ଚେକିଂରେ ଧରାପଡ଼ିଲା କଟକ ଏଡିଏମ୍ଙ୍କ ଗାଡ଼ି – Ibnodisha

[ad_1]
ଭୁବନେଶ୍ବର: ଗତକାଲି ରାତିରେ ଚନ୍ଦ୍ରଶେଖରପୁର ପୁଲିସ ବ୍ଲକିଂ ଓ ଚେକିଂ କରୁଥିବା ବେଳେ କଟକ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା ଗାଡ଼ିଟି ଧରାପଡ଼ିଛି। ଗାଡ଼ି ଚାଳକ ତଥା ମାଲିକ ଦିନେଶ ମହାପାତ୍ର ନିଶାସକ୍ତ ଅବସ୍ଥାରେ ଥିବା ପ୍ରମାଣିତ ହେବା ପରେ ତାଙ୍କୁ ପୁଲିସ ଗିରଫ କରିଥିଲା ଏବଂ ପରେ ୪୧ ନୋଟିସ୍ରେ ଥାନାରୁ ଜାମିନ ଦେଇଥିଲା। ସମ୍ପ୍ରତି ନିର୍ବାଚନ କାର୍ଯ୍ୟରେ ଏଡିଏମ୍ ବ୍ୟବହାର କରୁଥିବା କାର୍ଟି ଏଭଳି ଅବସ୍ଥାରେ ଜବତ ହେବା ଓ ଚାଳକ ଗିରଫ ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ହୋଲି ପାଇଁ ଏଡିଏମ୍ ଛୁଟିରେ ଅଛନ୍ତି। କିନ୍ତୁ ଚାଳକ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ବେପରୱା ଓ ବେଆଇନ ଭାବେ ରାସ୍ତାରେ ଧରି ବୁଲିବା ଭଳି ଘଟଣା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠାଇଛି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ରେଳସଦନ ନିକଟରେ ବ୍ଲକିଂ, ଚେକିଂ କରୁଥିଲା। ଏତିକି ବେଳେ (ଓଡି ୦୨-ସିଇ-୫୬୫୨) ନମ୍ବର ଲେଖାଥିବା କାର୍ଟିକୁ ପୁଲିସ ଟିମ୍ ଅଟକାଇଥିଲା। ଗାଡ଼ିରେ କଟକ ଅତିରିକ୍ତ ଜିଲ୍ଲାପାଳ ଲେଖାଥିବା ପ୍ଲେଟ୍ ଲାଗିଥିଲେ ବି ଚାଳକଙ୍କ ବେପରୱା ଚାଳନା ପାଇଁ ପୁଲିସ ଗାଡ଼ିକୁ ଅଟକାଇଥିଲା। ଗାଡ଼ିରେ ଚାଳକଙ୍କୁ ମିଶାଇ ୪ ଜଣ ଥିଲେ।
୨ ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ଚାଳକ ନିଶାସକ୍ତ ଥିବା ସନ୍ଦେହ କରି ପୁଲିସ ତାଙ୍କୁ ଯାଞ୍ଚ କରିବା ଲାଗି ଗାଡ଼ିରୁ ଓହ୍ଲାଇବାକୁ କହିଥିଲା। କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ବୋଲି କହି ଚାଳକ ଦିନେଶ ଓ ଅନ୍ୟମାନେ ପାଲଟା ଧମକ ଦେଇଥିଲେ। ସେମାନଙ୍କ ତାଉ ଦେଖି ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ କିନ୍ତୁ ପଛଘୁଞ୍ଚା ଦେଇନଥିଲେ। କଥା କଟାକଟି ହେବାରୁ ଘଟଣାସ୍ଥଳକୁ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଆସିଥିଲେ। ଶେଷରେ ଚାଳକ ଦିନେଶଙ୍କର ବ୍ରିଥ୍ ଆନାଲାଇଜର୍ ଟେଷ୍ଟ ନିଆଯାଇଥିଲା ଏବଂ ସେ ନିଶାସକ୍ତ ଥିବା ପ୍ରମାଣ ମିଳିଥିଲା। ତେଣୁ ପୁଲିସ ନିୟମାନୁସାରେ ଫୌଜଦାରୀ ମାମଲା ରୁଜୁ କରି ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲା। ଦିନେଶଙ୍କ ବିରୋଧରେ ବେପରୁଆ ଗାଡ଼ି ଚାଳନା ପାଇଁ ଭାରତୀୟ ପିଙ୍ଗଳ କୋଡ୍ ଦଫା ୨୭୯, ନିଶା ଖାଇ ଗାଡ଼ି ଚଳାଉଥିବାରୁ ଅନ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଦଫା ୩୩୬ ଏବଂ ମୋଟର ଭେହିକିଲ୍ ଆକ୍ଟ ୧୮୫ରେ ମାମଲା ରୁଜୁ ହୋଇଛି।
[ad_2]