ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ୱର ୧୬, ପିଆର ଶ୍ରୀଜେଶଙ୍କ ସମ୍ମାନରେ ହକି ଇଣ୍ଡିଆର ବଡ଼ ନିଷ୍ପତ୍ତି
ହକି ଇଣ୍ଡିଆ ବୁଧବାର ଭାରତର ଅନ୍ୟତମ ମହାନ ଗୋଲକିପର୍ ପିଆର ଶ୍ରୀଜେଶଙ୍କ ଜର୍ସି ନମ୍ୱର ୧୬କୁ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛି । ଭାରତର ଏହି ଷ୍ଟାର ହକି ଖେଳାଳି ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଖେଳରେ ଦେଶକୁ ଲଗାତାର ଦ୍ୱିତୀୟ ଅଲିମ୍ପିକ୍ସ ପଦକ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଏହାପରେ ସେ ହକିରୁ ସନ୍ନ୍ୟାସ ଘୋଷଣା କରିଥିଲେ ।
ହକି ଇଣ୍ଡିଆ ମହାସଚିବ ଭୋଲା ନାଥ ସିଂହ ଘୋଷଣା କରିଛନ୍ତି ଯେ ୨ ଦଶନ୍ଧି ଯାଏ ୧୬ ନମ୍ୱର ଜର୍ସି ପିନ୍ଧିଥିବା ୩୬ ବର୍ଷୀୟ ଶ୍ରୀଜେଶ ଜୁନିଅର ହକି ଟିମର ରାଷ୍ଟ୍ରୀୟ କୋଚ୍ ଦାୟିତ୍ୱ ତୁଲାଇବେ । ସେ କହିଛନ୍ତି, ‘ଶ୍ରୀଜେଶ ଏବେଠାରୁ ଜୁନିୟର ଟିମର କୋଚ୍ ହେବେ ଏବଂ ଆମ ସିନିୟର ଟିମ୍ର ୧୬ ନମ୍ୱର ଜର୍ସିକୁ ରିଟାୟର ଦେଉଛୁ । ଜୁନିୟର ଟିମ୍ ପାଇଁ ୧୬ ନମ୍ୱର ଜର୍ସି ରିଟାୟର କରାଯାଇ ନାହିଁ ।’
ପ୍ୟାରିସରେ ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ କାଂସ୍ୟ ପଦକ ଜିତିଥିଲା । ଏହାପରେ ଶ୍ରୀଜେଶ ହକିକୁ ଅଲବିଦା କରିଥିଲେ । ଶ୍ରୀଜେଶ ଦୀର୍ଘ ୨୦ ବର୍ଷ ଧରି ଭାରତୀୟ ହକି ଟିମର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ମଧ୍ୟ ଶ୍ରୀଜେଶ ଚମତ୍କାର ପ୍ରଦର୍ଶନ କରି ବିରୋଧୀ ଟିମ୍ ସାମନାରେ ପାଚେରୀ ହୋଇ ଛିଡ଼ା ହୋଇଥିଲେ ।