IBN ଓଡ଼ିଶା ବ୍ୟୁରୋ

ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ November 2, 20220

ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ। ଗର୍ଭାବସ୍ଥା ସମୟରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଚିପ୍ସ, ନମ୍‌କିନ୍‌, ଚକ୍‌ଲେଟ୍‌, ମିଠା, ସୋଡ଼ା ଓ ପାନୀୟ ଖାଇବା ଦ୍ଵାରା ମା’ ସହିତ ସନ୍ତାନ ଜନ୍ମ ପରେ ତା’ର ଓଜନ ଆବଶ୍ୟକତାଠୁ ଅଧିକ ବଢ଼ିପାରେ। ଏନେଇ ବିଏମ୍‌ଜେ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଗବେଷକମାନେ ଆମେରିକାର ନର୍ସେଜ ହେଲ୍‌ଥ ଷ୍ଟଡି-୨ ଓ ଗ୍ରୋଇଙ୍ଗ ଅପ୍‌ ଟୁଡେ ଷ୍ଟଡିର ତଥ୍ୟ ବିଶ୍ଳେଷଣ କରିଥିଲେ । ଏଥିରେ ୧୪ ହଜାର ୫୫୩ ଜଣ ମହିଳା ଜନ୍ମ ଦେଇଥିବା ୧୯ ହଜାର ୯୫୮ଜଣ ପିଲାଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏଥିରେ ୭ରୁ ୧୭ ବର୍ଷ ବୟସର ୪୫ ପ୍ରତିଶତ ପୁଅ ଥିଲେ । ମା’ ଓ ପିଲାଙ୍କ ଖାଦ୍ୟପେୟ ଅଭ୍ୟାସ ଏବଂ ଅନ୍ୟ କାରକଗୁଡ଼ିକର ପ୍ରତି ୨ ବର୍ଷରେ ଯାଞ୍ଚ୍‌ କରାଯାଇଥିଲା । ଆଉ ଏକ ବିଶ୍ଳେଷଣରେ ୨ ହଜାର ୭୯୦ ମା’ ଓ ୨ ହଜାର ୯୨୫ ଜଣ ପିଲାଙ୍କର ଯାଞ୍ଚ୍‌ କରାଯାଇଥିଲା । ସମ୍ବନ୍ଧ ସ୍ଥାପନର ୩ ମାସ ପୂର୍ବରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଖାଦ୍ୟପେୟ ଉପରେ ନଜର ରଖାଯାଇଥିଲା । ଗର୍ଭବତୀ ହେବା ପୂର୍ବର ଖାଦ୍ୟପେୟ ସହିତ ପିଲାର ମେଦବୃଦ୍ଧିର କୌଣସି ସମ୍ପର୍କ ନଥିଲା । ଗର୍ଭାବସ୍ଥା ସମୟରେ ମହିଳାଙ୍କ ଖାଦ୍ୟପେୟ ସମେତ ଅନ୍ୟ କାରକଗୁଡ଼ିକୁ ମଧ୍ୟ ଅଧ୍ୟୟନ କରାଗଲା । ସେମାନଙ୍କ ବଡି ମାସ୍‌ ଇଣ୍ଡେକ୍ସ, ଶାରୀରିକ କାର୍ଯ୍ୟକଳାପ, ଧୂମପାନ, ସାଥୀ ସହ ରହିବାର ସ୍ଥିତି, ସାଥୀଙ୍କ ଶିକ୍ଷା, ପିଲାଙ୍କ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ସେମାନଙ୍କ ଜୀବନଶୈଳୀ ସାମିଲ ଥିଲା । ଏ ସମସ୍ତ କାରକ ପିଲାଙ୍କର ମେଦବୃଦ୍ଧି ପାଇଁ ଦାୟୀ ବୋଲି ଜଣାପଡ଼ିଲା ।

ଉପଯୁକ୍ତ ପ୍ରଜନନ ସମୟରେ ମହିଳା ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହା ଦ୍ୱାରା ଆଗାମୀ ପିଢ଼ି ସୁସ୍ଥ ହୋଇ ଜନ୍ମ ହେବେ ବୋଲି ଗବେଷକମାନେ କହିଛନ୍ତି । ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ, ବିଶ୍ୱରେ ୩.୯ କୋଟି ପିଲା ମେଦବହୁଳତାରେ ପୀଡ଼ିତ କିମ୍ବା ଆବଶ୍ୟକଠୁ ସେମାନଙ୍କ ଓଜନ ଅଧିକ।

Related Articles

Leave a Reply

Your email address will not be published. Required fields are marked *

Back to top button