IBN ଓଡ଼ିଶା ବ୍ୟୁରୋ

୫୦ ହଜାର ଲାଞ୍ଚ ମାଗିଥିଲେ; ୧୦ ନେଇଥିଲେ, ବାକି ୪୦ ନେବା ବେଳେ ଧରାପଡ଼ିଲେ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୂତଳ ଜଳ ବିକାଶ ବିଭାଗର ବଲାଙ୍ଗିର ଡିଭିଜନର ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ। ତାଙ୍କଠାରୁ ୪୦ ହଜାର ଟଙ୍କା ଜବତ କରାଯାଇଛି।

ରାଜ୍ୟ ସରକାରଙ୍କ CHHATA ଯୋଜନାରେ ଭୂତର ଜଳର ପୁନଃଭରଣ ଓ ସଂରକ୍ଷଣ ପାଇଁ ସରକାରୀ ଓ ବେସରକାରୀ କୋଠାଗୁଡ଼ିକରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ କାର୍ଯ୍ୟ କରିଥିବା ଜଣେ କନ୍ସଲଟାଣ୍ଟଙ୍କ କନସଲଟାନ୍ସି ଫି’ ପ୍ରଦାନ କରିବାକୁ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଗତ ବର୍ଷେ ହେଲାଣି ଉକ୍ତ କନ୍ସଲଟାଣ୍ଟ ଜଣଙ୍କ ତାଙ୍କ ଫି’ ଦେବାକୁ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କୁ ଅନୁରୋଧ କରି ଆସୁଥିଲେ। କିନ୍ତୁ ୫୦ ହଜାର ନଦେଲେ ଫି’ ରିଲିଜ୍ କରିବେ ନାହିଁ ବୋଲି ଶ୍ରୀ ନାୟକ ତାଙ୍କୁ କହିଥିଲେ। ଫାଇଲ କାମ ଆଗକୁ ବଢ଼ାଇବାକୁ ଶ୍ରୀ ନାୟକ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ମାଗିଥିଲେ। କିଛି ଦିନ ତଳେ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ଉକ୍ତ କନସଲଟାଣ୍ଟ। ତଥାପି କାମ ନ ଆଗେଇବାରୁ ନିର୍ଯାତିତ ହେଉଥିବା ଅନୁଭବ କରି ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କଠାରୁ ସବୁ କଥା ଶୁଣିବା ପରେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କୁ ରଙ୍ଗେ ହାତ୍ ଧରିବା ପାଇଁ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରିଥିଲା।

ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଜିଓଲୋଜିଷ୍ଟ ଶ୍ରୀ ନାୟକଙ୍କୁ ବାକି ୪୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ। ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ଓ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲେ।

ଭିଜିଲାନ୍ସ ପକ୍ଷରୁ ଜିଓଲୋଜିଷ୍ଟ ଶ୍ରୀ ନାୟକଙ୍କ ବଲାଙ୍ଗିରର ଜ୍ୟୋତିନଗରପଡ଼ା ସ୍ଥିତ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଭିଜିଲାନ୍ସକୁ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ମିଳିଥିବା ଜଣାପଡ଼ିଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଭଡ଼ା ଘର ସହିତ ଆଉ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button