ମୋଦିଙ୍କ ‘ଅନୁପ୍ରବେଶକାରୀ’ ବୟାନକୁ ନେଇ ଝଡ଼; ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଏକ ନିର୍ବାଚନୀ ପ୍ରଚାର ରାଲିରେ ମୋଦୀ କଂଗ୍ରେସର ଇସ୍ତାହାରକୁ ନେଇ ତୀବ୍ର ସମାଲୋଚନା କରିବା ସହ ଅନୁପ୍ରବେଶକାରୀ ଏବଂ ମହିଳାଙ୍କ ମଙ୍ଗଳସୂତ୍ର ଉପରେ କଂଗ୍ରେସର ନଜର ରହିଛି ବୋଲି ବିବୃତି ଦେଇଥିଲେ । ଏହାକୁ ନେଇ କଂଗ୍ରେସ, ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ।
ପ୍ରକାଶ, ଦିନକ ପୂର୍ବେ ରାଜସ୍ଥାନର ବଂଶୱାରା ଠାରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୋଦୀ କହିଥିଲେ ଯେ, ବିରୋଧୀ ଦଳ କଂଗ୍ରେସ ଦେଶରେ ବେଆଇନ୍ ଭାବେ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କୁ ସବୁ କିଛି ଦେଇ ଦେବାକୁ ଚାହୁଁଛି । ସେହିପରି କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ କ୍ଷମତାକୁ ଆସିଲେ ସମସ୍ତଙ୍କ ସମ୍ପତ୍ତି ପରିମାଣ ଯାଞ୍ଚ୍ କରାଇବ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ନେଇ ମଧ୍ୟ ମୋଦୀ କହିଥିଲେ ଯେ, “ଦେଶବାସୀଙ୍କ ଝାଳ ବୁହା ଅର୍ଥ ଓ ମହିଳାମାନଙ୍କ ସୁନା ମଙ୍ଗଳସୂତ୍ରକୁ ଯେଉଁମାନଙ୍କର ଅଧିକ ଛୁଆ ଅଛନ୍ତି, ସେମାନଙ୍କୁ ଦେଇ ଦେବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।” ଅନ୍ୟପକ୍ଷେ ମୋଦୀଙ୍କ ଅନୁପ୍ରବେଶକାରୀ’ ଶବ୍ଦକୁ ମୁସଲିମ୍ ବର୍ଗଙ୍କ ସହ ଯୋଡିଛି କଂଗ୍ରେସ । ମୋଦୀଙ୍କ ଏପ୍ରକାର ବିବୃତିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବିଜେପି ଦେଶର ପ୍ରକୃତ ପ୍ରସଙ୍ଗରୁ ନଜର ହଟାଇବାକୁ ଚାହୁଁଛି । ମୁସଲିମ୍ ଭୋଟରଙ୍କୁ ଅନୁପ୍ରବେଶକାରୀ ଏବଂ ଅଧିକ ପିଲାଛୁଆ ଥିବା ବର୍ଗ ବୋଲି ମୋଦୀ କହୁଛନ୍ତି ବୋଲି କଂଗ୍ରେସ ଦର୍ଶାଇଛି । ସେହିପରି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ହତାଶ ହୋଇଗଲେଣି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମୋଦୀଙ୍କୁ ସମାଲୋଚନା କରି ଦେଶର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କହିଛନ୍ତି । ନିର୍ବାଚନ କମିଶନ ଏପରି ବୟାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୋଟିସ ପଠାଇ ଜବାବ ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି ।
[ad_2]