IBN ଓଡ଼ିଶା ବ୍ୟୁରୋ

ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲ ପରୀକ୍ଷଣ; ପାରାଡ୍ରପ୍ କଲା ଭାରତୀୟ ସ୍ଥଳ ଓ ବାୟୁସେନା

 ଭାରତୀୟ ସ୍ଥଳସେନା ଓ ବାୟୁସେନା ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲକୁ ସଫଳତା ପୂର୍ବକ ପାରାଡ୍ରପ୍ କରିଛି । ପାରାଚ୍ୟୁଟ୍ ସହାୟତାରେ ଏହାକୁ ଓହ୍ଲାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି ଏ ସଂପର୍କରେ ସୂଚନା ଦିଆଯାଇଛି ।

ସେ ଅନୁସାରେ, ଭାରତରେ ନିର୍ମିତ ଏହି ପୋର୍ଟେବଲ ହସ୍ପିଟାଲକୁ ବାୟୁସେନାର ସି-୧୩୦ଜେ ହରକ୍ୟୁଲସ୍ ବିମାନ ଯୋଗେ ଏୟାରଲିଫ୍ଟ କରାଯିବା ସହିତ ୧୫ ହଜାର ଫୁଟ ଉଚ୍ଚତାରୁ ତଳକୁ ନିକ୍ଷେପ କରାଯାଇଥିଲା ।

ସ୍ଥଳସେନାର ପାରା ବ୍ରିଗେଡ୍ ଆଡ୍ଭାନ୍ସଡ ପ୍ରିସିଜନ୍ ଡ୍ରପ୍ ଇକ୍ୱିପମେଣ୍ଟସ୍ର ବ୍ୟବହାର କରି ଏହାକୁ ତଳକୁ ଆଣିଥିଲା । ତେବେ ପୋର୍ଟେବଲ ହସ୍ପିଟାଲକୁ କେଉଁଠାରେ ଡ୍ରପ୍ କରାଯାଇଛି ସେ ସଂପର୍କରେ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ ।

ସେହିପରି ଏହି ପରୀକ୍ଷଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ପାରାଡ୍ରପ୍ ଲାଗି ସ୍ଥଳସେନା ଓ ବାୟୁସେନାର ଯବାନମାନେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ଦୂର ଦୂରାନ୍ତର ଅଞ୍ଚଳରେ ଲୋକମାନଙ୍କୁ ଟ୍ରମା କେୟାରର ସୁବିଧା ପ୍ରଦାନ କରି ସେମାନଙ୍କର ଜୀବନରକ୍ଷା କରିବା ଏହା ପଛର ଉଦ୍ଦେଶ୍ୟ ।

ଏହି ପୋର୍ଟେବଲ ହସ୍ପିଟାଲର ନାମ ରହିଛି ‘ଆରୋଗ୍ୟ ମୈତ୍ରୀ ହେଲ୍ଥ କ୍ୟୁବ୍’ । ପ୍ରୋଜେକ୍ଟ ଭୀଷ୍ମ(ଭାରତ ହେଲ୍ଥ ଇନିସିଏଟିଭ୍ ଫର ସହଯୋଗ ହିତ ଆଣ୍ଡ ମୈତ୍ରୀ) ଅନୁସାରେ ଏହାକୁ ବିକଶିତ କରାଯାଇଛି । ଏହାର ଓଜନ ମାତ୍ର ୭୨୦ କିଲୋଗ୍ରାମ । ଏହି କ୍ୟୁବ୍ ବିଶ୍ୱର ପ୍ରଥମ ପୋର୍ଟେବଲ୍ ହସ୍ପିଟାଲ ବୋଲି କୁହାଯାଉଛି । ଭୂକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲିଆ କିମ୍ବା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଜରୁରିକାଳୀନ ମେଡିକାଲ୍ ସ୍ଥିତିରେ ଏହାକୁ ବ୍ୟବହାର କରିହେବ । ବଡ଼ ବଡ଼ ମେଳା ଲାଗୁଥିବା ସ୍ଥାନ, ସମାରୋହସ୍ଥଳରେ ବି ଏହି ପୋର୍ଟେବଲ ହସ୍ପିଟାଲ ଉପଯୋଗୀ ହୋଇପାରିବ।

ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ଏହା ମାତ୍ର ୧୫ ମିନିଟ୍ ମଧ୍ୟରେ ବ୍ୟବହାର ଲାଗି ପ୍ରସ୍ତୁତ ହୋଇଯିବ । ସେହିପରି ଘଣ୍ଟାଏ ମଧ୍ୟରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିହେବ । କ୍ୟୁବଟି ଉନ୍ନତ ଚିକିତ୍ସା ସୁବିଧା ବ୍ୟବସ୍ଥା ଦ୍ୱାରା ସୁସଜ୍ଜିତ । ସେଥିମଧ୍ୟରେ ଗୋଟିଏ ଅପରେସନ୍ ଥିଏଟର, ଗୋଟିଏ ମିନି ଆଇସିୟୁ, ଏକ୍ସରେ ମେସିନ୍, ରକ୍ତ ପରୀକ୍ଷଣ ଉପକରଣ, ଭେଣ୍ଟିଲେଟର, ଜେନେରେଟର, ଷ୍ଟ୍ରେଚର, ମଡ୍ୟୁଲାର ଚିକିତ୍ସା ଉପକରଣ ସାମିଲ । ତେଣୁ ଗୁଳିମାଡ଼ ଦ୍ୱାରା ଆହତ ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସାଠାରୁ ଆରମ୍ଭ କରି ଟ୍ରମା କେୟାର ଓ ଅନ୍ୟ ସ୍ୱାସ୍ଥ୍ୟ ସୁବିଧା ଏଥିରେ ମିଳିପାରିବ । ସୌର ଶକ୍ତି ଓ ବ୍ୟାଟେରୀ ଦ୍ୱାରା ଏହା ପରିଚାଳିତ । ଚଳିତବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ସମୟରେ ଏହି ହସ୍ପିଟାଲକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button