ଅପରାଧ

ହନିଟ୍ରାପ୍ ମାୟାଜାଲରେ ୭୦ ଲକ୍ଷ ଗାଏବ୍: ଫସିଲେଣି କଟକରେ ୪ ଜଣ ବୃଦ୍ଧ, ମହିଳା

କଟକ: କଟକରେ ରହୁଥିବା ସରକାରୀ ଅଧିକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ହନିଟ୍ରାପ୍ ଗ୍ୟାଙ୍ଗ୍। ନିଜକୁ ଲଣ୍ଡନ, ନେଦରଲ୍ୟାଣ୍ଡ, ଇଂଲଣ୍ଡର ଡାକ୍ତର, ନୌସେନା ଅଧିକାରୀ ପରିଚୟ ଦେଇ ବିବାହର ପ୍ରତିଶ୍ରୁତି ଦେଉଛନ୍ତି। ଏହାପରେ ବିଦେଶୀ ମୁଦ୍ରା ସହିତ ଓଡ଼ିଶା ଆସୁଥିବା କହି ଦିଲ୍ଲୀ ବିମାନବନ୍ଦରରେ ଫସୁଥିବା ନାଟକ କରୁଛନ୍ତି। ଏହାପରେ କଟକର ସରକାରୀ ଚାକିରିଆଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟିନେଉଛନ୍ତି। ବର୍ତ୍ତମାନ ସୁଦ୍ଧା କଟକର ଚାରିଟି ଘଟଣାରେ ୭୦ ଲକ୍ଷ ୨୫ ହଜାର ହଡ଼ପ କରିନେଇଛନ୍ତି ଏହି ଗ୍ୟାଙ୍ଗ। ଏହି କାରବାରରେ ମୂଳ ଅପରାଧୀଙ୍କ ନିକଟରେ ପହଞ୍ଚିବା ବଡ଼ ଆହ୍ବାନ ହେଉଛି।

ସୂଚନା ଅନୁଯାୟୀ ବିଦେଶରୁ ଡାକ୍ତର, ନୌସେନା ଅଧିକାରୀଙ୍କ ପରିଚୟ ଦେଇ ଫୋନ୍ କରୁଥିବା ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ଦିଲ୍ଲୀ କୁତବ୍‌ ନଗର, ତିଲକ୍‌ ନଗର ଥାନା ମହାବୀର ନଗର, ବସନ୍ତ ବିହାର, ଉତ୍ତମ ନଗର ଥାନା ମୋହନ ଗାର୍ଡେନ୍‌, ସାହାଦର୍‌ର ପୂର୍ବ ବାବରପୁରରୁ ନାଇଜେରିଆନ୍‌ ଗ୍ୟାଙ୍ଗ ଦ୍ବାରା ନିୟନ୍ତ୍ରଣ ହେଉଛି। ଏମାନେ ଭାରତକୁ ଟ୍ୟୁରିଷ୍ଟ ଭିସାରେ ଆସି ଦିଲ୍ଲୀ ରହୁଛନ୍ତି। ସେହି ଅଞ୍ଚଳରେ ମାଛ, ପନିପରିବା ଓ ତେଜରାତି ଦୋକାନ ଖୋଲି ପାର୍ଟଟାଇମ୍ ବ୍ୟବସାୟ କରୁଛନ୍ତି। ଏମାନେ ହନିଟ୍ରାପ୍ କରିବା ପାଇଁ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌କୁ ମୁଖ୍ୟତଃ ବ୍ୟବହାର କରୁଛନ୍ତି। ଭର୍ଚୁଆଲ୍ ନମ୍ବରରେ ଫୋନ୍ କଲ୍ କରୁଛନ୍ତି। ଏହି ନମ୍ବର ସାଇବର୍ ଅପରାଧୀ ଠାବ କରିବା କଷ୍ଟକର। ଯେଉଁ ଆକାଉଣ୍ଟରେ ଏହି ଟଙ୍କା କାରବାର ହେଉଛି, ଏଗୁଡ଼ିକ ବିହାର, ମିଜୋରାମ୍‌, ମଣିପୁର, ସିକିମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରାରୁ ଭଡ଼ାରେ ଆସୁଥିବା ଜଣାପଡ଼ୁଛି। ଏହି ଆକାଉଣ୍ଟ ସମ୍ପର୍କରେ ଖୋଳତାଡ଼ କଲେ ବି ପ୍ରକୃତ ଅପରାଧୀଙ୍କ ନିକଟରେ ସାଇବର୍ ପୁଲିସ ପହଞ୍ଚିପାରୁନାହିଁ।

ଫସିଲେଣି କଟକରେ ୪ ଜଣ ବୃଦ୍ଧ, ମହିଳା
ଧରାପଡ଼ୁନାହାନ୍ତି ଅପରାଧୀ, ଜବତ ହେଉନି ଟଙ୍କା
ବିହାର, ମିଜୋରାମ, ମଣିପୁର, ସିକିମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରାର ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା

