ଜିଲ୍ଲାରେ କମ୍ପ୍ୟୁଟର କିଣା କେଳେଙ୍କାରୀ ,ସଚିବ ଏବଂ ଜିଲ୍ଲାପାଳ ଙ୍କୁ ଲୋକୟୁକ୍ତ ଙ୍କ ଛାଟ

ଯାଜପୁର:IBN ଓଡିଶା (ବ୍ୟୁରୋ)
ଯାଜପୁର ଜିଲ୍ଲାର କୌଣସି ବି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି କମ୍ପ୍ୟୁଟର୍ ଶିକ୍ଷକ; କିନ୍ତୁ ସମଗ୍ର ଶିକ୍ଷା ଯୋଜନାର ସଫଳ ରୂପାୟନର ଏକ ମିଛ ଫର୍ଦ୍ଦ ଲେଖିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦ୍ଵାରା ଏକ ଜିଇଏମ୍ ବିଡ଼ିଂ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପାଇଁ ମୋଟ ୪କୋଟି ଟଙ୍କା ବ୍ୟୟରେ ଏକକାଳୀନ ପୁରୁଣା ସଂସ୍କରଣର ୧ ହଜାର ଡେସ୍କଟପ୍ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ୍ ସଫ୍ଟୱେର ଓ ୟୁପିଏସ୍ ଚଢ଼ା ଦରରେ କ୍ରୟ କରିବାକୁ ଶାସକ ଦଳର ଛତ୍ରଛାୟାରେ ରହିଥିବା ଜନୈକ ବ୍ୟକ୍ତିଙ୍କ ସଂସ୍ଥାକୁ ସାମଗ୍ରୀ ଯୋଗାଣ ଦାୟିତ୍ଵ ଦେବାକୁ ହିଁ ସେହି ବିଡ଼ିଂକୁ ପ୍ରି ଫିକ୍ସିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଓଡ଼ିଶା ଖଣିଜ ଧାରଣ ଅଞ୍ଚଳ ଉନ୍ନୟନ ନିଗମ (ଓଏମବିଏଡ଼ିସି)ର କୋଟି କୋଟି ଟଙ୍କାର ପାଣ୍ଠିକୁ କେବଳ ଶ୍ରାଦ୍ଧ କରିବାକୁ ଯାଇ ଅଧିକାରୀ ମାନେ ଏକ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ିବା ପରେ ଏହାକୁ ନେଇ ଗତ ଫବୃୟାରୀ ମାସରେ ଜିଲ୍ଲାର ଜଣାଶୁଣା ଆଇନଜୀବି ଉଦୟନାଥ ସାହୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ବି ଆଗତ କରିଥିଲେ । ସେସମ୍ପର୍କରେ ମଧ୍ୟ ସେତେବେଳେ ବିଭିନ୍ନ ଖବରକାଗଜରେ ସମ୍ବାଦ ପ୍ରକାଶ ପାଇଥିଲା । ଯାହାକୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗମ୍ଭୀରତାର ସହ ଗ୍ରହଣ କରି ସେହି ବିଡ଼ିଂର କର୍ଯ୍ୟଦେଶକୁ ସ୍ଥଗିତ ରଖି ତାହାର କାଗଜପତ୍ର ତନଖି କରିବାକୁ ବିଭାଗୀୟ ଅଧିକାରୀଙ୍କଠାରୁ କୈଫତ୍ ତଲବ କରିଥିଲେ । ସେଥିନେଇ ସେତେବେଳେ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ଏକପ୍ରକାର ଭାଳେଣି ପଡ଼ି ଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଡ଼ରଙ୍କ ମଧ୍ୟରୁ କେହି କାହିଁକି ମାମଲା ରୁଜୁ କଲେ ନାହିଁ ଦର୍ଶାଇ ମାନ୍ୟବର ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାଟିକୁ ରଦ୍ଦ କରିଦେବା ପରେ ସେହି ଅଧିକାରୀ ମାନେ କୌଣସି ମତେ ଜିଲ୍ଲାପାଳଙ୍କୁ ବୁଝାଇବାରେ ସଫଳ ହେବା ସହ ସଂପୃକ୍ତ ସଂସ୍ଥାକୁ ସେସବୁ ସାମଗ୍ରୀ ଯୋଗାଣ ପାଇଁ କାର୍ଯ୍ୟାଦେଶ ଦେଇ ଦେଇଥିଲେ । କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କୁ ଭୁଆଁ ବୁଲାଇବାରେ ସଫଳ ହେବା ପରେ ବିଡ଼ିଂର ଅନୁମୋଦନ ବହିର୍ଭୁତ ନିମ୍ନ ଦକ୍ଷତାର ଅଧା ସାମଗ୍ରୀ ଯୋଗାଣ କରି ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ବିଭାଗୀୟ ଅଧିକାରୀଙ୍କୁ ହାତେଇ ବେଆଇନ୍ ଭାବେ ଏବେ ରନିଂ ବିଲ୍ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତେବେ ଏଥିନେଇ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଏକ ମାମଲା(ସଂଖ୍ୟା ଏଲ ୱାଇ ୨୧୭ /୨୦୨୩) ଆଗତ କରିଥିଲେ । ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଦାଖଲ ସମସ୍ତ କାଗଜାତକୁ ସମୀକ୍ଷା କରି ଅଭିଯୋଗର ସତ୍ୟତା ଅନୁଭବ କରି ଲୋକାୟୁକ୍ତ ଏହି ମାମଲାରେ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ, ଯାଜପୁର ଜିଲ୍ଲାପାଳ, ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ବିଡ଼ିଂରେ ଅଂଶଗ୍ରହଣ କରିଥିବା ୩ଗୋଟି ସଂସ୍ଥାଙ୍କୁ ଗତ ମାସ ୩୦ତାରିଖରେ ନୋଟିସ ଜାରି କରିବାକୁ ଆଦେଶ ଦେଇଥିବା ଜଣାପଡିଛି ।
ଅଭିଯୋଗ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଏମଆଇଏସ୍ ପ୍ରୋଗ୍ରାମର ରଜତ କୁମାର ସାହୁଙ୍କ ଦ୍ବାରା ଗତ ଫେବୃଆରୀ ୪ତାରିଖରେ ଏଥିପାଇଁ ଏକ ଜିଇଏମ୍ ବିଡ଼ିଂ (ନଂ.ଜିଇଏମ୍/୨୦୨୩/ବି/୩୦୮୨୯୮୫) ଆହ୍ବାନ କରାଯାଇଥିଲା । ଏଥିପାଇଁ ହାରାହାରି ୨୮ହଜାର ଟଙ୍କାରେ ପୁରାତନ ସଂସ୍କରଣର ଗୋଟିଏ ଲେଖାଏଁ କମ୍ପ୍ୟୁଟର ସହ ଏକ ୟୁପିଏସ ଓ ଆଣ୍ଟି ଭାଇରସ ସଫ୍ଟୱେରକୁ ୩୯ହଜାର ଟଙ୍କା ମୂଲ୍ୟରେ କିଣିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କମ୍ପ୍ୟୁଟର ପ୍ରୋଗ୍ରାମର, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମଗ୍ର ଶିକ୍ଷାର ବରିଷ୍ଠ ବୈଷୟିକ କନସଲ୍ଟଟାଣ୍ଟ୍, ଏନଆଇସିର ଜିଲ୍ଲା ସୂଚନା ଅଧିକାରୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଏମଆଇଏସ୍ ପ୍ରୋଗ୍ରାମର ପ୍ରମୁଖଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ମଞ୍ଜୁରୀ ପ୍ରଦାନ କରିଥିଲା ଏବଂ ବିଡ଼ିଂରେ ଥିବା ମାର୍ଗଦର୍ଶିକା ଆଧାରରେ ଯୋଗ୍ୟ ବିବେଚିତ ବିଡ଼ର୍ ମାନଙ୍କୁ ଆବେଦନ କରିବାର ଅନ୍ତିମ ଦିବସ ଫେବୃଆରୀ ୧୪ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଆହୂତ ବିଡି଼ଂରେ ଯେହେତୁ ସମ୍ପ୍ରତି ପ୍ରଚଳିତ ସର୍ବାଧୁନିକ ସଂସ୍କରଣ ପରିବର୍ତ୍ତେ ବହୁ ପୁରାତନ ସଂସ୍କରଣର ଡେସ୍କଟପ୍ କମ୍ପ୍ୟୁଟର୍, କେବଳ ଆଲେଷ୍ଟା ଭଳି ଅନାମଧ୍ୟେୟ ବ୍ରାଣ୍ଡର ୟୁପିଏସ ସହିତ ବହୁ ଜନପ୍ରିୟ କ୍ଵିକ୍ ହିଲ୍ ଭଳି ବ୍ରାଣ୍ଡ ପରିବର୍ତ୍ତେ କେ-୭ ବ୍ରାଣ୍ଡର ଆଣ୍ଟି ଭାଇରସ୍ ସଫ୍ଟୱେର୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରାଯାଇ ଥିବାରୁ ତାହା ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କାରଣ ସଂପ୍ରତ୍ତି ସର୍ବାଧିକ ବ୍ୟବହାର ହେଉଥିବା ସର୍ବାଧୁନିକ ସଂସ୍କରଣର ଡେସ୍କଟପ୍ କମ୍ପ୍ୟୁଟର୍ ଓ ୟୁପିଏସ୍ ସବୁ ବେଶ୍ କିଛି ବର୍ଷ ଧରି ବ୍ୟବହାର ଉପଯୋଗୀ ହୋଇ ପାରିବ ଏବଂ ପୁରୁଣା ସଂସ୍କରଣର ଏସବୁ ବୈଦ୍ୟୁତିକ ସାମଗ୍ରୀ ହେଲେ ତାହା ଅଳ୍ପ ସମୟ ମଧ୍ୟରେ ହିଁ ଖରାପ ହୋଇଯିବା ସହ ଖୁବ୍ ଶୀଘ୍ର ସେସବୁ ପରିତ୍ୟକ୍ତ ହୋଇ ପଡ଼ିବାର ଆଶଙ୍କା ରହିଥାଏ । ଅନ୍ୟପଟେ ସେସବୁକୁ ଚଳାଇବା ସହ ତାହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାକୁ ବର୍ତ୍ତମାନ ଜିଲ୍ଲାର କୌଣସି ବି ସରକାରୀ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ହିଁ ନାହାଁନ୍ତି ! ତେଣୁ ସେସବୁ ଯେଉଁ ସ୍ମାର୍ଟ୍ ସ୍କୁଲ୍ ଗୁଡ଼ିକୁ ଯୋଗାଇ ଦିଆଯିବ; ତାହା କେବଳ ସେଠାରେ ପଡ଼ିରହି କିଛି ଦିନ ଧରି ଶୋଭା ବର୍ଦ୍ଧନ କରିବା ପରେ ସ୍କ୍ରାପ୍ ହୋଇଯିବ ସିନା କିନ୍ତୁ କୌଣସି ବି ଲକ୍ଷ୍ୟ ସାଧିତ କରି ପାରିବ ନାହିଁ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା । ଏଭଳି ସ୍ଥିତିରେ ବି ସରକାରୀ ବାବୁମାନେ ସତେ ଯେମିତି ଉଦ୍ଦେଶ୍ୟମୂଳକ ଭାବେ ହିଁ ଟିକସଦାତାଙ୍କ କଷ୍ଟଲବ୍ଧ କୋଟି କୋଟି ଟଙ୍କା ଏହା ମାଧ୍ୟମରେ ପାଣିରେ ପକାଇବାକୁ ହୁଏତ ସେହି ଅଦୁରଦର୍ଶୀ ନିଷ୍ପତ୍ତି ନେଇଥିବା କହିବା ଆଦୌ ବାହୁଲ୍ୟ ହେବ ନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ଆହୁତ ଜିଇଏମ୍ ବିଡ଼ିଂରେ ସାଧାରଣ ନିୟମ ଅନୁଯାୟୀ ପ୍ରାରମ୍ଭିକ ଭାବେ ତନଖି ନିମନ୍ତେ କୌଣସି ସାମଗ୍ରୀର ସାମ୍ପଲ୍ ବିଡ଼ରମାନଙ୍କୁ ମଗାଯାଇ ନଥିଲା କି ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଠାରୁ ଆବଶ୍ୟକ ପରିମାଣର ସାମଗ୍ରୀ ଯୋଗାଣ ନେଇ ମଧ୍ୟ ସ୍ଵୀକୃତିପତ୍ର ଆହ୍ବାନ କରା ନଯାଇ କେବଳ ବିଡ଼ରଙ୍କୁ ଏଥିନେଇ ନିଜର ଏକ ସ୍ଵୀକୃତିପତ୍ର ଦେବାକୁ କୁହାଯାଇଥିଲା; ଯାହା ବେଆଇନ୍ ଏବଂ କାହାକୁ ନା କାହାକୁ ଆର୍ଥିକ ଫାଇଦା ଦେବା ପାଇଁ ହିଁ ମନ୍ଦ ଉଦ୍ଦେଶ୍ୟ ରଖି ଏହା କରାଯାଇଥିବା ଅନୁମାନ କରାଯାଉଥିଲା । କାରଣ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଠାରୁ ଯଦି ସ୍ଵୀକୃତିପତ୍ର ନିଆ ନଯିବ ଏବଂ ସମ୍ପୃକ୍ତ କମ୍ପାନୀ ପରବର୍ତ୍ତୀ ସମୟରେ ସେହି ଉତ୍ପାଦ ଯୋଗାଣ ପାଇଁ ଅମଙ୍ଗ ହୁଅନ୍ତି ଅବା ସେଥିପାଇଁ ଅଧିକ ମୂଲ୍ୟ ଦାବୀ କରନ୍ତି; ସେଭଳି ସ୍ଥିତିରେ ଯୋଗ୍ୟ ବିବେଚିତ ବିଡ଼ର୍ ହାତ ଝାଡ଼ିଦେଲେ ସେତେବେଳେ ତାଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା କଥା ଅନୁସାରେ ଦାୟିତ୍ୱରେ ଥିବା କିଛି ଅଧିକାରୀ କୁଆଡ଼େ ସମ୍ପୃକ୍ତ ସଂସ୍ଥାଠାରୁ ପ୍ରତି ସେଟ୍ ଡେସ୍କଟପରେ ହାରାହାରି ୧୦ ହଜାର ଟଙ୍କା ହିସାବରେ ପ୍ରାୟ କୋଟିଏ ଟଙ୍କାର ଆର୍ଥିକ ଫାଇଦା ନେବାକୁ ଏକ ଖସଡ଼ା ପ୍ରସ୍ତୁତ କରି ଏଭଳି ଏକ ସନ୍ଦେହପୂର୍ଣ୍ଣ ବିଡ଼ିଂ ଆହୁତ କରିଥିଲେ । ପରଦା ପଛରେ ଏଭଳି ଡି଼ଲ୍ କରାଯାଇ ଥିବାରୁ ଏଥିନେଇ ବହୁ ବଡ଼ ବଡ଼ ବ୍ରାଣ୍ଡର ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଅନିୟମିତ ଭାବେ ଆହୂତ ଏଭଳି ବିଡ଼ିଂ ଉପରେ ଆପତ୍ତି ଉଠାଇ ଅଭିଯୋଗ କରିଥିଲେ ମଧ୍ୟ ସେସବୁକୁ ସେତେବେଳେ ଅଗ୍ରାହ୍ୟ କରି ଦିଆଯାଇଥିଲା ।
ଅନ୍ୟପକ୍ଷରେ ଜିଲ୍ଲାପାଳ ସାମଗ୍ରୀ ଯୋଗାଣ ପାଇଁ ଇସାରା ଦେଇଦେବା ପରେ ସଂପୃକ୍ତ ଠିକା ସଂସ୍ଥା ତୁରନ୍ତ ଅର୍ଦ୍ଧାଧିକ ଡେସ୍କଟପ୍ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ୍ ସଫ୍ଟୱେର ଓ ୟୁପିଏସ୍ ଇତିମଧ୍ୟରେ ଯୋଗାଇ ଦେଇ ତାହା ବାବଦରେ ଅର୍ଥ ରାଶି ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଲ୍ ଦାଖଲ କରିଥିବା ଜଣାପଡ଼ିଛି, ଯାହାକି ବେଆଇନ୍ ଅଟେ । ସେହିଭଳି ବିଡ଼ିଂରେ ୩.୨ ଗିଗାହର୍ଜ୍ ବେଶ୍ ଫ୍ରିକ୍ୱେନ୍ସିର ପ୍ରସେଶର୍ ସହ ୩ ଡ଼ିଡି଼ଆର୍ ରାମ୍ ଯୋଗାଣ ପାଇଁ ଆଦେଶ ରହିଥିଲା ବେଳେ ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ଯୋଗାଇଥିବା ଡେସ୍କଟପ୍ କମ୍ପ୍ୟୁଟର ଗୁଡ଼ିକ ୨.