ରାଜ୍ୟ

ବଳଭଦ୍ର ମହାପ୍ରଭୁ ଖସିପଡ଼ିବା ଘଟଣା, ଆସିଲା ୩ ଜଣିଆ ତଦନ୍ତ କମିଟି ରିପୋର୍ଟ

କାହା ଅସାବଧାନତାରୁ ଘଟିଥିଲା ବଡ ଅଘଟଣ ? ଆଡପ ମଣ୍ଡପ ପହଣ୍ଡି ବେଳେ ଚାରମାଳ ଉପରୁ ବଳଭଦ୍ର ମହାପ୍ରଭୁ ଖସିପଡ଼ିବା ଘଟଣାକୁ ନେଇ ଆସିଲା ତିନି ଜଣିଆ ତଦନ୍ତ କମିଟିର ରିପୋର୍ଟ । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ନିକଟରେ ୪ ପୃଷ୍ଠା ସମ୍ବଳିତ ରିପୋର୍ଟ ଦାଖଲ କରିଛି ତଦନ୍ତ କମିଟି । ତେବେ ଆଗାମୀ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ରିପୋର୍ଟ ଆଗତ ହେବା ପରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।
ସେପଟେ ତଦନ୍ତ ରିପୋର୍ଟ ପରିଚାଳନା କମିଟିରେ ଆଲୋଚନା କରିବା ବିଧି ବ୍ଯବସ୍ଥା ଥିବାରୁ ଆଲୋଚନା ପରେ ନିଷ୍ପତି ହୋଇ କାର୍ଯ୍ଯାନୁଷ୍ଠାନ ନିଆଯିବ । ଫଳରେ ଆଗାମୀ ଦିନରେ ଆଉ ଏଭଳି ଘଟଣା ଘଟିବ ନାହିଁ । ସେପଟେ ପହଣ୍ଡି ପାଇଁ ଏକ ଏସଓପି ହେବା ଦରକାର ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ।

ଜୁଲାଇ ୯ ତାରିଖ ସଂଧ୍ୟା । ରଥଯାତ୍ରା ଇତିହାସରେ ଘଟିଥିଲା ଅଭାବନୀୟ ଘଟଣା । ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରୁ ଝୁଙ୍କି ପଡ଼ିଥିଲେ ଶ୍ରୀବଳଭଦ୍ର । ଆଉ ବଳଭଦ୍ର ପଡ଼ିଯିବା ପରେ ସାରା ବିଶ୍ଵର ଜଗନ୍ନାଥପ୍ରେମୀ ସ୍ତବ୍ଧ ହୋଇଯାଇଥିଲେ । ଏଡ଼େ ବଡ଼ ଅଘଟଣ କେମିତି ଘଟିଲା, କିଏ ଏଥିପାଇଁ ଦାୟୀ ଚାଲିଲା କାରଣ । ଘଟଣାର ତଦନ୍ତ ପାଇଁ ଗଠନ ହେଲା ତିନି ଜଣିଆ କମିଟି । ଏବେ ଏହି ୩ ଜଣିଆ କମିଟି ସେମାନଙ୍କର ତଦନ୍ତ ରିପୋର୍ଟକୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ହସ୍ତାନ୍ତର କରିଛନ୍ତି । ୪ ପୃଷ୍ଠା ସମ୍ବଳିତ ଏହି ତଦନ୍ତ ରିପୋର୍ଟରେ ରହିଛି ଅନେକ ଗୁଡିଏ ତଥ୍ଯ। ବିଶେଷକରି ଆଡପ ମଣ୍ଡପ ପହଣ୍ଡି ବେଳେ ଘଟଣାକୁ ନେଇ ତଦନ୍ତ ପ୍ରକିୟାରେ ଭିଡିଓକୁ ନେଇ ଜେରା କରାଯାଇଛି ।

