ରାଜ୍ୟ

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ପୁଣି ଆନ୍ଦୋଳନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର: ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ନବରଙ୍ଗପୁରରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି। ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରା କ୍ରମେ ଜିଲ୍ଲାର ବେକାର ଯୁବକଯୁବତୀ ନବରଙ୍ଗପୁର ପହଞ୍ଚିଥିଲେ। ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି। ଶତାଧିକ ବେକାର ଯୁବକଯୁବତୀଙ୍କୁ ଉଦ୍‌ବୋଧନ ଦେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ, ଜିଲ୍ଲାଭିତ୍ତିକ ନିଯୁକ୍ତିକୁ ଜିଲ୍ଲାବାସୀ ସମର୍ଥନ କରୁଛନ୍ତି। କିନ୍ତୁ ସରକାର ଏହି ଦାବିକୁ ଅତି ହାଲ୍‌କା ଭାବେ ନେଇଛନ୍ତି। ଲଢ଼େଇ କଲେ ହିଁ ହକ୍‌ ମିଳିବ। ତେଣୁ ସମସ୍ତେ ଏକଜୁଟ ହୋଇ ଲଢ଼େଇ କରି ହକ୍‌ ଛଡ଼ାଇ ଆଣିବା। ବରିଷ୍ଠ ନେତା ମୁନା ତ୍ରିପାଠୀ ବକ୍ତବ୍ୟରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ସିଧାସଳଖ ଟର୍ଗେଟ କରିଥିଲେ। ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଏହି ଦାବିକୁ ସମର୍ଥନ କରୁଥିଲେ। ମନ୍ତ୍ରୀ ହେବାପରେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ସେହିଭଳି ଆବାହକ ଅର୍ଜୁନ ଭତରା ଓ ସଂଯୋଜକ ଭଗବାନ ବୈରାଗୀ ମଧ୍ୟ ସରକାରଙ୍କୁ ସମାଲୋଚନା କରି ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଥିଲେ।

ପ୍ରାୟ ୩ଘଣ୍ଟା ଧରି ଧାରଣା ଏବଂ ପ୍ରତିବାଦ ଚାଲିଥିଲା। ପ୍ରଶାସନକୁ ଦେଇଥିବା ଦାବିପତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ଚାକିରି ନିମନ୍ତେ ଜିଲ୍ଲାଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଲାଗୁ କରାଯାଉ। ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ନ ଥ‌ିବାରୁ ଉପକୂଳ ତଥା ଅନ୍ୟ ଜିଲ୍ଲାର ପିଲାଙ୍କ ସହ ଏଠାକାର ପିଲା ସମକକ୍ଷ ହୋଇପାରୁ ନାହାନ୍ତି। ଏଠାକାର ଶିକ୍ଷିତ ଯୁବକଯୁବତୀ ମଧ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ଚାକିରି ପାଉନାହାନ୍ତି। ଯାହାଫଳରେ ଦାଦନ ସଂଖ୍ୟା ଏବଂ ବେକାରୀ ବଢ଼ିବାରେ ଲାଗିଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଉନାହିଁ। ଏହି କାରଣରୁ ପିଲାଙ୍କୁ ପାଠ ବୁଝିବାରେ କଷ୍ଟ ହେଉଛି। ଯାହାଫଳରେ ଡ୍ରପ୍‌ଆଉଟ୍‌ ବଢ଼ିଛି। ଦାବିକୁ ସରକାର ୧୫ଦିନ ଭିତରେ ପୂରଣ ନ କଲେ ପୁନର୍ବାର ବନ୍ଦ ଡାକରା ‌ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ଆଜିର ଆନ୍ଦୋଳନରେ ସନରାଜ ଗଣ୍ଡ, ବୃନ୍ଦାବନ ତ୍ରିପାଠୀ, ସିରାଜଉଦ୍ଦିନ ଅହମ୍ମଦ, ଅରୁଣ ମିଶ୍ର, ରତନ ମାଝୀ, ଜିତୃ ଜାନୀ, ସୁଧୀର ପାତ୍ର, ଦିବାକର ପୂଜାରୀ, ଅଖିଳ ଭତରା, ରାଜେଶ ଜାନୀ, ନୂଆଖାଉ ଭତରାଙ୍କ ସମେତ ବିଭିନ୍ନ ଛାତ୍ର ସଂଗଠନ ଓ ଶତାଧିକ ଲୋକ ସାମିଲ ହୋଇଥିଲେ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button