ଟମାଟୋ ରାନ୍ଧିବା ପଡିଲା ମହାଙ୍ଗା; ଛାଡି ଚାଲିଗଲେ ସ୍ତ୍ରୀ

ଏ ଟମାଟୋର ମହାଙ୍ଗା ବଜାରରେ ଟମାଟୋକୁ ଛୁଇଁବା ମନା । ଏହି ପରିସ୍ଥିତିରେ ଏହି ସାଧାରଣ ଟମାଟୋକୁ ନେଇ ବଢିଛି ଚର୍ଚ୍ଚା । କେତେବେଳେ ଏହି ସାଧାରଣ ଟମାଟର ନେତା ମନ୍ତ୍ରୀଙ୍କ ଉପହାରରେ ଦିଆ ହେଉଛି ତ, କିଏ ଏହାକୁ ବରଣମାଳା କରି ବେକରେ ପିନ୍ଧୁଛି । ଆଉ କେଉଁଠି ଏହାର ବଢୁଥିବା ଦର ଲୋକଙ୍କ ଚିନ୍ତା ବଢାଇଛି । ତେବେ ଏନେଇ ଅନେକ ରୋଚକ କାହାଣୀ ମଧ୍ୟ ସାମ୍ନାକୁ ଆସୁଛି ।
ତେବେ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣକୁ ଚକିତ କରିଦେବ । ଏ ମହଙ୍ଗା ବଜାରରେ ସ୍ତ୍ରୀକୁ ନପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ଛାଡି ଚାଲିଗଲେ ସ୍ତ୍ରୀ । ମଧ୍ୟପ୍ରଦେଶର ଶହଡ଼ୋଲ୍ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସହିତ କଳହ କରି ଘରଛାଡ଼ି ଚାଲିଯାଇଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ‘ଟିଫିନ୍ ସର୍ଭିସ୍’ ଚଳାଉଥିବା ସଞ୍ଜୀବ ବର୍ମନ୍ ନାମରେ ଜଣେ ବ୍ୟକ୍ତି କେଇ ଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ଜାଣିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା।
ବର୍ମନ୍ କହନ୍ତି, ବିନା ପରାମର୍ଶରେ ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ। ଏଇ କଥାରୁ ଯୁକ୍ତିତର୍କ, ତା’ପରେ କଜିଆ ହେଲା। ଏଇ କଥାରୁ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ଲୋଡ଼ିଲି। ସେ କୁଆଡ଼େ ଯାଇଛନ୍ତି ଜାଣି ପାରୁନି କି, ୩ ଦିନ ହେବ ତାଙ୍କ ସହିତ କଥାବାର୍ତ୍ତା କରିପାରିନାହିଁ।ସଞ୍ଜୀବ ଥାନାରେ ଅଭିଯୋଗ ଫାଇଲ୍ କରିଥିବା କଥା ମଧ୍ୟ ଜଣେ ପଦସ୍ଥ ପୁଲିସ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି।ସ୍ତ୍ରୀ’ଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଖୁବ୍ ଶୀଘ୍ର ତାଙ୍କୁ ଫେରାଇ ଆଣିବେ ବୋଲି ପୁଲିସ ସଞ୍ଜୀବଙ୍କୁ ପ୍ରତିଶ୍ରୁତି ଦେଇଛି।




