ଅଭିଷେକ ଯୁଗ ଆରମ୍ଭ: ଜିମ୍ବାୱେକୁ ୧୦୦ ରନ୍ରେ ହରାଇଲା ଭାରତ

ହରାରେ: ଯୁବ ଅଲ୍ରାଉଣ୍ଡର୍ ଅଭିଷେକ ଶର୍ମାଙ୍କ ତୋଫାନି ବ୍ୟାଟିଂ ପରେ ଋତୁରାଜ ଗାଏକ୍ବାଡ ଓ ରିଙ୍କୁ ସିଂହଙ୍କ ବିସ୍ଫୋରକ ପ୍ରଦର୍ଶନ ବଳରେ ଭାରତ ଏଠାରେ ଖେଳିଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଘରୋଇ ଜିମ୍ବାୱେକୁ ୧୦୦ ରନ୍ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍ରେ ୧୧୫ ରନ୍ରେ ପହଞ୍ଚିପାରି ନଥିବା ଭାରତୀୟ ଦଳ ଦ୍ବିତୀୟ ମ୍ୟାଚ୍ରେ ୨୩୪ ରନ୍ର ପାହାଡ଼ ଛିଡ଼ା କରିଥିଲା। ଜିମ୍ବାୱେ ଏହି ମ୍ୟାଚ୍ରେ ୧୩୪ ରନ୍ରେ ଅଟକି ଯାଇଛି। ଶତକୀୟ ପାଳି ପାଇଁ ଅଭିଷେକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ବିଜୟ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ୧-୧ରେ ବରାବର କରିପାରିଛି। ୧୦ ତାରିଖରେ ତୃତୀୟ ମ୍ୟାଚ୍ ଖେଳାଯିବ।
ବ୍ୟାଟିଂକୁ ସୁହାଉଥିବା ପିଚ୍ରେ ଭାରତ ପ୍ରଥମ ମ୍ୟାଚ୍ ଭଳି ଆଉ ଭୁଲ୍ ନକରି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଇ ସୁଦର୍ଶନ ଏହି ମ୍ୟାଚ୍ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ହେଲେ ସେ ବ୍ୟାଟିଂ କିମ୍ବା ବୋଲିଂ ସୁଯୋଗ ପାଇ ନଥିଲେ। ଅଧିନାୟକ ଶୁବମନ ଗିଲ୍ ମାତ୍ର ୨ ରନ୍ କରି ଦ୍ବିତୀୟ ଓଭରରେ ବ୍ଲେସିଂ ମୁଜରବାନିଙ୍କ ଶିକାର ହୋଇଥିଲେ। ଏହାପରେ କିନ୍ତୁ ଅଭିଷେକ ଓ ଋତୁରାଜ ଘରୋଇ ବୋଲରଙ୍କୁ ଆଉ ଫୁର୍ସତ୍ ଦେଇ ନଥିଲେ। ବିଶ୍ବବିଜେତା ହୋଇ ଜିମ୍ବାୱେଠାରୁ ପ୍ରଥମ ମ୍ୟାଚ୍ରେ ପରାଜିତ ହେବାର ଲଜ୍ଜାକୁ ଭୁଲାଇବାକୁ ଦୁଇ ବ୍ୟାଟର୍ ମନସ୍ଥ କରିଥିଲେ। ତେଣୁ ଦ୍ବିତୀୟ ୱିକେଟ୍ରେ ଉଭୟ ଚୌକା, ଛକା ବର୍ଷା କରିବା ସହ ୭୬ ବଲ୍ରୁ ୧୩୭ ରନ୍ର ଭାଗୀଦାରି ଗଢ଼ି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡିଅନ୍ ମାୟର୍ସଙ୍କ ଗୋଟିଏ ଓଭରରୁ ଅଭିଷେକ ୨୮ ରନ୍ ଆଦାୟ କରିବା ଉଲ୍ଲେଖନୀୟ ଥିଲା। ୩୩ ବଲ୍ରୁ ଅର୍ଦ୍ଧଶତକ କରିଥିବା ଅଭିଷେକ ପରବର୍ତ୍ତୀ ୫୦ ରନ୍ ପାଇଁ ମାତ୍ର ୧୩ ବଲ୍ ଖେଳିଥିଲେ। ଏପରିକି ୱେଲିଂଟନ୍ ମାସାକାଦଜାଙ୍କୁ ଚତୁର୍ଦଶ ଓଭରରେ ହ୍ୟାଟ୍ରିକ୍ ଛକା ମାରି ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ପୂରଣ କରିଥିଲେ। ନିଜର ଦ୍ବିତୀୟ ମ୍ୟାଚ୍ରେ ଶତକ ଅର୍ଜନ କରି ସେ ଦ୍ରୁତତମ ଭାରତୀୟ ବ୍ୟାଟର୍ ହୋଇଛନ୍ତି। ଏହାଦ୍ବାରା ସେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଦ୍ରୁତତମ ଶତକ ଅର୍ଜନ କରିବାରେ ରୋହିତ ଶର୍ମା (୩୫) ଓ ସୂର୍ଯ୍ୟକୁମାର ୟାଦବ (୪୫)ଙ୍କ ପରେ କେଏଲ୍ ରାହୁଲଙ୍କ ସହ ଯୁଗ୍ମ ତୃତୀୟ (୪୬)ରେ ଅଛନ୍ତି। କିନ୍ତୁ ଶତକ ଅର୍ଜନ କରିବାର ପରବର୍ତ୍ତୀ ବଲ୍ରେ ସେ ପଏଣ୍ଟ୍ ଅଞ୍ଚଳରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ତାଙ୍କ ସ୍ଥାନକୁ ରିଙ୍କୁ ସିଂହ ପୂରଣ କରିଥିଲା ବେଳେ ଗାଏକ୍ବାଡଙ୍କ ସହ ମିଶି ଦଳୀୟ ସ୍କୋର୍ ୨୦୦ ପାର୍ କରାଇଥିଲେ। ଶେଷ ୧୦ ଓଭରରେ ଭାରତ ୧୬୦ ରନ୍ ସଂଗ୍ରହ କରିଥିଲା ବେଳେ ଡେଥ୍ ଓଭରରେ ଗାଏକ୍ବାଡ ଓ ରିଙ୍କୁ ୮୨ ରନ୍ ଯୋଡ଼ିଥିଲେ। ଗାଏକ୍ବାଡ ଅର୍ଦ୍ଧଶତକ କରିବା ପରେ ଅଧିକ ଉଗ୍ର ହୋଇ ଖେଳିଥିଲା ବେଳେ ରିଙ୍କୁ ଅର୍ଦ୍ଧଶତକଠୁ ୨ ରନ୍ ଦୂରରେ ରହିଯାଇଥିଲେ। ତେବେ ଗାଏକ୍ବାଡ ତାଙ୍କର ଏହି ଅର୍ଦ୍ଧଶତକକୁ ରବିବାର ଜନ୍ମଦିନ ପାଳୁଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଉତ୍ସର୍ଗ କରିଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଜିମ୍ବାୱେ କିନ୍ତୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନିୟମିତ ବ୍ୟବଧାନରେ ଘରୋଇ ଦଳ ୱିକେଟ୍ ହରାଉଥିଲା ବେଳେ ମୁକେଶ କୁମାର (୩/୩୭) ଓ ଆୱେସ ଖାନ୍ (୩/୧୫) ଶୀର୍ଷକ୍ରମ ଭାଙ୍ଗି ଦେଇଥିଲେ। ଦ୍ରୁତ ଖେଳିବାକୁ ଆରମ୍ଭ କରିଥିବା ବ୍ରାଏନ୍ ବେନେଟ୍ (୨୬)ଙ୍କୁ ମୁକେଶ ବୋଲ୍ଡ କରିଥିଲା ବେଳେ କେବଳ ୱେସଲି ମାଧେଭେରେ (୪୩) ଓ ଲ୍ୟୁକ୍ ଜଙ୍ଗୱି (୩୩) ଅଧିକ ସମୟ ପାଇଁ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ କରିପାରିଥିଲେ।