ବିଜେପିକୁ ‘ନବୀନ’ ଜରୁରୀ – Ibnodisha

[ad_1]
ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଅଚାନକ୍ ଓଡ଼ିଶା ଗସ୍ତରେ ଆସିବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ବେଶ୍ ସରଗରମ ହୋଇଛି । ବିଶେଷ କରି ରାଜ୍ୟରେ ବିଜେପି ଓ ବିଜେଡିର ଯେଉଁ ତିକ୍ତ ସମ୍ପର୍କ ରହିଛି ସେ କ୍ଷେତ୍ରରେ ଶାହଙ୍କ ଏହି ପ୍ରଶଂସାକୁ ରାଜନୈତିକ ମହଲରେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏହା ମଧ୍ୟ ସ୍ୱଭାବିକ୍ । ଏକଥା ବି ଉଠୁଛି ବିଜେପି ନେତାମାନେ ବିଜେଡି ଓ ନବୀନଙ୍କ ବିରୋଧରେ ଯେଉଁ ତୁମ୍ଭିତୋଫାନ କରୁଥିଲେ ସେ ସବୁ ଫୁସିକି ଗଲା ବୋଲି ଆଲୋଚନା ହେଉଛି । ବିଜେପି ନେତାମାନେ ଏବେ କବାଟ କିଳି କାନ୍ଦିବା ବ୍ୟତିତ ସେମାନଙ୍କ ପାଖରେ ଆଉ କିଛି ବାଟ ନାହିଁ ବୋଲି ଅନେକ ମତ ଦେଉଛନ୍ତି । ହେଲେ ମୁହଁ ବୁରୁଡ଼ି କାଢ଼ିବାରୁ ନେତାମାନେ ବିରତ ହେଉନାହାଁନ୍ତି । ରାଜନୀତିରେ ବଞ୍ଚିବା ପାଇଁ ସେମାନଙ୍କ ପାଖରେ ଅନ୍ୟ କିଛି ବାଟ ନାହିଁ ବୋଲି କୁହାଯାଉଛି ।
ଦିଲ୍ଲୀ ସରକାରଙ୍କ ବିରୋଧାଚରଣ କରିବା ଭଳି କେନ୍ଦ୍ର ସରକାର ପାର୍ଲମେଣ୍ଟରେ ଯେଉଁ ବିଲ୍ ଆଣିଥିଲେ ତାକୁ ବିଜେଡି ସମର୍ଥନ ଦେବା ପରେ ଅନେକ ରାଜନୈତିକ ପ୍ରଶ୍ନ ଉଠିଥିଲା । ସେ କ୍ଷେତ୍ରରେ ବିଜେଡି ସମଦୂରତା କଥା କହି ଟାଳି ଦେଇଥିଲେ ବି କେନ୍ଦ୍ର ସରକାରଙ୍କ କୌଣସି ବିଲ୍କୁ ବିଜେଡି ଆଜି ଯାଏଁ ବିରୋଧ କରିବା ଦେଖାଯାଇ ନଥିବାରୁ ଏଥିରେ କୌଣସି ନୂତନତା ନଥିବା କୁହାଗଲା । କିନ୍ତୁ ବିଜେପିକୁ ଯେତେବେଳେ ପ୍ରଶ୍ନ କରାଗଲା ସେମାନେ ପାଲଟା ଉତ୍ତର ଦେଲେ ବିଜେଡି କାହିଁକି ସମର୍ଥନ ଦେଲା ତାହା ତାଙ୍କୁ ପଚାର । ଏକଥା ଖୋଦ୍ ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ । ବିଲ୍ ପାରିତ ହେବା ପରେ ପରେ ଶାହ ଆସି ନବୀନଙ୍କୁ ପ୍ରଶଂସା କରି ଯିବାପରେ ଏବେ ରାଜ୍ୟ ସଭାପତି ଆଉ କହି ପାରିବେ କି ଯାଇ ବିଜେଡିକୁ ପଚାର । ଯେଉଁ କାର୍ଯ୍ୟକ୍ରମ ପାଇଁ ଶାହ ଓଡ଼ିଶା ଧାଇଁ ଆସିଲେ ତାହାର ଜରୁରୀ ଆବଶ୍ୟକତା ଥିଲା କି ଏ ପ୍ରଶ୍ନ ମଧ୍ୟ ଉଠୁଛି । ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ କରିବା ଓ ଶିଳାନ୍ୟାସ କରିବା କ’ଣ ଶାହଙ୍କ କାର୍ଯ୍ୟ । ଏଥିପାଇଁ କ’ଣ ଓଡ଼ିଶା ଆସିବା ଦରକାର ଥିଲା । କାରଣ ଜାତୀୟ ରାଜପଥ ପ୍ରକଳ୍ପ ଶାହଙ୍କ ମନ୍ତ୍ରଣାଳୟ ଅଧିନରେ ନାହିଁ । ଏହି କାର୍ଯ୍ୟକ୍ରମ ବି ବହୁ ଆଗରୁ ନିର୍ଦ୍ଧାରିତ ହୋଇ ନଥିଲା । ଶାହ ଦଳୀୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଦୁଇଥର ଆସିବେ ବୋଲି ସମୟ ସ୍ଥିର କରି ଆସି ନଥିଲେ । ଏବେ ଯେଉଁ ଆସିଲେ ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା । ଶାହ ନିଜେ ନ ଆସି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକ୍ରମ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ପଠାଇ ପାରିଥା’ନ୍ତେ । ଏବେ ପାର୍ଲମେଣ୍ଟ ଅଧିବେଶନ ଚାଲିଛି । ବିରୋଧୀ ସରକାରଙ୍କ ବିରୋଧରେ ଅନାସ୍ଥ ପ୍ରାସ୍ତାବ ଆଣିଛନ୍ତି । ମଣିପୁର ହିଂସା ଥମି ନାହିଁ । ଏ କ୍ଷେତ୍ରରେ ଜରୁରୀ ଆବଶ୍ୟକ ଥିଲେ ଭିଡିଓ କନ୍ଫେରେସିଂରେ ଦିଲ୍ଲୀରୁ ଶାହ ଏହି କାର୍ଯ୍ୟକ୍ରମ କରିପାରିଥା’ନ୍ତେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ନବୀନ ପଟ୍ଟନାୟକଙ୍କୁ ବଧାଇ ଜଣାଇବା ପାଇଁ ଓ ତାଙ୍କୁ ସବୁବେଳେ ଖୁସି ରଖିବା ଲାଗି ଏହି ଗସ୍ତ ଶାହଙ୍କର ଥିଲା ବୋଲି ଅନେକ ମତ ଦେଉଛନ୍ତି ।
ଏପରିକି ଆଗକୁ ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିଲ୍ର ଆଲୋଚନା ବି ରହିଛି । ବିଜେଡି ଯେ ସମର୍ଥନ ନଦେଲେ ଅନାସ୍ଥା ପ୍ରସ୍ତାବରେ ବିଜେପି ଲୋକସଭାରେ କି ରାଜ୍ୟ ସଭାରେ ହାରିଯିବ ଏକଥା ନୁହେଁ । ବିଜେପି ପାଇଁ ବଡ଼କଥା ହେଉଛି ବିରୋଧୀ ମେଣ୍ଟରେ ବିଜେଡି ସାମିଲ୍ ନହେବା ଓ ବିରୋଧୀଙ୍କୁ ଶକ୍ତିଶାଳୀ ନ କରିବା । ସେଥିପାଇଁ ଖାସ୍ ଶାହ ଦୌଡ଼ି ଆସିଥିଲେ ବୋଲି କହିଲେ ଅତ୍ୟୁକ୍ତିି ହେବ ନାହିଁ । ଏହି ଘଟଣା ପରେ ବିରୋଧୀ ମଧ୍ୟ ବେଶ୍ ଭଲ ଭାବରେ ବୁଝିପାରୁଥିବେ ବିଭିନ୍ନ ସମୟରେ ସେମାନେ ଯେଉଁ ଆଶା ରଖି ସେ ନୀତିଶ କୁମାର ହୁଅନ୍ତୁ କି ମମତା ବାନାର୍ଜୀ ହୁଅନ୍ତୁ ନବୀନଙ୍କୁ ଆସି ଭେଟୁଥିଲେ ତାହା ନିରର୍ଥକ ଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶାହ ଖାଲି ଓଡ଼ିଶା ଧାଇଁ ଆସି ନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଭଳି ଭାବରେ ପ୍ରଶଂସା କଲେ ତାହା ପଟାନ୍ତର ନାହିଁ । ନବୀନଙ୍କୁ ସିଧାସଳଖ କହିଲେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଅନ୍ୟ ଯାହା ପ୍ରଶଂସା କଲେ ତାହା ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ନେଇ କହିଲେ । ସେ ନକ୍ସଲ ପ୍ରସଙ୍ଗ ହେଉ ପ୍ରାକୃତିକ ବିପର୍ଯ୍ୟୟ କଥା ହେଉ । ରାଜ୍ୟ ସରକାର ଯେଉଁ ଭଲ କାମ କରିଛନ୍ତି ତାକୁ ଯେ କେହି ପ୍ରଶଂସା କଲେ ସେଥିରେ କିଛି ବ୍ୟତିକ୍ରମ ନାହିଁ । କିନ୍ତୁ ରାତି ପାହିଲେ ଯେପରି ବିଜେପିର ସାଂସଦଙ୍କ ଠାରୁ ବିଭିନ୍ନ ନେତାଙ୍କ ପର୍ଯ୍ୟନ୍ତ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଳି କରୁଛନ୍ତି ଓ ତାଙ୍କୁ ଅପାରଗ ବୋଲି ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି ସେମାନେ ଏବେ ଆତ୍ମସମୀକ୍ଷା କରିବା ଦରକାର ।
ଶାହ ବିଜେପିର ଜଣେ ସାଧାରଣ ନେତା କି କର୍ମକର୍ତ୍ତା ନୁହଁନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଦଳରେ ଯଦି କେହି ଗୁରୁତ୍ୱବହନ କରୁଥାଏ ସେ ହେଉଛନ୍ତି ଅମିତ ଶାହ । ସେ ଯେତେବେଳେ ଦିନେ ନବୀନଙ୍କୁ ଯେଉଁ ମୁହଁରେ ‘ପୋଡ଼ା ଟ୍ରାନ୍ସଫରମର୍’ କହୁଥିଲେ ସେହି ମୁହଁରେ ‘ଲୋକପ୍ରିୟ ନେତା’ ବୋଲି କହିବାକୁ ପଛାଇ ନାହାଁନ୍ତି । କାରଣ ଶାହ ଚାହିଁଥିଲେ ଏକଥାକୁ ଏଡ଼ାଇ ଯାଇ ଅନ୍ୟକିଛି ମତ ରଖି ପାରିଥାଆନ୍ତେ । ‘ଲୋକପ୍ରିୟ ନେତା’ କହି ନବୀନଙ୍କୁ ଖୁସି କରିବାକୁ ଶାହ ଚାହିଁଛନ୍ତି ଏଥିରେ ଦି୍ୱମତ ନାହିଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ହଡ଼ପ କରୁଛନ୍ତି, କାର୍ଯ୍ୟକାରି କରୁ ନାହାଁନ୍ତି, ବାଟମାରଣା କରୁଛନ୍ତି ବୋଲି ବିଜେପି ରାଜ୍ୟ ନେତାମାନେ କହି ଆସୁଛନ୍ତି ସେମାନଙ୍କ ମୁହଁକୁ ଶାହ ଏକ ଶକ୍ତ ଚାପୁଡ଼ା ଦେଇଛନ୍ତି ବୋଲି କୁହାଯାଉଛି । ଶାହ ନିଜେ କହିଛନ୍ତି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ନକ୍ସଲ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ସଫଳତାର ସହ କାର୍ଯ୍ୟକାରୀ କାରିଛନ୍ତି । ଏଣୁ ପୂର୍ବରୁ ଯାହା କୁହାଯାଉଥିଲା ଯେ, ବିଜେପି କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ବିଭିନ୍ନ ବାଧ୍ୟବାଧକତା ନେଇ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାଁନ୍ତି, ତାହା ସମ୍ପୁର୍ଣ୍ଣ ସତ ନୁହେଁ । ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିବା ଶାହ ଆସି ପ୍ରମାଣ କରି ଗଲେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।
The post ବିଜେପିକୁ ‘ନବୀନ’ ଜରୁରୀ appeared first on ONA KHABAR.
[ad_2]