ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ, ଲାଗି ହୁଏ ତିନିଗୋଟି ଆଜ୍ଞାମାଳ ଓ ଚାରିଖଣ୍ଡ ପାଟ ରାକ୍ଷୀ

ପୁରୀ, ୧୯/୮: ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଏହି ପବିତ୍ର ଜନ୍ମୋତ୍ସବ ବିଧି ବିଧାନର ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଭୋଗ ମଣ୍ଡପ ବଢ଼ିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇ ମହାସ୍ନାନ ବଢ଼ିଥାଏ । ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଏ ।
ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ । ବଳଭଦ୍ରଙ୍କ ସମୁଖରେ କଳସ ସ୍ଥାପନକରାଯାଇ ଷଷ୍ଠିଦେବୀଙ୍କୁ ପୂଜା ସହିତ ସପ୍ତଚିରଞ୍ଜିବୀ ମାର୍କଣ୍ତ, ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, ଓ ପର୍ଶ୍ୱରାମ ପୂଜାବିଧି ସମାପନରେ ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ ।
ଏହା ପରେ ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ ଏବଂ ପୂଜାପଣ୍ଡା ୩ ଜଣ ଷୋଡ଼ଶ ଉପଚାରରେ ପୂଜା ମଣୋହି କରନ୍ତି । ଟେରା ଫିଟି ଆଳତି ହୁଏ । ଭିତରେ ପାଣି ପଡ଼ି ଧୋ ପଖାଳ ହୁଏ । ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି ଏହାପରେ ମୁଦିରସ୍ତ, ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ପୂଜାବିଧି ଶେଷ ହେବାପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିବା ତିନୋଟି ଆଜ୍ଞାମାଳକୁ ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନଙ୍କୁ ଲାଗି ହେବା ପରେ ଭୂଦେବୀ ଓ ଶ୍ରୀଦେବୀ ଝୁଲଣ ମଣ୍ତପକୁ ବିଜେ ହୋଇଥାନ୍ତି । ମଦନମୋହନ ନକ୍ଷେତ୍ର ବନ୍ଦାପନା ସାରି ଝୁଲଣ ମଣ୍ତପକୁ ଗମନ କରନ୍ତି ।
ସୁଦର୍ଶନ ବିଜେ ନିମନ୍ତେ ଦଇତାପତିମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆଯାଇଥାଏ ଏବଂ ଦଇତାମାନେ ଶ୍ରୀସୁଦର୍ଶନଙ୍କୁ ଚୋଉଦୋଳରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ, ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ । ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ୱର୍ଣ୍ଣ ଅଳଙ୍କାର ଯଥା: କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ । ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି ।
ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି । ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଂଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସମ୍ପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିଥାନ୍ତି । ବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥାନ୍ତି ।