କଟାକ୍ଷ କଲେ ଖଡ଼ଗେ: ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବ କି?
ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଡ଼ ପକାଇବାପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉଭୟ ନେତାଙ୍କୁ କଟାକ୍ଷ କରିଛନ୍ତି। ମଧ୍ୟପ୍ରଦେଶର ମହୁରେ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ଖଡ଼ଗେ କହିଛନ୍ତି, ଗଙ୍ଗାରେ ବୁଡ଼ ପକାଇଲେ କ’ଣ ଦାରିଦ୍ର୍ୟ ହଟିବ? ଏହା କ’ଣ ଖାଦ୍ୟ ଯୋଗାଇବ? ମୁଁ କାହାର ଧାର୍ମିକ ଭାବନାକୁ ଆଘାତ ଦେଉନାହିଁ ଏବଂ ଯଦି କାହାକୁ ମୋ କଥା କଷ୍ଟ ଦେଉଥାଏ ତେବେ ମୁଁ ଏଥିପାଇଁ କ୍ଷମା ମାଗୁଛି। କିନ୍ତୁ ଶିଶୁମାନେ ଭୋକରେ ମରୁଥିବାବେଳେ,ସ୍କୁଲ୍ ଯାଇ ପାରୁନଥିବାବେଳେ ଏବଂ ଶ୍ରମିକମାନେ ପାରିଶ୍ରମିକ ପାଉନଥିବାବେଳେ ବିଜେପି ନେତାମାନେ ଗଙ୍ଗାରେ ବୁଡ଼ ପକାଇବାପାଇଁ ପ୍ରତିଯୋଗିତା କରୁଛନ୍ତି। ସେମାନେ ଟିଭିରେ ଭଲ ଦେଖା ଯିବା ପର୍ଯ୍ୟନ୍ତ ଏଭଳି କରୁଛନ୍ତି ବୋଲି ଖଡ଼ଗେ କହିଛନ୍ତି।
ସନାତନ ଧର୍ମ ଉପରେ ଆକ୍ରମଣ: ବିଜେପି
ଦେଶ ଏଭଳି ଲୋକଙ୍କଠାରୁ ଉପକୃତ ହେବନାହିଁ। ଖଡ଼ଗେଙ୍କର ଏହି ଟିପ୍ପଣୀ ଉପରେ ବିଜେପି କଡ଼ା ଜବାବ ଦେଇଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଏହା ସନାତନ ଧର୍ମ ଉପରେ ଏକ ଆକ୍ରମଣ। ଖଡ଼ଗେ କ’ଣ ଅନ୍ୟ କୌଣସି ଧର୍ମ ସଂକ୍ରାନ୍ତରେ ଏଭଳି କହି ପାରିଥାନ୍ତେ। ଖଡ଼ଗେଙ୍କ ଏଭଳି ଟିପ୍ପଣୀ ନିନ୍ଦନୀୟ ଏବଂ କଂଗ୍ରେସ ଦଳ ଏଥିପାଇଁ ଜବାବ ଦେବା ଉଚିତ। ପାତ୍ର କହିଛନ୍ତି, ଇଏ ହେଉଛନ୍ତି ସେହି ସମାନ ଖଡ଼ଗେ ଯିଏ କି କ୍ଷମତାକୁ ଆସିଲେ ସନାତନ ଧର୍ମକୁ ନଷ୍ଟ କରିଦେବେ ବୋଲି କହିଥିଲେ। ବିଜେପିର ଅମିତ ମାଲବ୍ୟ କହିଛନ୍ତି ଗାନ୍ଧୀ ପରିବାରର କଥାକୁ ଖଡ଼୍ଗେ କହୁଛନ୍ତି। କଂଗ୍ରେସ କାହିଁକି ହିନ୍ଦୁମାନଙ୍କୁ ଏତେ ଘୃଣା କରୁଛି ବୋଲି ସେ କହିଛନ୍ତି।