ଭତ୍ତା ମିଳିବାରେ ବିଳମ୍ବ, ଗ୍ରାମବାସୀଙ୍କ ରାସ୍ତାରୋକ

ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆଜି ଖଜୁରିପଡା ବ୍ଲକ ଦୁତିପଡାଠାରେ ହିତାଧିକାରୀଙ୍କ ସମେତ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ଲୋକଙ୍କୁ ଭତ୍ତା ପ୍ରଦାନ କରାଯିବା ସହ ରାସ୍ତାରୋକ ହଟିଛି । ସୂଚନା ଅନୁଯାୟୀ, ଅନ୍ୟ ପଞ୍ଚାୟତରେ ଠିକ୍ ସମୟରେ ସମସ୍ତ ଭତ୍ତା ପ୍ରଦାନ କରାଯାଉଥିବାବେଳେ ଦୁତିପଡା ପଞ୍ଚାୟତରେ ଭତ୍ତା ପ୍ରଦାନରେ ବିଳମ୍ବ ଘଟୁଛି ।
ଫଳରେ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଭତ୍ତା ଦିଆଯିବ କହି ପଞ୍ଚାୟତ କାର୍ଯ୍ୟାଳୟକୁ ଡକା ଯାଇଥିଲା। କିନ୍ତୁ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଟଙ୍କା ଆଣିବା ପାଇଁ ବ୍ୟାଙ୍କକୁ ଯାଉଛି କହି ଚାଲି ଯାଇଥିଲେ। ଏଥିରେ ଉତ୍ତେଜିତ ହୋଇ ହିତାଧିକାରୀମାନେ ରାସ୍ତା ଅବରୋଧ କରି ବସି ରହିଥିଲେ । ଦିନ ଦଶଟାରୁ ଗୋଟାଏ ପର୍ଯ୍ୟନ୍ତ ଲୋକେ ଫୁଲବାଣୀ-ଭୂବନେଶ୍ୱର ୫୭ ନଂ ଜାତୀୟ ରାଜପଥ ଉପରେ ବସି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ, ଖଜୁରିପଡା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମୈତ୍ରେୟୀ ଶତପଥୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁଙ୍କ ସମେତ ଖଜୁରୀପଡା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହି ପଞ୍ଚାୟତରେ ଭତ୍ତା ପ୍ରଦାନର କୌଣସି ନିର୍ଦ୍ଦିଷ୍ଟ ତାରିଖ ରହୁ ନ ଥିବା ଅଭିଯୋଗ କରିଥିଲେ ହିତାଧିକାରୀ। ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ପଡି ରହୁଥିବାରୁ ଲୋକେ ବାରମ୍ବାର ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଥିଲା। ପରେ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଭତ୍ତା ପ୍ରଦାନ କରାଯିବାରୁ ଲୋକେ ରାସ୍ତାରୋକରୁ ହଟିଥିଲେ।



