ରାଜ୍ୟ

ରାଜ୍ୟରେ ଆହୁରି ୩ ଦିନ ବର୍ଷା; ଆଜି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥାନରେ ଲଗାନା ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଅଧିକ ସଂଗଠିତ ହେବାରୁ ବର୍ଷାର ପ୍ରକୋପ ଅଧିକ ରହୁଛି। ଗତ ୩ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଘୂର୍ଣ୍ଣିବଳୟଟି ୩ ଦିନ ହେବ ସକ୍ରିୟ ରହିଥିବା ବେଳେ ସମ୍ଭବତଃ ୨୮ ତାରିଖରେ ଏହା ପ୍ରଭାବରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିପାରେ। ପାଣିପାଗ ବିଭାଗ ପକ୍ଷରୁ ଜାରି ବିସ୍ତାରିତ ପରିସର ଆକଳନରେ ଏହା ଦର୍ଶାଯାଇଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହ ଅର୍ଥାତ ରଥଯାତ୍ରା ସମୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଏଥିରେ ଦର୍ଶାଯାଇଛି। ତେବେ ସମ୍ଭାବ୍ୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବାରୁ ବର୍ଷାର ପ୍ରକୋପ ବର୍ତ୍ତମାନ ତୁଳନାରେ ଯଥେଷ୍ଟ ଅଧିକ ହେବାର ଆଶଙ୍କା କରାଯାଉଛି।

ଅନ୍ୟପଟେ ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗୁରୁବାର ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ତୁହାକୁତୁହା ବର୍ଷା ଯୋଗୁଁ ଲୋକେ ସମସ୍ୟା ଭୋଗିଛନ୍ତି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବିଶେଷକରି ଶୁକ୍ରବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର କହିଛି। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି। ସେହିପରି ଶନିବାର ଓ ରବିବାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଏହା ପରେ ବର୍ଷାର ପ୍ରକୋପ ହ୍ରାସ ପାଇବା ନେଇ କେନ୍ଦ୍ର କହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button