ନଦୀମଙ୍କ ସ୍ବର୍ଣ୍ଣ ବିଜୟ ପଛରେ ନୀରଜ !

ପ୍ୟାରିସ: ବେଶି ପଛ କଥା ନୁହେଁ; ଗତ ମାର୍ଚ୍ଚରେ ଅର୍ଶଦ ନଦୀମଙ୍କ ନିକଟରେ ଜାଭେଲିନ୍ ନଥିଲା, ସେତେବେଳେ ନୀରଜ ଚୋପ୍ରା ସହାୟତାର ହାତ ବଢ଼ାଇଥିଲେ। ଏମିତି କି ନିଜେ ତାଙ୍କୁ ଜାଭେଲିନ୍ ଦେଇଥିଲେ। କେବଳ ସେତିକି ନୁହେଁ, ଅଲିମ୍ପିକ୍ସ ପାଇଁ ପ୍ୟାରିସ ଯିବାକୁ ନଦୀମଙ୍କ ପାଖରେ ଅର୍ଥାଭାବ ଥିଲାବେଳେ ନୀରଜ ବିଭିନ୍ନ ସୂତ୍ରରୁ ଚାନ୍ଦା ସଂଗ୍ରହ କରି ନଦୀମଙ୍କୁ ଦେବା ବ୍ୟବସ୍ଥା କରିଥିଲେ।
ଯେଉଁ ନଦୀମଙ୍କୁ ସାହାଯ୍ୟ କରି ତାଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ କରାଇଥିଲେ ନୀରଜ ସେହି ନଦୀମ ଏବେ ତାଙ୍କୁ ପରାସ୍ତ କରି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଏ କଥାକୁ ଅନ୍ୟ କେହି ସ୍ବୀକାର କରନ୍ତୁ ଅବା ନକରନ୍ତୁ ନିଜେ ନଦୀମ ସ୍ବୀକାର କରିବା ସହ ଏଭଳି ପ୍ରତିଦ୍ବନ୍ଦ୍ବିତା ଦୁଇ ଦେଶର ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ଦେଇଛନ୍ତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦ୍ବନ୍ଦ୍ବ ରହିଥିଲେ ମଧ୍ୟ ନୀରଜଙ୍କ ଆଭିମୁଖ୍ୟ ଉଭୟ ଦେଶର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ନୀରଜଙ୍କ ସହ ସେ ୧୧ଥର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କେବେ ତିକ୍ତତା ସୃଷ୍ଟି ହୋଇନାହିଁ। ଉଭୟ ଦେଶବାସୀ ଏଭଳି ମନୋଭାବକୁ ଅନୁସରଣ କରିବା ଉଚିତ। ସେମାନେ କ୍ରିକେଟ ଭଳି ଝଗଡ଼ାକୁ ଛାଡ଼ି କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି।