ଅପରାଧ

ସୂରଜ ଦାଶ ହତ୍ୟାକାଣ୍ଡ: ଚାରି ଅଭିଯୁକ୍ତ ଗିରଫ

ବରଗଡ଼: ସୂରଜ ଦାଶ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ ୧୬ ବ୍ରହ୍ମଚାରୀର ଆକାଶ ପାଇକ(୨୧), ତାଙ୍କ ଭାଇ ବଣ୍ଟି ପାଇକ(୨୧), ଓ୍ବାର୍ଡ ନଂ-୧୧ ନୂଆପଡ଼ାର କାଜୁ ଭୋଇ(୨୧) ଏବଂ ଓ୍ବାର୍ଡ ନଂ-୫ ବିଶିପଡ଼ାର ତରୁଣ ବାରିକ(୨୬)। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ପଥର, ଠେଙ୍ଗା, ଗାମୁଛା, ଗୋଟିଏ ମୋବାଇଲ ଏବଂ ଗୋଟିଏ ବାଇକ୍‌ ଜବତ ହୋଇଛି। ପୋଲିସ ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ କେସ୍‌ ନଂ ୪୬୭/୨୩ରେ ଏକ ମାମଲା ରୁଜୁ କରିଛି। ଏନେଇ ରବିବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ପଟ୍ଟନାୟକ ସୂଚନା ଦେଇଥିଲେ ।

ସୂଚନା ମତେ ଶନିବାର ଗାନ୍ଧିଛକ ନିକଟ ଫରେଷ୍ଟ ଅଫିସ ସମ୍ମୁଖ ତଥା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟ ଗଳିରାସ୍ତାରେ ସୂରଜଙ୍କ ମୃତଦେହ ପଡ଼ିଥିଲା। ମୃତକଙ୍କ ବଡ଼ଭାଇ ଶଙ୍କର ଏନେଇ ଏତଲା ଦେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ ସହିତ ଘଟଣାସ୍ଥଳର ଆଖପାଖରେ ରହିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଲାଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୂର୍ବ ଶତ୍ରୁତା ଏବଂ ଅବୈଧ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତମାନେ ବୟାନ ଦେଉଥିବା ବେଳେ ସେ ନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍‌ପି କହିଛନ୍ତି।

ସେହିପରି ପୋଲିସକୁ ଭ୍ରମରେ ପକାଇବା ପାଇଁ ଅଭିଯୁକ୍ତମାନେ ସୂରଜଙ୍କୁ ଅନ୍ୟତ୍ର ହତ୍ୟା ପରେ ମୃତଦେହକୁ ସେଠାରେ ପକାଇ ଦେଇ ଚାଲି ଯାଇଥିବା ସ୍ବୀକାର କରିଛନ୍ତି ବୋଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କାଣ୍ଡନକେଲ ମଧ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button