ରାଜ୍ୟ

ଆକାଶରୁ ନିଆଁ ବର୍ଷା: ଅନୁଗୁଳ ସବୁଠୁ ଉତ୍ତପ୍ତ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଭୀଷଣ ତାତିରେ ଆଜି କଲବଲ ହୋଇଛି ସାରା ରାଜ୍ୟ। ସୂର୍ଯ୍ୟ ଉଦୟ ହେବା ସହିତ ଆରମ୍ଭ ‌ହୋଇଯାଇଥିଲା ତାତିର ପ୍ରକୋପ। ଚାହୁଁଚାହୁଁ ଅପରାହ୍ନ ସୁଦ୍ଧା ଏହା ଚରମ ସୀମାରେ ଯାଇ ପହଞ୍ଚିଥିଲା। ଆଜି ୩୩ ସହରରେ ତାପମାତ୍ରା ୪୦° ଅତିକ୍ରମ କରିଥିବା ବେଳେ ସେଥିମଧ୍ୟରୁ ୧୪ଟି ସହରର ତପାମାତ୍ରା ୪୩ ଡିଗ୍ରି ପାର କରିଛି। ତିନିଟି ସହରର ତାପମାତ୍ରା ୪୪ ଡେଇଁଛି। ଏଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆସନ୍ତା ଦୁଇରୁ ତିନିଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଭୁବନେଶ୍ବର ସମେତ ଆଉ ‌କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୬° ଛୁଇଁବାର ସମ୍ଭାବନା ରହିଛି। ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଥିବାରୁ ଭୁ‌ବନେଶ୍ବର ଓ କଟକ ସମେତ ୧୩ ଜିଲ୍ଲା ପାଇଁ ରେଡ୍‌ ଓ ୧୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ଆଜି ଅନୁଗୁଳ ପାଲଟିଥିଲା ସବୁଠାରୁ ଉତ୍ତପ୍ତ। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୭° ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହାପଛକୁ ରହିଛି ରାଜଧାନୀ ଭୁବନେଶ୍ବର। ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ୪୪.୬° ରେକର୍ଡ ହୋଇଛି। ସେହିଭଳି କଟକ ତାପମାତ୍ରା ୪୩.୪ ଡିଗ୍ରି ରେକର୍ଡ କରାଯାଇଛି। ଚଳିତ ଗ୍ରୀଷ୍ମଋତୁରେ ପ୍ରଥମ ଥର ଲାଗି ଟ୍ବିନ୍ ସିଟିରେ ସର୍ବୋଚ୍ଚ ତାପମାତ୍ରା ଏକ ସଙ୍ଗରେ ୪୩ ଡିଗ୍ରି ଅତିକ୍ରମ କରିଛି। ଭୁବନେଶ୍ବରରେ ତାପମାତ୍ରା ସ୍ବାଭାବିକ ଠାରୁ ୬.୮ ଡିଗ୍ରି ଅଧିକ ଥିବା ବେଳେ କଟକରେ ସ୍ବାଭାବିକ ଠାରୁ ୬.୩ ଡିଗ୍ରି ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏପ୍ରିଲ ମାସରେ ଏହା ୪ର୍ଥ ସର୍ବୋଚ୍ଚ ତାପମାତ୍ରା ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାରିପଦାରେ ମଧ୍ୟ ୪୪.୨° ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଉତ୍ତର-ପଶ୍ଚିମ ଶୁଷ୍କ ବାୟୁ ଯୋଗୁ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୯ଟାରୁ ବାୟୁମଣ୍ଡଳ ଉତ୍ତପ୍ତ ହୋଇଯାଉଛି। ଆଜି ଅନଗୁଳୁ, ଭୁବନେଶ୍ୱର ଓ ବାରିପଦା ସମେତ ୧୪ ସହରର ତାପମାତ୍ରା ୪୩° ଉପରେ ରହିଥିଲା। ବୌଦ୍ଧ, ଢେଙ୍କାନାଳ ଓ ଭବାନୀପାଟଣାରେ ୪୩.୭°, ନୂଆପଡ଼ା ଓ ଝାରସୁଗୁଡ଼ାରେ ୪୩.୬°, ବଲାଙ୍ଗୀର, ଯାଜପୁର, ତାଳଚେର ଓ ନୟାଗଡ଼ରେ ୪୩.୫° ଓ କଟକରେ ୪୩.୪° ରେକର୍ଡ କରାଯାଇଛି।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ସମ୍ଭାବନା ଥିବାରୁ ଆସନ୍ତାକାଲି ୧୩ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ତାଲିକାରେ ମୟୂରଭଞ୍ଜ, ଖୋର୍ଦ୍ଧା, ଯାଜପୁର, ଅନଗୁଳୁ, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ କେନ୍ଦୁଝର ରହିଛି। ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ବର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨°ରୁ ୩° ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବାଲି ଆକଳନ କରାଯାଇଛି। ଏପ୍ରିଲ ୨୯ରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାତି ଅଧିକ ରହିବ। ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ଜିଲ୍ଲାର ତାପମାତ୍ରା ସବୁଠାରୁ ଅଧିକ ରହିବ। ଏଠାରେ ୪୫° ଅତିକ୍ରମ କରିପାରେ। ୨୮ ଓ ୨୯ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପବନ ଶାନ୍ତ ରହିବ, ତାତି କମିବ ନାହିଁ। ତେବେ ସନ୍ଧ୍ୟାରେ ଦକ୍ଷିଣପୂର୍ବ ସାମୁଦ୍ରିକ ପବନ ବୋହିବା ସମ୍ଭାବନା ରହିଛି। ଏହି ତାତି କେବେ କମିବ ତାହାର ପୂର୍ବାନୁମାନ କରାଯାଇ ପାରିନାହିଁ। ମେ’ ଦ୍ବିତୀୟ ସପ୍ତାହରେ ଉପକୂଳ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ତାତିରୁ ସାମୟିକ ନିସ୍ତାର ମିଳିପାରେ। କିନ୍ତୁ ପଶ୍ଚିମ ଓଡ଼ିଶାରେ ବର୍ଷାର ସମ୍ଭାବନା ନଥିବା କୁହାଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button