୦ ଗିଗାହର୍ଜ୍ ବେଶ୍ ଫ୍ରିକ୍ୱେନ୍ସିର ପ୍ରସେଶର୍ ସହ ୪ ଡ଼ିଡି଼ଆର୍ ରାମ୍ ଆଧାରିତ ଅଟେ । ଏଭଳି ଚଞ୍ଚକତା କରିବା ପଛରେ କୌଣସି ଅଦୃଶ୍ୟ ଚାପରେ ହିଁ କେବଳ ନିର୍ଦ୍ଦିଷ୍ଟ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ଅନ୍ୟ କୌଣସି ସଂସ୍ଥାକୁ ବିଡ଼ିଂରେ ଅଂଶଗ୍ରହଣ କରିବାରୁ ବଞ୍ଚିତ କରିବା ପାଇଁ ଯେ ଅଭିପ୍ରେତ ଥିଲା ତାହା ଏଥିରୁ ଏବେ ବୁଝପଡିଯାଇଛି । ତେବେ ଜିଇଏମ୍ ମାର୍ଗଦର୍ଶିକା ଅନୁସାରେ ବିଡ଼ିଂର ଅନୁମୋଦନ ସାମଗ୍ରୀ ଭିନ୍ନ ଅନ୍ୟ ସାମଗ୍ରୀ ଯୋଗାଣ ଆଦୌ ଗ୍ରହଣୀୟ ନୁହେଁ ଏବଂ ସମସ୍ତ ସାମଗ୍ରୀ ଯୋଗାଣ ପରେ ତନ୍ମଧ୍ୟରୁ କିଛି ପରିମାଣର ସାମଗ୍ରୀ ନେଇ ତାହାର ଦକ୍ଷତା ଓ ମାନ ଏବଂ ବିଡ଼ିଂର ଆହୂତ ଧାର୍ଯ୍ୟ ଦକ୍ଷତା ଓ ମାନ ସହ ସମାନ କି ନାହିଁ ବୈଷୟିକ ଅଧିକାରୀଙ୍କ ଦ୍ବାରା ତନଖି ହୋଇ ତାଙ୍କଠାରୁ ତାହା ସଠିକ୍ ବୋଲି ପ୍ରମାଣପତ୍ର ମିଳିବା ପରେ ହିଁ ଯାଇ ବିଲ୍ ଉପରେ ଅର୍ଥରାଶି ପୈଠ ହେବା କଥା । ମାତ୍ର ସଂପୃକ୍ତ ଠିକା ସଂସ୍ଥା ଇତିମଧ୍ୟରେ ଯୋଗାଇ ଦେଇଥିବା ଡେସ୍କଟପ୍ କମ୍ପ୍ୟୁଟର୍ ଗୁଡ଼ିକର ଦକ୍ଷତା ଓ ମାନ ବିଡ଼ିଂର ଆହୂତ ଧାର୍ଯ୍ୟ ଦକ୍ଷତା ଓ ମାନଠାରୁ ଭିନ୍ନ ରହିଛି । ଏହାସତ୍ତ୍ୱେ ବି ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ଅଧିକାରୀମାନେ ଏଯାଏଁ ବି ଜିଲ୍ଲାର ଦୁଇ ବୈଷୟିକ ଅଧିକାରୀ ଏନଆଇସିର ଜିଲ୍ଲା ସୂଚନା ଅଧିକାରୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜରଙ୍କ ଦ୍ଵାରା ଯୋଗାଣ ସାମଗ୍ରୀର ଦକ୍ଷତା ଓ ମାନ ତନଖି ନ କରାଇ ବିଡ଼ିଂର ଆହୂତ ଧାର୍ଯ୍ୟ ଦକ୍ଷତା ଓ ମାନଠାରୁ ଭିନ୍ନ ସାମଗ୍ରୀ ସଂପୃକ୍ତ ଠିକା ସଂସ୍ଥାଠାରୁ ଗ୍ରହଣ କରି ତାକୁ କିଭଳି ପୁଣି ରନିଂ ବିଲ୍ ପୈଠ କରିବାକୁ ଉଦ୍ୟମ କରୁଛନ୍ତି ତାହା ତ ଏବେ ଆହୁରି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାଜପୁର ଜିଲ୍ଲାପାଳ ଏବେ ବ୍ୟକ୍ତିଗତ ଭାବେ ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଜିଲ୍ଲାର ଏଭଳି ଏକ ବଡ଼ ଧରଣର ଘୋଟାଲାର ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଏବଂ ଯୋଗାଣକାରୀ ସଂସ୍ଥାର ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରସଙ୍ଗକୁ ପ୍ରଥମେ ସାମ୍ନାକୁ ଆଣିଥିବା ଆଇନଜୀବୀ ଉଦୟନାଥ ସାହୁ ଦାବି କରିଛନ୍ତି ।