ଚାଉଳ ଚୋରି ଧରିଲେ ଯୋଗାଣ ମନ୍ତ୍ରୀ ; ୨ ଅଧିକାରୀ ନିଲମ୍ୱିତ, ୨ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

କନକ ନ୍ୟୁଜର ମହାପ୍ରଭାବ । ଚାଉଳ ଚୋରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ। ୨ ଅଧିକାରୀଙ୍କୁ ନିଲମ୍ୱିତ କଲେ ରାଜ୍ୟ ସରକାର। କନକ ନ୍ୟୁଜରେ ଚାଉଳ ମହାଦୁର୍ନୀତି ଖବର ଆସିଲା ପରେ ଯୋଗାଣ ମନ୍ତ୍ରୀ ଏହାକୁ ଗୁରୁତର ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏମିତି କି ନିଜେ ମଧ୍ୟ ଗ୍ରାଉଣ୍ଡ ଭିଜିଟରେ ଯାଇଥିଲେ। ଆଉ ମୟୂରଭଞ୍ଜର ଜିଲ୍ଲା ଗସ୍ତ ବେଳେ ସେଠାରେ ବଡ଼ ଚାଉଳ ଘୋଟଲାର ସନ୍ଧାନ ପାଇଛନ୍ତି ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ବିଧାନସଭାରେ ସ୍ଥାନୀୟ ବିଧାୟକ ଚାଉଳ ଦୁର୍ନୀତି କଥା ଉଠାଇଥିଲେ। ମୁଁ ଏହାକୁ ଗୁରୁତର ସହ ନେଇ ମୟୂରଭଞ୍ଜ ଯାଇଥିଲି। ସେଠାରେ ମୁଁ ଅଫିସରଙ୍କ ସହ ଯାଇ ନିରୀକ୍ଷଣ କରିଥିଲି। ସେଠାରେ ଜଣା ପଡିଗଲା ୭ରୁ ୧୦ କେଜି ପର୍ୟ୍ୟନ୍ତ ଚାଉଳ ବସ୍ତା କମ ଥିଲା। ତେଣୁ ସେଥିରେ ଯେଉଁମାନେ ସମ୍ପୃକ୍ତ ଥିଲେ ଏମଆଇ, ଏସିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାସରିଲାଣି। ସେହି ହିସାବରେ ବ୍ଳକର ବିଇଓ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ ଥିବା ଅନୁମାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଯେଉଁ ବ୍ଲକରେ ଦୁର୍ନୀତି ହୋଇଛି ମାର୍କେଟିଙ୍ଗ ଅଫିସର ଓ ଏସିଏସଓଙ୍କ କର୍ତ୍ତବ୍ୟ ଥିଲା ସେମାନେ ଏ ଦୁର୍ନୀତିକୁ ଅନୁଧ୍ୟାନ କରିବା। ଏମିତି କି ଏ ଚୋରିରେ ସେମାନେ ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କୁ ସନ୍ଦେହ ହୋଇଛି। ଚାଉଳ ଚୋରି ନେଇ ପ୍ରମାଣ ମିଳିବା ପରେ ୨ ଜଣଙ୍କୁ ସସପେଣ୍ଡ କରାଯିବା ସହ ଗଣ ଶିକ୍ଷା ବିଭାଗର ଦୁଇ ଜଣ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ସେପଟେ ଏ ଦୁର୍ନୀତିରେ କେବଳ ଅଧିକାରୀ ନୁହଁନ୍ତି ଟ୍ରାନ୍ସପୋର୍ଟ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ମନ୍ତ୍ରୀ କହିଛନ୍ତି। ତାକୁ ଆହୁରି ଅନୁଧ୍ୟାନ କରାଯିବ। ଯିଏ ବି ସାମିଲ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ସରକାର ବଦଳିଛି। ଗୋଟେ ଦାନା ଚାଉଳ ଚୋରିକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।