ମଧ୍ୟପ୍ରଦେଶ-ଛତିଶଗଡ଼ ପାଇଁ ବିଜେପିର ନୂଆ ରଣନୀତି: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା – Ibnodisha
[ad_1]
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚକିତକାରୀ ପଦକ୍ଷେପ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଦୁଇ ରାଜ୍ୟରେ ଚଳିତ ବର୍ଷ ଶେଷଆଡ଼କୁ ନିର୍ବାଚନ ଥିବାବେଳେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବା ପୂର୍ବରୁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏବଂ ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ୩୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରିବାର ଦିନକ ପରେ ଆଜି ଏହି ଘୋଷଣା କରାଯାଇଛି।
ସୂଚନାନୁଯାୟୀ, ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପ୍ରାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦେବାପାଇଁ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ଗତକାଲିର ବୈଠକରେ ବରିଷ୍ଠ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଉଭୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ହାରିଥିଲା। କିନ୍ତୁ ମଧ୍ୟପ୍ରଦେଶରେ କଂଗ୍ରେସ କନ୍ଦଳର ଫାଇଦା ନେଇ ବିଜେପି ପୁଣି ସେଠାରେ କ୍ଷମତାକୁ ଆସିଥିଲା। ଦଳ ଦୁର୍ବଳ ଥିବା ଆସନଗୁଡ଼ିକ ଉପରେ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ବ ଦେଇଛି ଏବଂ ବିଜେପି ପୂର୍ବ ପରମ୍ପରା ଭାଙ୍ଗି ଏବେ ନୂଆ ରଣନୀତିରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଆଗକୁ ୫ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅଛି। ଉକ୍ତ ୫ ରାଜ୍ୟରୁ ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନା ଏବେ ବିରୋଧୀ ଦଳଙ୍କ ଦଖଲରେ ରହିଛି। ମଣିପୁର ହିଂସା ପାଇଁ ମିଜୋରାମରେ ବିଜେପିର ମେଣ୍ଟ ସହଯୋଗୀ ତଥା ଶାସକ ଦଳ ମିଜୋ ନେସନାଲ ଫ୍ରଣ୍ଟ୍ ସହ ଏହାର ସମ୍ପର୍କ ଖରାପ ହୋଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।
ଛତିଶଗଡ଼ ତାଲିକାରେ ବିଜେପି ଦୁର୍ଗ୍ ଲୋକସଭା ସାଂସଦ ବିଜୟ ବାଘେଲଙ୍କ ନାମ ରଖିଛି। ସେ ହେଉଛନ୍ତି ପାଟନର ପୂର୍ବତନ ବିଧାୟକ। ଚଳିତ ଥର ତାଙ୍କୁ ଏହି ସମାନ ଆସନରେ ପ୍ରାର୍ଥୀ କରାଯାଇଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ନାଁ ନାହିଁ। ମଧ୍ୟପ୍ରଦେଶରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟ ପ୍ରମୁଖ ମନ୍ତ୍ରୀମାନଙ୍କ ନାଁ ନାହିଁ। ଛତିଶଗଡ଼ରେ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୫ ଜଣ ମହିଳା ଅଛନ୍ତି। ତାଲିକାରେ ଏସ୍ଟି (ଅନୁସୂଚିତ ଜନଜାତି) ଶ୍ରେଣୀରୁ ୧୦ ପ୍ରାର୍ଥୀ ଅଛନ୍ତି ଏବଂ ଏସ୍ସି (ଅନୁସୂଚିତ ଜାତି) ଶ୍ରେଣୀରୁ ଜଣେ ପ୍ରାର୍ଥୀ ଅଛନ୍ତି। ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ପ୍ରଥମ ତାଲିକାରେ ୫ ମହିଳା ପ୍ରାର୍ଥୀଙ୍କ ନାମ ରଖିଥିବା ବେଳେ ଏସ୍ସି ଶ୍ରେଣୀରୁ ୮ ଏବଂ ଏସ୍ଟି ଶ୍ରେଣୀରୁ ୧୩ ପ୍ରାର୍ଥୀ ଦେଇଛି।
[ad_2]