କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା – Ibnodisha

[ad_1]
ନୂଆଦିଲ୍ଲୀ: କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଭାନ୍କୋଭର ପୁଲିସ୍ ପକ୍ଷରୁ ଏନେଇ ମିଳିଥିବା ସୂଚନାନୁସାରେ ଏକ ଅଡି କାର୍ ମଧ୍ୟରୁ ମୃତ ଭାରତୀୟ ଛାତ୍ରଙ୍କ ମରଶରୀରକୁ ଉଦ୍ଧାର କରାଯାଇଛି । ଭାରତୀୟ ଛାତ୍ରଜଣକ ଗାଡ଼ିର ଡ୍ରାଇଭର ସିଟ୍ରେ ବସିରହିଥିବା ବେଳେ ଏହି ଅବସ୍ଥାରେ ହିଁ ତାଙ୍କୁୂ ଗୁଳି କରାଯାଇଥିବା ସ୍ଥାନୀୟ ପୁଲିସ୍ ଦର୍ଶାଇଛି ।
ଏପ୍ରିଲ ୧୨ ତାରିଖ ସ୍ଥାନୀୟ ସମୟ ରାତି ୧୨ଟା ସମୟରେ ୫୫ତମ ଆଭେନ୍ୟୁ ଏବଂ ମେନ୍ ଷ୍ଟ୍ରିଟ୍ ଅଞ୍ଚଳରେ ଚିରାଗ୍ଙ୍କୁ ଗୁଳିମାଡ଼ କରାଯାଇଥିବା ସମ୍ପର୍କରେ ସ୍ଥାନୀୟ ପୁଲିସ୍କୁ ସୂଚନା ମିଳିଥିଲା । ସ୍ଥାନୀୟ ଲୋକମାନେ ରାତିରେ ଗୁଳିମାଡ ଶବ୍ଦ ଶୁଣି ବାହାରକୁ ଆସି ଚିରାଗ୍ଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ ଏବଂ ପୁଲିସ୍କୁ ସୂଚନା ଦେଇଥିଲେ । ତେବେ ମୃତ ଭାରତୀୟ ଯୁବକଙ୍କ ନାମ ଚିରାଗ ଆଣ୍ଟିଲ୍ ଏବଂ ତାଙ୍କ ପରିବାର ହରିଆଣାର ସ୍ଥାୟୀ ନିବାସୀ ବୋଲି ଜଣାପଡିଛି । ଚିରାଗଙ୍କ ଭାଇ ରୋନିତ୍ ଆଣ୍ଟିଲ୍ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଭାଇ ଚିରାଗ ଜଣେ ମେଧାବୀ ଛାତ୍ର ଥିଲେ । ସ୍ୱଭାବତଃ ବେଶ୍ ଶାନ୍ତ ଏବଂ ହସଖୁସ୍ ମିଜାଜରେ ରହୁଥିବା ଚିରାଗ୍ଙ୍କ କାହା ସହ ଶତ୍ରୁତା ନଥିଲା ।
ଚିରାଗ୍ ୨୦୨୨ ସେପ୍ଟେମ୍ବରରେ ଭାନକୋଭର ସ୍ଥିତ ବିଶ୍ୱବିଦ୍ୟାଳୟ କାନାଡା ୱେଷ୍ଟରେ ଏମ୍ବିଏ ଡିଗ୍ରୀ ପଢ଼ିବା ପାଇଁ ଆସିଥିଲେ । ତେବେ ଚିରାଗ୍ଙ୍କ ଏମ୍ବିଏ ଡିଗ୍ରୀ ଶେଷ ହେବା ପୂର୍ବରୁ ହିଁ ତାଙ୍କୁ କାନାଡାର ଏକ ବୃହତ୍ କମ୍ପାନୀରେ ନିଯୁକ୍ତି ସୁଯୋଗ ମଧ୍ୟ ମିଳିସାରିଥିଲା । ଏହାକୁ ନେଇ ଚିରାଗ୍ ବେଶ୍ ଖୁସିଥିଲେ ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ସେ ଏସମ୍ପର୍କରେ ଜଣାଇଥିଲେ । ଏପରକି ଆଜି ଚିରାଗ୍ଙ୍କ ମୃତ୍ୟୁ ସମ୍ପର୍କୀତ ଖବର ମିଳିବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ସମୟରେ ଉଭୟ ଭାଇ ଫୋନ୍ ଯୋଗେ କଥା ମଧ୍ୟ ହୋଇଥିଲେ । ଏହି ସମୟରେ ଚିରାଗ ନିଜ ଅଡି କାରରେ କେଉଁଆଡେ ବୁଲିବା ପାଇଁ ବାହାରୁଥିବା ନେଇ ରୋନିତ୍ଙ୍କୁ କହିଥିଲେ । ଏତଦ୍ବ୍ୟତୀତ ଭାଇ ଚିରାଗ୍ଙ୍କ ସହ ତାଙ୍କର ସମ୍ପର୍କ ବେଶ୍ ଭଲଥିଲା ବୋଲି ରୋନିତ୍ କହିଛନ୍ତି ।
ଏବେ ଚିରାଗ୍ଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ପରିବାର ସଦସ୍ୟ କ୍ରାଉଡ୍ ଫଣ୍ଡିଂ କରୁଥିବା ଜଣାପଡିଛି । ଅନ୍ୟପକ୍ଷେ କଂଗ୍ରେସ ଛାତ୍ର ସଂସଦ ପକ୍ଷରୁ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ସହ ଏସମ୍ପର୍କରେ କଥାବାର୍ତ୍ତା ମଧ୍ୟ କରାଯାଇଥିବା ଜଣାପଡିଛି । କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ, ଚିରାଗ୍ଙ୍କ ହତ୍ୟାକାଣ୍ଡ ସମ୍ପର୍କୀତ ଘଟଣାର ତଦନ୍ତ ପ୍ରକ୍ରିୟାର ନୀରିକ୍ଷଣ କରିବା, ମୃତଦେହକୁ ସ୍ୱଦେଶ ଫେରାଇଆଣିବା ଏବଂ ପରିବାର ସଦସ୍ୟଙ୍କୁ ସମସ୍ତ ସହଯୋଗ ତଥା ସହାୟତା ଯୋଗାଇଦେବା ପାଇଁ ଛାତ୍ର ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଏହି ଘଟଣାରେ ଭାନ୍କୋଭର ପୁଲିସ୍ କାହାକୁ ଗିରଫ କରିପାରିନଥିବା ଜଣାପଡିଛି ।
[ad_2]