ବଢୁଛି ଆଳୁ ଦର, ରାଜ୍ୟ ବାହାରୁ ରାଜ୍ୟକୁ ଆସୁନି ଆଳୁ

ରାଜ୍ୟ ବାହାରୁ ରାଜ୍ୟକୁ ଆସୁନି ଆଳୁ। ନା ଉତ୍ତର ପ୍ରେଦେଶରୁ ଆସୁଛି, ନାଁ ପଶ୍ଚିମବଙ୍ଗରୁ। ଉତ୍ତରପ୍ରଦେଶ ଆଳୁର ଗ୍ରହଣୀୟତା ନାହିଁ କି ବେଶୀ ଦିନ ରହିପାରୁନି। ତେଣୁ ଆଳୁ ସେଠୁ ଆଣିବାକୁ ପସନ୍ଦ କରୁନାହାନ୍ତି ଗୋଦାମ ମାଲିକ। ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ଆଳୁ ବଜାରରୁ ଉଭାନ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ୫ ହଜାର ଟନ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଏବେ ଯଥେଷ୍ଠ ଆଳୁ ଗୋଦାମରେ ମହଜୁଦ ନାହିଁ । ଗତକାଲି ମାତ୍ର ୪୦ଟି ଆଳୁ ଗାଡି ଓଡିଶାକୁ ଆସିଛି । ଭୁବନେଶ୍ବରକୁ ୫ଟି ଆଳୁ ଗାଡ଼ି ଆସିଛି । ପଶ୍ଚିମବଙ୍ଗରୁ ୪ଟି ଓ ୟୁପିରୁ ଗୋଟିଏ ଗାଡ଼ି ଆଳୁ ଆସିଛି । ତେଣୁ ଲୁଚାଛପାରେ ଆସୁଥିବା ଆଳୁ ଗାଡି ଆଉ ରାଜ୍ୟର ଆବଶ୍ୟକତା ପୂରଣ କରିପାରିବ ନାହିଁ ବୋଲି କୁହାଯାଇଛି । ହେଲେ ଯୋଗାଣ ମନ୍ତ୍ରୀ ପୁଣି ପଶ୍ଚିମବଙ୍ଗରୁ ଆଳୁ ମଗାଇ ଥିବା କହି ମାଡ଼ି ଆସୁଥିବା ସଂକଟକୁ ଏକ ପ୍ରକାରର ଆଖି ବୁଜି ଦେଇଛନ୍ତି । ସେପଟେ ନାଫେଡ ଜରିଆରେ ଉତ୍ତରପ୍ରଦେଶରୁ ଆସିବ ଆଳୁ। ଖାଉଟିମାନଙ୍କୁ ୩୦ ଟଙ୍କା ଆଳୁ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରର ସରକାରୀ ଖୁଚୁରା ଦେକାନରେ ଉପଲବ୍ଧ ହେବ । ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେୱାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।