୨୦୨୨ ସେପ୍ଟେମ୍ବର୍‌ ୧୫ରେ ବିଡାନାସୀର ଜଣେ ଯୁବତୀ ହନିଟ୍ରାପ୍‌ର ଶିକାର ହୋଇଥିବା କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ପ୍ରଥମ ଏତଲା ହୋଇଥିଲା। ଲଣ୍ଡନରେ ନୌସେନାରେ କାମ କରୁଥିବା ସ୍କଟ୍‌ଲାଣ୍ଡର ଅହମ୍ମଦ୍‌ ଡାନିଆଲ୍‌ ବୋଲି ପରିଚୟ ଦେଇ ଜଣେ ଯୁବକ ବିଡ଼ାନାସୀ ଅଞ୍ଚଳର ଏହି ଯୁବତୀଙ୍କ ନିକଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଥିଲା। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତା’ ସୁନା ସମେତ ବିଦେଶୀ ବ୍ୟାଗ୍, ଚପଲ୍, ଡଲାର୍ ଗିପ୍ଟ କଷ୍ଟମ ବିଭାଗ ଅଧିକାରୀ ଜବତ କରିଥିବା କହି ଯୁବତୀଙ୍କୁ ଫୋନ୍ କରିଥିଲା। ଏହାକୁ ମୁକୁଳାଇବାକୁ କହି ଟଙ୍କା ଲୁଟିନେଇଥିଲା। ସେହିଭଳି ଦ୍ବିତୀୟ ଘଟଣାରେ କଟକର ଜଣେ ମହିଳା ଫସିଥିଲେ। ନେଦର୍‌ଲ୍ୟାଣ୍ଡର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ପରିଚୟ ଦେଇ ପଟ୍ରିକ୍‌ ଚିଜୋରୋମ୍ ଓରାଜାକ୍‌ କଥା ହୋଇଥିଲେ। ସେ ଓଡ଼ିଶା ଆସୁଥିବା କହି ନୂଆଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ବିଦେଶୀ ମୁଦ୍ରା କଷ୍ଟମ ଅଧିକାରୀ ଜବତ କରିଥିବା କହିଥିଲା। ଏହି ଟଙ୍କା ଛାଡ଼ କରିବାକୁ ହେଲେ ଟଙ୍କା ପଠାଇବାକୁ କହି କଟକର ମହିଳାଙ୍କ ନିକଟରୁ ୨୮ ଲକ୍ଷ ୬୮ ହଜାର ଟଙ୍କା ଲୁଟିନେଇଥିଲା। କ୍ରାଇମବ୍ରାଞ୍ଚ ପଟ୍ରିକ୍‌କୁ ୨୦୨୨ ଡିସେମ୍ବର ୧୫ରେ ନୂଆଦିଲ୍ଲୀ ବେଙ୍ଗଲୀ କଲୋନିରେ ଥିବା ମହାବୀର ଏନକ୍ଲେଭରୁ ଗିରଫ କରିଥିଲା।

ତୃତୀୟ ଘଟଣାରେ କଟକ ସହରରେ ରହୁଥିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ ପଦରୁ ଅବସର ନେଇଥିବା ଜଣେ ବରିଷ୍ଠ ନାଗରିକ ହନିଟ୍ରାପ୍‌ର ଶିକାର ହୋଇଥିଲେ। ଇଂଲଣ୍ଡ ମଞ୍ଚେଷ୍ଟର୍‌ରେ ରହୁଥିବା ଲିଓନା ଜିମି ନିଜକୁ ସୁନା ବ୍ୟବସାୟୀ ପରିଚୟ ଦେଇଥିଲା। ଭାରତ ଆସିଲେ ତାଙ୍କୁ ସୁନା ଉପହାର ଦେବାକୁ କହିଥିଲେ। ଦିଲ୍ଲୀରେ ଏୟାର ପୋର୍ଟରେ ୪୦ ହଜାର ପାଉଣ୍ଡ କଷ୍ଟମ୍‌ ଅଧିକାରୀ ଜବତ କରିଥିବା କହି ଏହାକୁ ଛାଡ଼ କରିବାକୁ ହେଲେ ଟଙ୍କା ପଠାଇବାକୁ ଲିଓନା କହିଥିଲେ। ଏଭଳି କହି ବରିଷ୍ଠ ନାଗରିକଙ୍କ ନିକଟରୁ ୨୦ ଲକ୍ଷ ୬୨ ହଜାର ଟଙ୍କା ଲୁଟିଥିବା ୨୦୨୩ ଜୁନ ୧୬ ରେ କଟକ ସାଇବର୍ ଥାନାରେ ଏତଲା ହୋଇଥିଲା। ଚତୁର୍ଥ ଘଟଣାରେ ବି କଟକର ଜିଲ୍ଲା ପ୍ରଶାସନରେ କାର୍ଯ୍ୟ କରୁଥିବା ବାରଙ୍ଗର ଜଣେ ମହିଳା କର୍ମଚାରୀ ଫସିଛନ୍ତି। ତିନିବର୍ଷ ହେବ ଫେସ୍‌ବୁକ୍‌ରେ ୟୁ.କେର ଡାକ୍ତର ପରିଚୟ ଦେଉଥିବା ରକି ତାଙ୍କ ନିକଟରୁ ୧୩ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ବ୍ରିଟିସ୍ ପାଉଣ୍ଡ ଫସିଥିବା ବେଳେ ଏହାକୁ ନେବାକୁ ହେଲେ ଟଙ୍କା ପଠାଇବା ନେଇ ରକି କହିଥିଲେ। କଟକର ମହିଳା କର୍ମଚାରୀଙ୍କ ନିକଟରୁ ଏଭଳି ଉପାୟରେ ଟଙ୍କା ଲୁଟିଥିଲେ। ଏହି ଟଙ୍କା ଉତ୍ତରପ୍ରଦେଶ ଓ ବିହାର ଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ସାଇବର୍ ଥାନା ପୁଲିସ ଏହି ମାମଲାଗୁଡ଼ିକର ଅଧିକ ଖୋଳତାଡ଼ କରୁଥିବା ବେଳେ ମୂଳ ଅପରାଧୀଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button