ଇଣ୍ଡିଆ ମେଣ୍ଟ ପାଇଁ ଆସନ ବୁଝାମଣା କଣ୍ଟା: ପରସ୍ପର ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ! – Ibnodisha

[ad_1]

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଇଣ୍ଡିଆ ମେଣ୍ଟ ନେତାଙ୍କ ପାଇଁ ଏବେ ଆସନ ବୁଝାମଣା ବହୁତ ବଡ଼ ଆହ୍ବାନ ଭାବେ ଦେଖାଦେଇଛି। ପଂଜାବ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ ଆଦି ରାଜ୍ୟରେ ଆସନ ବୁଝାମଣା ଏତେ ସହଜ ହେବନାହିଁ ବୋଲି କୁହାଯାଉଥିବା ବେଳେ ମେଣ୍ଟର ଅନ୍ୟତମ ଅଂଶୀଦାର ଆପ୍ ଇତିମଧ୍ୟରେ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ଦଳର ସାଂଗଠନିକ ବିସ୍ତାର ପାଇଁ ନିର୍ବାଚନ ଲଢ଼ିବାକୁ ସଜବାଜ ହେଉଥିବାରୁ ମେଣ୍ଟର ଭବିଷ୍ୟତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ବିହାର, ୟୁପି, ପଶ୍ଚିମବଙ୍ଗରେ ଆଞ୍ଚଳିକ ଦଳମାନଙ୍କ ଶକ୍ତି ଆଗରେ କଂଗ୍ରେସ ଗୌଣ ହୋଇଯାଇଥିବା ବେଳେ ସେଠାରେ କଂଗ୍ରେସ ସହ ଆସନ ବୁଝାମଣା କରିବା ନେଇ ଅନ୍ୟ ଦଳମାନେ କୌଣସି ସର୍ତ୍ତ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। କେବଳ ମହାରାଷ୍ଟ୍ର ଓ ତାମିଲନାଡ଼ୁକୁ ଛାଡ଼ିଦେଲେ ପ୍ରାୟ ସବୁ ରାଜ୍ୟରେ କଂଗ୍ରେସ ଓ ଆଞ୍ଚଳିକ ଦଳମାନଙ୍କୁ ନେଇ ସମସ୍ୟା ଲାଗି ରହିଛି ।
ଏପରିକି ଉତ୍ତରପ୍ରଦେଶରେ କଂଗ୍ରେସ ସହ ଆସନ ବୁଝାମଣା ନେଇ ସମାଜବାଦୀ ପାର୍ଟିରେ ମଧ୍ୟ ବଡ଼ ବିଭାଜନ ଘଟିବା ଆଶଙ୍କା ରହିଛି । ମହାରାଷ୍ଟ୍ରରେ ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ କଂଗ୍ରେସ, ଶିବସେନା ୟୁବିଟି ଏବଂ ଏନ୍ସିପି କେଉଁ ଆସନରେ ନିର୍ବାଚନ ଲଢ଼ିବେ ତାହାକୁ ନେଇ କିଛି ସ୍ଥିର ହୋଇପାରୁନାହିଁ। ବିହାରରେ ୪୦ ଲୋକସଭା ଆସନରୁ ଜେଡିୟୁ ଗତ ନିର୍ବାଚନରେ ୧୬ ଆସନ ହାସଲ କରିଥିବା ବେଳେ ଏବେ ଅତି କମ୍ରେ ୧୮ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହୁଛି। ଅନ୍ୟପକ୍ଷରେ ଆର୍ଜେଡି ମଧ୍ୟ ସମାନ ସଂଖ୍ୟକ ଆସନ ଚାହୁଥିବାରୁ କଂଗ୍ରେସ ଏ କ୍ଷେତ୍ରରେ କିଭଳି ବୁଝାମଣା କରିବ ତାହାକୁ ନେଇ ଚିନ୍ତା ବଢ଼ିଛି।
ପଶ୍ଚିମବଙ୍ଗରେ ଶାସକ ଟିଏମ୍ସି କଂଗ୍ରେସ ଓ ସିପିଏମ୍ ସହ ଆସନ ବୁଝାମଣା କରିବା ଏକ ଅସମ୍ଭବ ବ୍ୟାପାର ବୋଲି ଅନେକ ମତ ରଖିଛନ୍ତି। ଏବେ ସ୍ପେନ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ୪୨ ଆସନରେ ବୁଝାମଣା ନେଇ କୌଣସି ସଙ୍କେତ ଦେଇନଥିବା ବେଳେ ଖୁବ୍ଶୀଘ୍ର ଏ ଦିଗରେ କଂଗ୍ରେସ ଓ ସିପିଏମ୍ ମତ ସ୍ପଷ୍ଟ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ୭ ଆସନ ଏବଂ ପଂଜାବ ୧୩ ଆସନରେ ଆପ୍-କଂଗ୍ରେସ ବୁଝାମଣା ଅତି ଜଟିଳ ବ୍ୟାପାର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଦେଶରେ ପ୍ରାୟ ୧୦୦ ଲୋକସଭା ଆସନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଥିବାରୁ କଂଗ୍ରେସ ଏହି ଆସନଗୁଡ଼ିକରେ କୌଣସି ସାଲିସ କରିବାକୁ ପ୍ରସ୍ତୁତ ନୁହେଁ। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ଦଳମାନେ ପରସ୍ପର ବିରୋଧରେ ଲଢ଼େଇରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
[ad_2]