୧୫ଦିନିଆ ନ୍ୟାୟିକ ହାଜତ୍କୁ ଗଲେ କେଜ୍ରିୱାଲ୍ – Ibnodisha

[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଇଡି ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଆଜି ଇଡି ପକ୍ଷରୁ ତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାରେ ଶୁଣାଣି କରିବା ସହ କୋର୍ଟ କେଜ୍ରିୱାଲ୍ଙ୍କୁ ୧୫ ଦିନିଆ ନ୍ୟାୟିକ ହାଜତକୁ ପଠାଇଦେଇଛନ୍ତି । ଅର୍ଥାତ୍ କେଜ୍ରିୱାଲ୍ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଜେଲ୍ରେ ରହିବାକୁ ହେବ । କୋର୍ଟ କେଜ୍ରିୱାଲ୍ଙ୍କୁ ତିହାର ଜେଲ୍ ପଠାଇଥିବା ସୂଚନା ମିଳିଛି । କେଜ୍ରିୱାଲ୍ଙ୍କୁ ବ୍ୟାରକ୍ ନଂ ୨ରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ତାଙ୍କ ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ ବ୍ୟାରକ୍ ନମ୍ବର ୧ରେ ରଖାଯାଇଥିବା ବେଳେ ଆପ୍ର ସାଂସଦ ସଞ୍ଜୟ ସିଂହଙ୍କୁ ବ୍ୟାରକ୍ ନମ୍ବର ୫ରେ ରଖାଯାଇଛି । ତେବେ ଜେଲ୍ ମାନୁଆଲ୍ ଅନ୍ତର୍ଗତ କେଜ୍ରିୱାଲ୍ଙ୍କୁ ଏହି ୧୫ଦିନ ସେଠାରେ କଟେଇବାକୁ ହେବ ।
ଆଜି କୋର୍ଟ ରୁମ୍ରେ ଶୁଣାଣି ଚାଲିଥିବା ବେଳେ କେଜ୍ରିୱାଲ୍ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ଆମ୍ ଆଦ୍ମୀ ପାଟି ନେତ୍ରୀ ସୌରଭ ଭରଦ୍ୱାଜ୍, ଆତିଶୀ, ଗୋପାଳ ରାୟ ପ୍ରମୁଖ ଅନେକ ନେତା ଉପସ୍ଥିତ ଥିଲେ । ଶୁଣାଣି ପରେ କେଜ୍ରିୱାଲ୍ଙ୍କୁ ପୁଲିସ୍ ଟିମ୍ ନେବା ପୂର୍ବରୁ ପତ୍ନୀ ସୁନୀତାଙ୍କ ସହ କୋର୍ଟର ଭିଜିଟର୍ସ ରୁମ୍ରେ କିଛି ସମୟ ବାର୍ତ୍ତାଳାପ କରିବାକୁ କୋର୍ଟ ଅନୁମତି ଦେଇଥିଲେ । ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଇଡିର ପ୍ରଥମ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ କୋର୍ଟରେ ହାଜର କରାଯାଇଥିଲା ଏବଂ ପୁନର୍ବାର ରିମାଣ୍ଡ୍ରେ ନେବାକୁ ଇଡି ଅନୁରୋଧ କରିଥିଲା । କୋର୍ଟ ସେତେବେଳେ ପୁନର୍ବାର ଏପ୍ରିଲ୍ ୧ ଯାଏ କେଜ୍ରିୱାଲ୍ଙ୍କୁ ଇଡି ରିମାଣ୍ଡରେ ପଠାଇଦେଇଥିଲେ । ମାର୍ଚ୍ଚ ୨୧ରେ ଇଡି ଅଧିକାରୀମାନେ କେଜ୍ରିୱାଲ୍ଙ୍କ ବାସଭବନ ଉପରେ ଚଢ଼ଉ କରିବା ସହ ତାଙ୍କୁ ଗିରଫ କରିଥିଲେ ।
କୋର୍ଟ ଆଜି ଯେତେବେଳେ ନିଜ ରାୟରେ କେଜ୍ରିୱାଲ୍ଙ୍କୁ ତିହାର ଜେଲ୍ର ନ୍ୟାୟିକ ହେପାଜତ୍ ବିଭାଗରେ ରହିବା ପାଇଁ ନିର୍ଦ୍ଦେଶ ଦେଲେ ସେତେବେଳେ କେଜ୍ରିୱାଲ୍ କୋର୍ଟଙ୍କ ପାଖରେ କିଛି ବହି ପଢ଼ିବା ପାଇଁ ଚାହୁଁଥିବା ନେଇ ଇଚ୍ଛାବ୍ୟକ୍ତ କରିଥିଲେ । ରିପୋର୍ଟ ଅନୁସାରେ କେଜ୍ରିୱାଲ୍, ରାମାୟଣ, ମହାଭାରତ, ଗୀତା ଏବଂ ପ୍ରଖ୍ୟାତ ସାମ୍ବାଦିକ ନୀରଜ ଚୌଧୂରୀଙ୍କ ଲିଖିତ ପୁସ୍ତକ ‘ହାଓ ପ୍ରାଇମ୍ ମିନିଷ୍ଟର ଡିସାଇ୍ଡ’ ପଢ଼ିବାକୁ ଚାହୁଁଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ । ନୀରଜ ଚୌଧୁରୀଙ୍କ ଲିଖିତ ଏହି ପୁସ୍ତକରେ ଦେଶର ପ୍ରଧାନମନ୍ତ୍ରୀ କିପରି ନିଷ୍ପତ୍ତି ନିଅନ୍ତି ସେସମ୍ପର୍କରେ ଉଲ୍ଲେଖ କରାଯାଇଛି । ପୁସ୍ତକ ବ୍ୟତୀତ କେଜ୍ରିୱାଲ୍ ଜେଲ୍ରେ ତାଙ୍କର କିଛି ଔଷଧ (ନିୟମିତ ଖାଉଥିବା ଔଷଧ) ଯେପରି ପହଞ୍ôଚପାରିବ ସେନେଇ ମଧ୍ୟ କୋର୍ଟରେ ଅନୁରୋଧ କରିଥିଲେ ।
[ad_2]