ମହାଦେବଙ୍କୁ କାହିଁକି ଏତେ ପ୍ରିୟ ବେଲପତ୍ର? ଶିବଲିଙ୍ଗରେ ଅର୍ପଣ କରିଲେ ମିଳିଥାଏ ମାତା ପାର୍ବତୀଙ୍କ ଆଶୀର୍ବାଦ
ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଜିନିଷ ବିଷୟରେ ଯେତେବେଳେ କଥା ଉଠେ ବେଲ ପତ୍ର ନାମ ପ୍ରଥମେ ଆସେ । ଆମେ ସମସ୍ତେ ଜାଣୁ ବେଲ ପତ୍ର ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଏବଂ ଶିବଲିଙ୍ଗ ଉପରେ ବେଲ ପତ୍ର ନ ଚଢ଼ାଇବା ପର୍ଯ୍ୟନ୍ତ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ମାନ୍ୟତା ରହିଛି ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରିଲେ ମହାଦେବ ଖୁସି ହୁଅନ୍ତି ଏବଂ ଭକ୍ତର ସମସ୍ତ ମନୋକାମନା ପୂରଣ ହୋଇଥାଏ ।
ତେବେ ହିନ୍ଦୁ ଧର୍ମରେ ମହାଦେବଙ୍କ ପୂଜା ବହୁତ ଖାସ ହୋଇଥାଏ ।
ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ଭୋଗ ନୈବେଦ୍ୟ ନୁହେଁ ବରଂ ଏକ ପାଣି ଢାଳ ଏବଂ କିଛି ବେଲ ପତ୍ର ହିଁ ଯଥେଷ୍ଟ । ଆଜି ଶ୍ରାବଣ ମାସ ଦ୍ଵିତୀୟ ସୋମବାର । ଶ୍ରାବଣ ମାସ ସୋମବାର ଦିନ ବିଭିନ୍ନ ଶୈବପୀଠ ଯାଇ ଶିବଙ୍କର ଜଳାଭିଷେକ କଲେ କୋଟି କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ମାସ ସୋମବାର ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀ ପୃଥିବୀକୁ ଆସି ସେମାନଙ୍କ ଭକ୍ତଙ୍କ ଉପରେ ଆଶୀର୍ବାଦ କରନ୍ତି । ତେବେ ଆଜିର ଏହି ପବିତ୍ର ଦିନରେ ଆମେ ଆପଣଙ୍କୁ ଜଣାଇବୁ ଭଗବାନ ଶିବଙ୍କର ବେଲ ପତ୍ର କାହିଁକି ଏତେ ପ୍ରିୟ ହୋଇଥାଏ ।
ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଶିବଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ମାତା ପାର୍ବତୀ କଠୋର ତପସ୍ୟା କରିଥିଲେ । ଏହି ତପସ୍ୟା ସମୟରେ ମାତା ପାର୍ବତୀ ପ୍ରତିଦିନ ଶିବଲିଙ୍ଗ ଉପରେ ଏକ ଢାଳ ପାଣି ଏବଂ ବେଲ ପତ୍ର ଅର୍ପଣ କରୁଥିଲେ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ତପସ୍ୟା ସମୟରେ ମାତା ପାର୍ବତୀ ପ୍ରଥମେ ଭଗବାନ ଶିବଙ୍କ ପାଦତଳେ ବେଲ ପତ୍ର ଚଢ଼ାଉଥିଲେ । ସେହି ଦିନରୁ ମହାଦେବଙ୍କର ବେଲ ପତ୍ର ଅତ୍ୟନ୍ତ ପ୍ରିୟ । ଏଭଳି ମଧ୍ୟ କୁହାଯାଏ ଯେଉଁ ଭକ୍ତ ମହାଦେବଙ୍କୁ କେବଳ ଜଳ ଏବଂ ବେଲ ପତ୍ର ସହିତ ପୂଜା କରିଥାନ୍ତି ତାଙ୍କ ବୈବାହିକ ଜୀବନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଭଳି ହୋଇଥାଏ । ଏହା ସହିତ ସେହି ଭକ୍ତ ମହାଦେବ ଏବଂ ମାତା ପାର୍ବତୀଙ୍କ ବିଶେଷ ଆଶୀର୍ବାଦ ପାଇଥାନ୍ତି ।
ଶ୍ରାବଣ ମାସ ମଧ୍ୟ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଏହି ମାସ ଭଗବାନ ଶିବଙ୍କ ପୂଜାର୍ଚନା ପାଇଁ ମଧ୍ୟ ବେଶ ଜଣାଶୁଣା । ଶ୍ରାବଣ ମାସରେ ଶିବ-ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧତା ଆସିଥାଏ । ଏହା ବ୍ୟତୀତ ବିବାହିତ ଜୀବନ ମଧ୍ୟ ସୁଖୀ ଏବଂ ସମୃଦ୍ଧ ରହିଥାଏ । ଏହା ବ୍ୟତୀତ ସୋମବାରକୁ ଭଗବାନ ଶଙ୍କରଙ୍କ ଖାସ୍ ଦିନ ବୋଲି କୁହାଯାଏ । ଏହି ବାରରେ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ମନକାମନା ପୂରା ହେବା ସହ ସେହି ଭକ୍ତ ସଦାସର୍ବଦା ଖୁସିରେ ରହିଥାଏ ।