ଅଷ୍ଟମ ଓ ନବମ ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା – Ibnodisha

[ad_1]
ଭୁବନେଶ୍ୱର: ଏଣିକି ମେଧାବୀଙ୍କ ଲାଗି ଅର୍ଥ ବାଧକ ସାଜିବ ନାହିଁ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ତାଲିକାରେ ଯେପରି ଗରୀବ ମେଧାବୀମାନେ ରହିବେ ସେଥିଲାଗି ସରକାର ସ୍ୱତନ୍ତ୍ର ସୁବିଧା ଯୋଗାଇଦେବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଦଶମ ଶ୍ରେଣୀରେ ମେଧାବୀଙ୍କ ଲାଗି ସରକାର ଯୋଗାଇବେ ଅନେକ ସୁବିଧାସୁଯୋଗ । ତେବେ ଦୁର୍ବଳ ପିଲାଙ୍କୁ ଦଶମ ଶ୍ରେଣୀରେ ସ୍ୱତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବରୁ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଲଗାତାର ୨ବର୍ଷ ୭୫ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା ।
ଏହି ମେଧା ତାଲିକାରେ ଯେତେ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପାଠପଢ଼ା ଲାଗି ସମସ୍ତ ସୁବିଧା ସୁଯୋଗ ସମ୍ପୃକ୍ତ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯିବ । ତେବେ ଦୈନିକ ସ୍କୁଲରେ କମନ୍ ଶିକ୍ଷାଦାନ ଶେଷ ହେବା ପରେ ଦୁର୍ବଳ ପିଲାଙ୍କ ଲାଗି ଏବଂ ମେଧା ତାଲିକାରେ ଥିବା ପିଲାଙ୍କ ଲାଗି ଭିନ୍ନ ଭିନ୍ନ କ୍ଲାସ ହେବ । ଦୈନିକ ଏହିଭଳି ଶିକ୍ଷାଦାନ ବ୍ୟବସ୍ଥା ପାଇଁ ୯୦ମିନିଟ୍ ଧାର୍ଯ୍ୟ କରାଯିବ । ତେବେ ମେଧା ତାଲିକାରେ ଥିବା ପିଲାଙ୍କୁ ଏକ୍ସଟ୍ରା ପାଠପଢ଼ା ସହିତ ପରୀକ୍ଷା ପୂର୍ବରୁ ଯେପରି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ସେନେଇ ଏଭଳି ଅଭନବ ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟରେ ସମସ୍ତ ସରକାରୀ ସ୍କୁଲରେ ଚଳିତବର୍ଷ ୮ମ ଏବଂ ୯ମରେ ୭୫%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କର ତାଲିକା ପ୍ରସ୍ତୁତ କରି ଜୁନ୍ ଶେଷ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ଅଷ୍ଟମ ଶ୍ରେଣୀ ୩୩୦୭ଟି ଏବଂ ୨୬୮୨ଟି ସେକେଣ୍ଡାରୀ ସ୍କୁଲ ରହିଛି । ତେବେ ଅଷ୍ଟମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨୨ଲକ୍ଷ ୨ହଜାର ଥିବା ବେଳେ ନବମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ଜଣ । ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୭୫ପ୍ରତିଶତରୁ ଅଧିକ ମାର୍କ ଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ । ଜିଲ୍ଲାୱାରୀ ଏବଂ ବ୍ଲକୱାରୀ ତାଲିକା ପ୍ରସ୍ତତ କରିବାରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସହାୟତା କରିବେ । ଦଶମରେ ଯେଉଁ ସବୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ସେହି ମେଧା ତାଲିକାରେ ଥିବା ପିଲାଙ୍କର ଭିନ୍ନ ତାଲିକା କରାଯିବ । ଏପରିକି ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୫୫ଜଣ ଛାତ୍ରଛାତ୍ରୀ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ମେଧା ତାଲିକାରେ ଥିବା ପିଲାଙ୍କୁ ସବୁ ଶ୍ରେଣୀରେ ସମାନ ଭାବେ ରଖାଯିବ । ଏହାବ୍ୟତୀତ ଏଣିକି ଦଶମରେ କୌଣସି ଶ୍ରେଣୀକୁ ‘ଏ’, ‘ବି’, ‘ସି’, ‘ଡି’ କିମ୍ବା ‘କ’, ‘ଖ’, ‘ଗ’, ‘ଘ’ ନାମରେ ନାମିତ କରାଯିବ ନାହିଁ । ଶ୍ରେଣୀଗୁଡିକର ଏପରି ନାମକରଣ ଦ୍ୱାରା ଭଲ ପିଲାଙ୍କ ଲାଗି ‘ଏ’ କିମ୍ବା ‘କ’ ଶ୍ରେଣୀ ବୋଲି ଛାତ୍ରଛାତ୍ରୀଙ୍କ ମନରେ ଚାପ ସୃଷ୍ଟି ହେଉଛି । ତେଣୁ ସବୁ ଶ୍ରେଣୀକୁ ମହାପୁରୁଷଙ୍କ ନାମରେ କିମ୍ବା ଦେଶର ପ୍ରମୁଖ ନଦୀ ନାମରେ ନାମିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
[ad_2]




