ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ପଣ୍ଟିଂଙ୍କ ଭବିଷ୍ୟତବାଣୀ, ଭାରତ ଜିତିବ କେବଳ ଗୋଟିଏ ମ୍ୟାଚ୍..

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ଓ ଜାନୁଆରୀ ମଧ୍ୟରେ ଖେଳାଯିବ। ଏଥର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ, ଯାହା ଏ ପର୍ଯ୍ୟନ୍ତ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳା ଯାଇ ଆସୁଅଛି। ଭାରତୀୟ ଦଳ ଲଗାତାର ଦୁଇ ଥର ଅଷ୍ଟ୍ରେଲିଆକୁ ତାରି ଘରେ ମାତ୍ ଦେଇଛି। ୨୦୨୩ରେ ଭାରତ ଘରୋଇ ମାଟିରେ କଙ୍ଗାରୁ ଦଳକୁ ୪-୧ରେ ହରାଇଥିଲା।କିନ୍ତୁ ଜୁନରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା।
ତେଣୁ ଦୁଇ ଦେଶ ମଧ୍ୟରେ ଆଗାମୀ ଟେଷ୍ଟ ସିରିଜ୍ ରୋମାଞ୍ଚକର ହେବାକୁ ଯାଉଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ଅଧିନାୟକ ରିକି ପଣ୍ଟିଂ ଏହି ଶୃଙ୍ଖଳାକୁ ନେଇ ଭବିଷ୍ୟତବାଣୀ କରିଛନ୍ତି।
ରିକି ପଣ୍ଟିଂ ଆଇସିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଏହା ବହୁତ ପ୍ରତିଯୋଗିତାମୂଳକ ଶୃଙ୍ଖଳା ହେବ। ମୋତେ ଲାଗୁଛି ଅଷ୍ଟ୍ରେଲିଆକୁ ନିଜ ମାଟିରେ ଭାରତ ବିପକ୍ଷରେ ବହୁତ କିଛି ସାବ୍ୟସ୍ତ କରିବାକୁ ପଡ଼ିବ। କାରଣ ଗତ ଦୁଇ ସିରିଜ୍ ଯାହା ଘଟିଗଲା, ତାହା କାହାକୁ ଅଛପା ନୁହେଁ। ଏବେ ଦୁଇ ଦେଶ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। କାରଣ ପୂର୍ବରୁ ୪ ମ୍ୟାଚ୍ର ସିରିଜ୍ ଖେଳା ଯାଉଥିଲା। ଏବେ ୫ ମ୍ୟାଚ୍ ହେବାରୁ ଏହାକୁ ନେଇ ସମସ୍ତେ ଉତ୍ସାହିତ। କିନ୍ତୁ ମ୍ୟାଚ୍ ଡ୍ର ହେବ ନାହିଁ ବୋଲି ରିକି ପଣ୍ଟିଂ କହିଛନ୍ତି।
ସେ କହିଛନ୍ତି , ମୁଁ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ସିରିଜ ଜିତୁ ବୋଲି ଚାହିଁବି। ମ୍ୟାଚ୍ ଡ୍ର ହେଉ କି ପାଣିପାଗ ଖରାପ ହେଉ, ମୁଁ ଚାହିଁବି ଅଷ୍ଟ୍ରେଲିଆ ୩-୧ରେ ସିରିଜ୍ ଜିତୁ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଗତ ୪ ଟେଷ୍ଟ ସିରିଜ୍ ଜିତିଛି। ଗତ ୧୦ ସିରିଜ୍ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩ ସିରିଜ୍ ଜିତିଛି, ଯାହା ଘରୋଇ ମାଟିରେ ଖେଳା ଯାଇଥିଲା। ତେଣୁ ଏମିତିରେ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।