ତତ୍କାଳୀନ ନାରାୟଣପାଟଣା ବିଡିଓ ଦିଲ୍ଲୀରୁ ଗିରଫ: ୮ବର୍ଷ ପରେ ମାଡ଼ିବସିଲା ଭିଜିଲାନ୍ସ – Ibnodisha

[ad_1]
ନିୟମିତ ସ୍ଥାନ ବଦଳାଉଥିଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଆଜି ଦିଲ୍ଲୀରୁ ଗିରଫ କରିଛି ଭିଜିଲାନ୍ସ। ୮ବର୍ଷ ହେଲା ଫେରାର ଥିବା ରମେଶ ବାରମ୍ବାର ପରିଚୟ ସହ ଠିକଣା ବଦଳାଉଥିଲେ। ତେଣୁ ବାରମ୍ବାର ଯୋଜନା କରି ଭିଜିଲାନ୍ସ ବିଫଳ ହେଉଥିଲା। ତେବେ ଆଜି ସେ ଆସାମରୁ ଦିଲ୍ଲୀ ଫେରିବା ପରେ ଭିଜିଲାନ୍ସ ମାଡ଼ିବସିଛି। ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପାଇଁ ନୂଆଦିଲ୍ଲୀସ୍ଥିତ ପଟିଆଲା ମେଟ୍ରୋପଲିଟାନ୍ କୋର୍ଟରେ ହାଜର କରାଯାଇଥିଲା। ଅନୁମତି ମିଳିବାରୁ ଭିଜିଲାନ୍ସ ଟିମ୍ ରମେଶଙ୍କୁ ଓଡ଼ିଶା ଆଣୁଥିବା ସୂଚନା ମିଳିଛି।
୨୦୧୦ରୁ ୨୦୧୪ ମସିହା ମଧ୍ୟରେ ନାରାୟଣପାଟଣା ବିଡିଓ ଭାବେ ରମେଶ ୩୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ତେଣୁ ଭିଜିଲାନ୍ସ ପକ୍ଷରୁ ୨୦୧୫ ମସିହାରେ ତାଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଥିଲା। ସେହିପରି କିଛି ପିଇଓଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବାରୁ ସେମାନଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତେବେ ସଂପୃକ୍ତ ପିଇଓମାନେ ଟଙ୍କା ଜମା କରି ଦୋଷମୁକ୍ତ ହୋଇଥିବା ବେଳେ ରମେଶ ଚକ୍ମା ଦେଇ ଫେରାର ହୋଇଯାଇଥିଲେ। ତେଣୁ ପଳାତକ ଘୋଷଣା କରି ରମେଶଙ୍କୁ ସନ୍ଧାନ କରୁଥିଲା ଭିଜିଲାନ୍ସ। ଅନ୍ୟପଟେ ଦିଲ୍ଲୀ ଚାଲିଯାଇ ବାରମ୍ବାର ପରିଚୟ ବଦଳାଉଥିଲେ ରମେଶ। ବାରମ୍ବାର ଠିକଣା ବଦଳାଇ ଭଡ଼ାଘରେ ରହୁଥିଲେ ବୋଲି ସୂଚନା ମିଳିଛି।
ଭିଜିଲାନ୍ସ ତଥ୍ୟ ଅନୁସାରେ ୨୦୧୫ ମସିହା ଏପ୍ରିଲ ୧୮ତାରିଖରେ ରମେଶଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ଟଭାପଦର ଏବଂ ମାନକିଣ୍ଡି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନକରି ୬ଲକ୍ଷ ଟଙ୍କା ହଡ଼ପ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା। ସେହିପରି ଏପ୍ରିଲ ୨୫ତାରିଖରେ ଡୁମିସିଲ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନକରି ୩ଲକ୍ଷ ହଡ଼ପ ଏବଂ ରାସ୍ତା ନକରି ୫ଲକ୍ଷ ହଡ଼ପ ନେଇ ମାମଲା ରୁଜୁ ହୋଇଥିଲା। କେଲୁବାଡ଼ିରେ ଡାଇଭରସନ ୱେୟାର ଓ ଫିଲ୍ଡ ଚ୍ୟାନେଲ ନିର୍ମାଣ ନକରି ୫ଲକ୍ଷ ଏବଂ ଉପରଗୁମାଣ୍ଡିରେ ସ୍ପ୍ରିଙ୍ଗ ବେସ୍ଡ ପାନୀୟ ଜଳ ଯୋଗାଣ ଓ ଫିଲ୍ଡ ଚ୍ୟାନେଲ ନିର୍ମାଣ ନକରି ୫ଲକ୍ଷ ହଡ଼ପ ନେଇ ମେ ପହିଲାରେ ମାମଲା ରୁଜୁ ହୋଇଥିଲା। ଗେହଚିଆରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ଦଳେଇପେଟାରେ କଂକ୍ରିଟ୍ ରାସ୍ତା ନିର୍ମାଣ ନକରି ୫ ଲକ୍ଷ ହଡ଼ପ, ମନରେଗା ଅନୁଦାନରୁ ୫ଲକ୍ଷ ଟଙ୍କା ହଡ଼ପ ନେଇ ଆହୁରି ଦୁଇଟି ମାମଲା ଭିଜିଲାନ୍ସ ରୁଜୁ କରିଥିଲା। କିନ୍ତୁ ଗିରଫ କରିବା ପୂର୍ବରୁ ଫେରାର ହୋଇଯାଇଥିଲେ ରମେଶ। ଅନ୍ୟପଟେ ବାରମ୍ବାର ପ୍ରୟାସ ସତ୍ତ୍ବେ ବିଫଳ ହୋଇଥିଲେ ସୁଦ୍ଧା ରମେଶଙ୍କ ପିଛା ଆଦୌ ଛାଡ଼ିନଥିଲା ଭିଜିଲାନ୍ସ। ରମେଶଙ୍କ ତଥ୍ୟ ସଂଗ୍ରହ ଜାରି ରଖିଥିଲା। କିଛି ଦିନ ତଳେ ରମେଶ ଆସାମର ଜୋରହାଟ ଯାଇଥିଲେ। ଆଜି ଦିଲ୍ଲୀ ଫେରିବା ପରେ ଏୟାରପୋର୍ଟରେ ପୂର୍ବରୁ ଅପେକ୍ଷା କରିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ୮ବର୍ଷ ଧରି ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରେ ରହିଥିଲେ ବୋଲି ପ୍ରାଥମିକ ସୂଚନା ମିଳିଛି। ଭିଜିଲାନ୍ସ ଟିମ୍ ଭୁବନେଶ୍ବର ପହଞ୍ଚିବା ପରେ ଅଧିକ ପଚରାଉଚରା କଲେ ସବିଶେଷ ତଥ୍ୟ ମିଳିବ ବୋଲି କହିଛି।
[ad_2]