଭିଭାବକ ମାନେ ପାଶୋରି ଯିବେ । ରମାଦେବୀର ଛାତ୍ରୀ ର‌୍ୟାଗିଂ ସହ୍ୟ କରିନପାରି ଟିସି ନେଇଯିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । କଲେଜରେ ମୋଦି ଓ ନବୀନ ଫଟୋ ପ୍ରତିଯୋଗିତା ଚାଲିଛି । ସମନ୍ୱିତ ଯୁବ ବିକାଶ ଯୋଜନା ଏବଂ ନୂଆ-ଓ ଯୋଜନାରେ ନାଚଗୀତ, ଖେଳକୁଦ, ଭୋଜିଭାତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରାଗଲା ।

କିନ୍ତୁ ମୌଳିକ ଆବଶ୍ୟକତାକୁ ପୂରଣ କରାଗଲା ନାହିଁ । ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଭୋଟକୁ ହାତେଇବା ପାଇଁ ଏହା ଏକ ନାଟକବାଜୀ ଥିଲା । ନବୀନ ସରକାର ଯେଉଁ ସରକାରକି ସିଏଜିଙ୍କର ରିପୋର୍ଟ ଅନୁଯାୟୀ ୧୫ କୋଟି ଟଙ୍କା ଛାତ୍ରବୃତିରୁ ଲୁଟ କରିଛନ୍ତି ସେହି ସରକାର ଯେଉଁ ଛାତ୍ରବୃତି ଘୋଷଣା କରିଛନ୍ତି ତାହା କେବଳ ନିର୍ବାଚନ ପୂର୍ବରୁ ପ୍ରଲୋଭନ । ନିର୍ବାଚନ ପରେ ବିଜୁ ଯୁବବାହିନୀ ଯୋଜନା ବନ୍ଦ ହୋଇଯିବା ଭଳି ଏହି ଯୋଜନା ମଧ୍ୟ ନଥିବ । ସେହିଭଳି ସ୍ୱୟଂ ଯୋଜନାରେ ଯେଉଁ ୧ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି ଜମି ବନ୍ଧକ ନ ଦେଲେ ସେହି ଋଣ ମିଳିବ ନାହିଁ । ଋଣ ସୁଝି ନପାରିଲେ ଜମି ଚାଲିଯିବ । ନିର୍ବାଚନ ଖୁବଶୀଘ୍ର ହେଉଥିବାରୁ ଏହି ଯୋଜନାରେ ଅଧିକ ଯୁବକ ଯୁବତୀ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । ନିର୍ବାଚନ ପରେ ନବୀନ ସରକାର ନଥିବ । ଏଣୁ କେବଳ ନିର୍ବାଚନ ଥିବାରୁ ଏହି ଯୋଜନା କରାଯାଇଛି ।

ଆଜି ରାଜ୍ୟରେ ୨ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୧୦ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇ ନବୀନ ସରକାର ଓଡ଼ିଶାର ଯୁବ ଓ ଛାତ୍ର ସମାଜକୁ ପ୍ରତାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଳାରୁ ଅଧିକ ଯୁବକ ଯୁବତୀ ନିଜର କର୍ମସଂସ୍ଥାନ ପାଇଁ ସୁରଟର ସୂତାକଳ ଓ ଆନ୍ଧ୍ରର ଇଟାଭାଟିକୁ କାମ କରବାକୁ ପଳାଉଛନ୍ତି । ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ଯେଉଁ ଶିଳ୍ପ ପ୍ରତିଷ୍ଠା ହେଉଛି ସେହି ଶିଳ୍ପରେ ଓଡ଼ିଆ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ନାହିଁ । ନବୀନ ସରକାର ନୀରବ ।

ସୁତରାଂ ଛାତ୍ର କଂଗ୍ରେସ “ଛାତ୍ର ଆଣିବେ ପରିବର୍ତନ” ର ଆହ୍ୱାନ ଦେଇଛନ୍ତି । ଅତ୍ୟାଚାରୀ, ଭ୍ରଷ୍ଟାଚାରୀ, ଦୁର୍ନତିଖୋର, ଛାତ୍ରବିରୋଧି ନବୀନ ସରକାରର ପତନ ପାଇଁ ଛାତ୍ର କଂଗ୍ରେସର କର୍ମକର୍ତାମାନେ ସହରରୁ ଗାଁ ପର୍ଯ୍ୟନ୍ତ ଯାଇଁ ଛାତ୍ରମାନଙ୍କୁ ବୁଝାଇବେ, ସାଧାରଣ ଜନତାଙ୍କୁ ବୁଝାଇବେ । ଅଗାମୀ ନିର୍ବାଚନରେ ପରିବର୍ତନର ସୂତ୍ରଧର ହେବାପାଇଁ ନିବେଦନ କରିବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ, ସାଧାରଣ ସମ୍ପାଦକ ଭାଗ୍ୟଶ୍ରୀ ମହାନ୍ତି, ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର, ସାଧାରଣ ସମ୍ପାଦକ ଉଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button