    1. ରଥ ଉପରୁ ସିଂହାସନରୁ ଶ୍ରୀବୀଗ୍ରହଙ୍କୁ ହଂସପଟାକୁ ଅଣାଯିବା ପରେ ସଠିକ ଭାବେ ଶ୍ରୀଅଙ୍ଗର ତ୍ରିମୁଣ୍ଡିରେ ଛାଟଣି ବା ପାଟଡୋର ସଠିକ ଭାବେ ବନ୍ଧାଯିବା ଆଦିର ଅନୁଧ୍ଯାନ କରିଥାନ୍ତି ବଳଭଦ୍ରଙ୍କ ମୁଖ୍ଯ ବାଡଗ୍ରାହୀ । ହେଲେ ତାର ସମୀକ୍ଷା ନକରି ପହଣ୍ଡି ପ୍ରସ୍ତୁତ କରିବା ହେଉଛି ପ୍ରଥମ ଅବହେଳା ।
    1. ରଥ ଉପରେ ପହଣ୍ଡିର ବିଧି ଅନୁଯାୟୀ ଅଭିଜ୍ଞ ସେବାୟତ ରହିବା କଥା ହେଲେ ଯୁବ ସେବାୟତଙ୍କ ଦ୍ୱାରା ପହଣ୍ଡି ଓ ଅଭିଜ୍ଞ ସେବାୟତଙ୍କ ଅନୁପସ୍ଥିତି ମଧ୍ଯ ଅଘଟଣର କାରଣ ।
    1. ତ୍ରିମୁଣ୍ଡିରେ ଛାଟେଣୀ ବା ପାଟଡୋର ସଠିକ ଭାବେ ରହିବାର ଦାୟିତ୍ୱ ହେଉଛି ସିଂହାରୀ ବା ପୁଷ୍ପାଳକ ସେବାୟତଙ୍କର । ହେଲେ ଅସାବଧାନତାରୁ ତାହା ସଠିକ ଭାବେ ଲଗାଯାଇନଥିବା ନେଇ ଉଠିଛି ପ୍ରଶ୍ନ ।
    1. ରଥ ଉପରେ ପହଣ୍ଡି ନୀତିରେ ବନ୍ଦାପନା ଓ ବିଡିଆ ମଣୋହି ନୀତିରେ ବିଳମ୍ବ ଯୋଗୁଁ ପହଣ୍ଡି ପୂର୍ବରୁ ସିଂହାସନରୁ ହଂସପଟା ନିକଟରେ ଅଧଘଣ୍ଟା ଧରି ରହିବା ଅଘଟଣର ଆଉ ଏକ କାରଣ ।
    1. ସେବାୟତଙ୍କ ମଧ୍ଯରେ ପହଣ୍ଡିରେ ସମନ୍ୱୟର ଅଭାବ ଓ ବିଡିଆ ମଣୋହି ବନ୍ଦାପନା ନୀତିରେ ବିଳମ୍ବ ।
    1. ଯୁବ ସେବାଯତଙ୍କ ମଧ୍ଯରେ ରଥ ଉପରେ ପହଣ୍ଡି ସମୟରେ ମୋବାଇଲ ବ୍ଯବହାର ଓ ସେଲଫି ନିଶା ।
    1. ପହଣ୍ଡି ସମୟରେ ରଥ ଉପରେ ଅଧିକ ସଂଖ୍ଯକ ସେବାୟତ ରହିବା ଦ୍ୱାରା ପହଣ୍ଡିରେ ହେଇଥିଲା ବିଭ୍ରାଟ ।
    1. ରଥ ଉପରେ ବିଶୃଙ୍ଖଳା ହେବା ରଥଯାତ୍ରା ବ୍ଯବସ୍ଥାବଳୀର ଖୋଲାଖୋଲି ଉଲଙ୍ଘନ ଆଦି ରିପୋର୍ଟରେ ଲେଖାଯାଇଛି ।
    1. ତଦନ୍ତ ପ୍ରକ୍ରିୟା ବେଳେ ପ୍ରଥମେ ବଳଭଦ୍ରଙ୍କ ବାଡଗ୍ରାହୀ ଓ ପରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ବରିଷ୍ଠ ସେବାୟତ , ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକଙ୍କ ସହ ପର୍ଯ୍ୟାୟ କ୍ରମେ ପଚରାଉଚରା କରାଯାଇ ବୟାନ ରେକର୍ଡ କରାଯାଇଥିଲା ।

