IBN ଓଡ଼ିଶା ବ୍ୟୁରୋ

ଚିନ୍ତା ବଢ଼ାଉଛି ଫେସନ୍‌ ଉଦ୍ୟୋଗ

ଫେସନ୍ ଉଦ୍ୟୋଗରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ଠାରୁ ଆରମ୍ଭ କରି ତାହାର ବିକ୍ରିବଟା ଯାଏ ପ୍ରତି ସ୍ତରରେ ଜୀବାଶ୍ମ ତୈଳର ବହୁଳ ବ୍ୟବହାର ହେଉଛି। ଫଳରେ ତାହା ଅନ୍ୟତମ ସର୍ବାଧିକ ପ୍ରଦୂଷଣକାରୀ ଉଦ୍ୟୋଗର ଅପଯଶ ମୁଣ୍ଡାଇ ଚାଲିଛି। ଜଳବାୟୁ ସଂକଟ ବଢ଼ିଚାଲିବା ସତ୍ତ୍ବେ ବିଭିନ୍ନ ଫେସନ୍ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ସେମାନଙ୍କ ଅଙ୍ଗାର ନିର୍ଗମନ ପରିମାଣକୁ ହ୍ରାସ କରିବାରେ ବିଫଳ ହୋଇଛନ୍ତି।

ଫଳରେ ବୈଶ୍ବିକ ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌ ଶିଳ୍ପଯୁଗ ସ୍ତରଠାରୁ ଦେଢ଼ ଡିଗ୍ରି ସେଲ୍‌ସିଅସ୍‌ ମଧ୍ୟରେ ସୀମିତ ରଖିବା ସମ୍ଭବ ହୋଇନାହିଁ। ଏପରିକି ବିଶ୍ବର ସର୍ବାଧିକ ଫେସନ୍ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନିମାନଙ୍କ ଭିତରୁ ଏକ-ଚତୁର୍ଥାଂଶ ମଧ୍ୟ ସେମାନଙ୍କ ପରିବେଶ ଅନୁକୂଳ ପଦକ୍ଷେପ ବାବଦରେ କିଛି ପ୍ରକାଶ କରୁନାହାନ୍ତି, ସତେ ଯେପରି ଜଳବାୟୁ ସଂକଟ ସେମାନଙ୍କ ପାଇଁ ଆଦୌ ପ୍ରାଥମିକତା ନୁହେଁ। ଏହା ହିଁ ପରିବେଶ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଅଙ୍ଗାରକାମ୍ଳ ପରି ବାଷ୍ପ ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା ଲାଗି ଫେସନ୍‌ ଶିଳ୍ପକୁ ମୁଖ୍ୟତଃ କମ୍‌ ବସ୍ତ୍ର ସାମଗ୍ରୀ ପ୍ରସ୍ତୁତ କରିବା ସହ ଜୀବାଶ୍ମ ତୈଳରୁ ପ୍ରସ୍ତୁତ ସିନ୍ଥେଟିକ୍‌ ପଦାର୍ଥର ବ୍ୟବହାରକୁ ଧୀରେ ଧୀରେ ହ୍ରାସ କରିବାକୁ ପଡ଼ିବ। ଏଥି ସହିତ ଉତ୍ପାଦ ପରିବହନ ପାଇଁ କମ୍‌ ବିମାନ ସେବାର ଉପଯୋଗ ମଧ୍ୟ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି।

ଫେସନ୍‌ ଉଦ୍ୟୋଗଗୁଡ଼ିକ ୨୦୧୮ ମସିହା ବେଳେ ନିର୍ଗମନ କରୁଥିବା ଅଙ୍ଗାରକାମ୍ଳ ପରିମାଣକୁ ୨୦୩୦ ମସିହା ସୁଦ୍ଧା ୫୫ ପ୍ରତିଶତ ହ୍ରାସ କରିବା ପାଇଁ କଣ୍ଟ ଦିଆଯାଇଥିଲା। ମାତ୍ର ଏକ ସମୀକ୍ଷାରୁ ସେମାନଙ୍କ ଭିତରୁ ପ୍ରାୟ ୫୮ ପ୍ରତିଶତ ଉଦ୍ୟୋଗର ଜଳବାୟୁ ଲକ୍ଷ୍ୟ ହାସଲରେ ସ୍ପଷ୍ଟ ପ୍ରଗତି ପରିଲକ୍ଷିତ ହୋଇନାହିଁ କି ସେ ବାବଦରେ ସେମାନେ କୌଣସି ପଦକ୍ଷେପ ସମ୍ପର୍କରେ ପ୍ରକାଶ ବି କରିନାହାନ୍ତି। ଏପରିକି ୮୬ ପ୍ରତିଶତ କମ୍ପାନି ସେମାନଙ୍କର କୋଇଲା ବ୍ୟବହାରକୁ ସମୟାନୁକ୍ରମେ ହଟାଇବା ପାଇଁ କୌଣସି ସାର୍ବଜନୀନ ଘୋଷଣା କରିନାହାନ୍ତି। କେବଳ ସେମାନେ ବ୍ୟବହାର କରୁଥିବା ବିଦ୍ୟୁତ୍‌ ଶକ୍ତି ପାଇଁ ଅଣପାରମ୍ପରିକ ଉତ୍ସର ଉପଯୋଗ କରୁଛନ୍ତି। ଅପରପକ୍ଷେ, ଉତ୍ପାଦ ପ୍ରସ୍ତୁତି ପାଇଁ ଆବଶ୍ୟକ ଉତ୍ତପ୍ତୀକରଣ ଓ ଶୀତଳୀକରଣ ସମେତ ପରିବହନ ଆଦି କ୍ଷେତ୍ରରେ ସେମାନେ ଜୀବାଶ୍ମ ତୈଳ ବ୍ୟବହାର କରି ଚାଲିଛନ୍ତି। ତେବେ ଜଳବାୟୁ ସଂକଟକୁ ପ୍ରାଧାନ୍ୟ ଦେଇ ସେମାନେ ସଂପୂର୍ଣ୍ଣ ଭାବରେ ସୌରଶକ୍ତି ଓ ପବନଶକ୍ତି ପରି ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ଆପଣେଇବାର ସମୟ ଆସିଛି। ଏହା ଦ୍ବାରା ସେମାନେ ଅଙ୍ଗାର ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା ସହ ଏକ ସ୍ଥାୟୀ ଉଦ୍ୟୋଗର ମାନ୍ୟତା ବହନ କରିପାରିବେ। ମୋଟାମୋଟି ଭାବେ ଅଙ୍ଗାରକାମ୍ଳ ପରି ବାଷ୍ପ ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା ଲାଗି ସେମାନଙ୍କୁ ମୁଖ୍ୟତଃ କମ୍‌ ବସ୍ତ୍ର ସାମଗ୍ରୀ ପ୍ରସ୍ତୁତ କରିବା ସହ ଜୀବାଶ୍ମ ତୈଳରୁ ପ୍ରସ୍ତୁତ ସିନ୍ଥେଟିକ୍‌ ପଦାର୍ଥର ବ୍ୟବହାରକୁ ଧୀରେ ଧୀରେ ହ୍ରାସ କରିବାକୁ ପଡ଼ିବ। ଏଥି ସହିତ ଉତ୍ପାଦ ପରିବହନ ପାଇଁ କମ୍‌ ବିମାନ ସେବାର ଉପଯୋଗ ମଧ୍ୟ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button