୬ ବର୍ଷ ପରେ ପୁଣି ଏନ୍ଡିଏକୁ ଫେରିଲା ଟିଡିପି – Ibnodisha
[ad_1]
ନୂଆଦିଲ୍ଲୀ :୨୦୨୪ ଲୋକସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଯେଉଁଠି ବିରୋଧୀ ମଞ୍ଚ ଇଣ୍ଡିଆ ମେଣ୍ଟ ଦୁର୍ବଳରୁ ଅଧିକ ଦୁର୍ବଳ ହେବାରେ ଲାଗିଛି, ସେଠାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ କିନ୍ତୁ ଅଧିକରୁ ଅଧିକ ସୁଦୃଢ଼ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବେ ପୁଣିଥରେ ଏନ୍ଡିଏକୁ ଫେରିଛି । ସେହିପରି ଅଭିନେତା ତଥା ରାଜନେତା ପୱନ୍ କଲ୍ୟାଣଙ୍କ ଦଳ ଜନସେନା ସହ ମଧ୍ୟ ବିଜେପି ମେଣ୍ଟ କରିବ । ଶୁକ୍ରବାର ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପରେ ଶନିବାର ବିଧିବଦ୍ଧ ଭାବେ ଟିଡିପି ଏବଂ ଜନସେନା ଏନ୍ଡିଏରେ ସାମିଲ ହୋଇଥିବା ନେଇ ଘୋଷଣା କରାଯ।।ଇଛି । କେବଳ ସେତିକି ନୁହେଁ ଆଗାମୀ ଲୋକସଭା ନିର୍ବାଚନରେ ଆନ୍ଧ୍ରର ମୋଟ୍ ଲୋକସଭା ଆସନରୁ କେଉଁ ଦଳ କେତେ ଆସନରେ ପ୍ରାର୍ଥୀ ଦେବେ ସେନେଇ ମଧ୍ୟ ଆସନ ବୁଝାମଣା ଚୂଡାନ୍ତ ହୋଇସାରିଥିବା ସୂଚନା ମିଳିଛି ।
ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ସମାନ ସମୟରେ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଟିଡିପି-ଜନସେନା ମେଣ୍ଟ ଏବେ ଏନ୍ଡିଏରେ ସାମିଲ ହେବା ସହ ଆସନ ଭାଗବଣ୍ଟା କରିନେଇଛନ୍ତି । ଟିଡିପି-ବିଜେପି-ଜନସେନା ମଧ୍ୟରେ ହୋଇଥିବା ଚୂଡାନ୍ତ ଆସନ ଭାଗବଣ୍ଟା ଫର୍ମୁଲା ଅନୁସାରେ ବିଜେପି ରାଜ୍ୟର ୫ ଲୋକସଭା ଆସନରେ ଏବଂ ୬ ବିଧାନସଭା ଆସନରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ । ସେହିପରି ଜନସେନା ୩ ଲୋକସଭା ଏବଂ ୨୪ ବିଧାନସଭା ଆସନରେ ନିଜ ଦଳର ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବ । ତେବେ ବାକି ଲୋକସଭା ଏବଂ ବିଧାନସଭା ଆସନରେ ଟିଡିପି ଲଢ଼ିବ ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ ୨୫ ଲୋକସଭା ଆସନ ଏବଂ ୧୭୫ ବିଧାନସଭା ଆସନ ରହିଛି । ପ୍ରକାଶ, ୬ବର୍ଷ ପୂର୍ବେ ଟିଡିପି, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ବର୍ଗର ରାଜ୍ୟ ଘୋଷଣା କରାନଯିବା କାରଣ ଦର୍ଶାଇ ବିଜେପି ସହ ମେଣ୍ଟ ସମ୍ପର୍କ ତୁଟାଇ ଏନ୍ଡିଏରୁ ବାହାରିଯାଇଥିଲା । କିନ୍ତୁ ଏବେ ପୁଣିଥରେ ଏନ୍ଡିଏରେ ସାମିଲ ହୋଇଛି । ପୂର୍ବରୁ ଜନସେନା, ଏନ୍ଡିଏ ଠାରୁ ଦୂରେଇ ରହିଥିବା ବେଳେ ମଧ୍ୟ ଏବେ ଏଥିରେ ସାମିଲ ହୋଇଛି । ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ଜନସେନା ମଧ୍ୟରେ ବହୁ ପୂର୍ବରୁ ମେଣ୍ଟ ଗଠନ ହୋଇସାରିଥିବା ବେଳେ ଏବେ ଦୁଇ ଦଳ ଏନ୍ଡିଏରେ ସାମିଲ ହୋଇଛନ୍ତି । ବେଶ୍ କିଛି ଦିନ ଧରି ଚନ୍ଦ୍ରବାବୁ ନାଇଡୁ, ନିୟମିତ ଭାବେ ଦିଲ୍ଲୀ ଗସ୍ତ କରିବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରୁଥିଲେ । ଏହି ସମୟରେ ଟିଡିପି ଏନ୍ଡିଏରେ ସାମିଲ ହେବା ନେଇ ଆଭାସ ମିଳିଥିଲା । ତେବେ ଆଜି ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି ।
ପ୍ରକାଶ, ଇଡି, ସିବିଆଇ ତଦନ୍ତ ଭୟ ହେଉ କିମ୍ବା ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ସୁନିଶ୍ଚିତ ବିଜୟକୁ ଅନୁଭବ କରିପାରି ହେଉ, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟକୁ ଏବେ ପୁରୁଣା ସହଯୋଗୀ ଦଳ ସବୁ ଫେରିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଏସବୁ ଦଳ କୌଣସି ନା କୌଣସି କାରଣରୁ ଏନ୍ଡିଏ ମେଣ୍ଟରୁ ନିକଟ ଅତୀତରେ ଦୂରେଇ ଯାଇଥିଲେ । ତେବେ ସବୁଠୁ ବଡ଼ କଥା ହେଉଛି ବିଜେପି ମଧ୍ୟ ଏବେ ଏସବୁ ଦଳଙ୍କୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି । ଅବଶ୍ୟ ଏଥିପାଇଁ ବିଜେପି ପକ୍ଷରୁ ମଧ୍ୟ ଯଥେଷ୍ଟ ପ୍ରୟାସ କରାଯାଇଥିଲା । ନିର୍ବାଚନ ପୂର୍ବରୁ ଏନ୍ଡିଏକୁ ସଶକ୍ତ କରିବା ପାଇଁ ବିଜେପି ଯଥାସମ୍ଭବ ଚେଷ୍ଟା ଚଳାଇଥିବା କଥାକୁ ଅସ୍ୱୀକାର କରିହେବନି । ଯାହାର ସୁଫଳ ଏବେ ଗୋଟିଏ ପରେ ଗୋଟିଏ କରି ବିଜେପିକୁ ମିଳିବାରେ ଲାଗିଛି ।
[ad_2]