ଘଟଣା ଦିନରେ ଉତ୍ତୋଳନ ହୋଇଥିବା ଭିଡିଓକୁ ରେଫରେନ୍ସ ବାବଦରେ ନେଇଥିଲା କମିଟି । ତଦନ୍ତ ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିରେ ପାରିତ ହେବା ପରେ ଯାହା ନିଷ୍ପତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ତାଙ୍କ ପାଇଁ ନୀତି ବିଳମ୍ବିତ ହୋଇଥିବା କଥାକୁ ବୀଡ଼ିଆ ମଣୋହି ସେବାୟତ ଅସ୍ବୀକାର କରିଛନ୍ତି । ପାଳିଆ ହଡପ ନାୟକଙ୍କ ପୁଅ କହିଛନ୍ତି ମହାପ୍ରଭୁଙ୍କ ନୀତିରେ ତାଙ୍କ ବାପାଙ୍କ ତରଫରୁ କୌଣସି ଭୂଲ ହୋଇନାହିଁ ।

ଘଟଣା ଦିନ ବଳଭଦ୍ରଙ୍କ ତ୍ରିମୁଣ୍ଡିରୁ ଛାଟେଣି ବା ପାଟ ଡୋର ଖସିଯିବାରୁ ଶ୍ରୀବିଗ୍ରହ ଚାର ଉପରୁ ଖସିଯିବା ଭିଡିଓରୁ ସ୍ପଷ୍ଟ ହୋଇଛି । ପହଣ୍ଡି ବେଳେ ଦଇତାପତି,ସୁଆର ମହାସୁଆର,ପୂଜାପଣ୍ଡା,ପୁଷ୍ପାଳକଙ୍କୁ ମିଶାଇ ଜଗନ୍ନାଥଙ୍କ ରଥରେ ୫୦ ଜଣ,ବଳଭଦ୍ରଙ୍କ ରଥରେ ୪୦ ଜଣ ଓ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ସମୟରେ ୧୦ ଜଣ ରହିବା ନିୟମ ରହିଥିବା ବେଳେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସିଂହାରୀ ସେବାୟତ।

ଶ୍ରୀମନ୍ଦିର ପରିଚାଳନା ନିଷ୍ପତି ଅନୁସାରେ ରଥ ଉପରେ ଅଘଟଣ ତଦନ୍ତ ରିପୋର୍ଟ ପରିଚାଳନା କମିଟିରେ ଆଲୋଚନା କରିବା ବିଧି ରହିଛି । ତେଣୁ ପରିଚାଳନା କମିଟିରେ ତଦନ୍ତ ରିପୋର୍ଟ ଉପରେ ଆଲୋଚନା କରାଯାଇ କାର୍ଯ୍ଯାନୁଷ୍ଠାନ ନିଆଯିବ । ଯାହା ଫଳରେ ଆଗାମୀ ଦିନରେ ଆଉ ଏଭଳି ଘଟଣା କୌଣସି ସେବାୟତମାନେ କରିବେ ନାହିଁ ।

ସେହିପରି ପହଣ୍ଡି ପାଇଁ ଏକ ଏସଓପି ହେବା ଦରକାର ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ବାଲୁକାଶିଳ୍ପୀ ପଦ୍ନଶ୍ରୀ ସୁଦର୍ଶନ ପଟ୍ଟନାୟକ। ଯାହାର ଭୁଲ ଥିବ ସେମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ହେଲେ ଆଗାମୀ ଦିନରେ ସେବାୟତମାନେ ଯତ୍ନବାନ ହେବେ ବୋଲି କହିଛନ୍ତି ବରିଷ୍ଠ ସେବାୟତ।

ବଳଭଦ୍ର ମହାପ୍ରଭୁ ପଡ଼ିଯିବା ଘଟଣାର ତଦନ୍ତ ପାଇଁ ଗଠିତ ତିନି ଜଣିଆ ଟିମ୍‌ରେ ଥିଲେ ଏଡିଏମ୍‌ କୈଳାଶ ନାୟକ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ସିଟିଡିଏସପି ପ୍ରଶାନ୍ତ ସାହୁ । ଏହି ୩ ଜଣିଆ କମିଟି ରିପୋର୍ଟ ଦାଖଲ କରିଥିବା ନେଇ ଏକ୍ସରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେବା ପରେ ଏବେ କଣ ରହୁଛି କାର୍ଯ୍ୟାନୁଷ୍ଠାନ ତାକୁ ଅପେକ୍ଷା କରି ରହିଛନ୍ତି ଜଗନ୍ନାଥପ୍ରେମୀ ।

Related Articles

Leave a Reply

Your email address will not be published. Required fields are marked *

Back to top button