ରାଜ୍ୟ

ହାଇକୋର୍ଟଙ୍କ ଐତିହାସିକ ନିର୍ଦ୍ଦେଶ, ବିକ୍ରି ହେବ ଗିରଫ ଜାହାଜ ‘ଏମ୍‌ଭି ଦେବୀ’

ପାରାଦୀପ ବନ୍ଦର ଭିତରେ ଥିବା ପାରାଦୀପ ଇଣ୍ଟର୍ନ୍ୟାସନାଲ କାର୍ଗୋ ପ୍ରାଇଭେଟ୍ ଲିମିଟେଡ୍(ପିଆଇସିଟି)କୁ ବ୍ୟବହାର କରି ସେ ବାବଦ ୭କୋଟି ୯୫ ଲକ୍ଷ ଟଙ୍କାର ଭଡ଼ା ଅର୍ଥ ପଇଠ ନକରିବାରୁ ଗିରଫ ହୋଇଥିବା ଏମ୍ଭି ଦେବୀ ନାମକ ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଜାହାଜର ଭଡ଼ା ଅର୍ଥ ଦେବା ଲାଗି ଜାହାଜ ମାଲିକ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କେହି ଆଗେଇ ନଆସିବାରୁ ହାଇକୋର୍ଟର ବିଚାରପତି ତଥା ଆଡମିରାଲିଟି ଜଜ୍ ଜଷ୍ଟିସ୍ ଭି.

ନରସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜାହାଜକୁ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯିବା ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ଗତବର୍ଷ ଡିସେମ୍ବରରେ ଏହି ଜାହାଜରୁ ୨୦୦ କୋଟି କୋକେନ୍ ଜବତ ହୋଇଥିଲା, ଯାହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି, ଯଦି ଜାହାଜ ଗିରଫ ହୋଇ ପଡ଼ିରହେ ତାହେଲେ ଏହାର ମୂଲ୍ୟରେ ହ୍ରାସ ଘଟିବ । ତେଣୁ ଜାହାଜ ବିକ୍ରି ପାଇଁ ହାଇକୋର୍ଟ ଡେପୁଟି ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କୁ କୋର୍ଟ କମିସନର ଭାବେ ନିଯୁକ୍ତ ଦେଇଛନ୍ତି । ଜାହାଜର ମୂଲ୍ୟାୟନ ପାଇଁ କୋର୍ଟ କମିସନର ‘ଆଡୋନିଆ ଅଫ୍ ସୋର୍ କନ୍ସଲଟାଣ୍ଟ ପ୍ରାଇଭେଟ୍ ଲିମିଟେଡ୍’କୁ ନିଯୁକ୍ତ କରିବେ । ଜାହାଜ ବିକ୍ରି ଆଦି କାର୍ଯ୍ୟ ପାଇଁ ଆସନ୍ତା ୨୨ ତାରିଖ ସୁଦ୍ଧା ଆବେଦନକାରୀ ୩ଲକ୍ଷ ଟଙ୍କା ରେଜିଷ୍ଟ୍ରାର ଜୁଡିସିଆଲ୍ଙ୍କ ନିକଟରେ ଦାଖଲ କରିବେ । ଜାହାଜ ବିକ୍ରି ଲବ୍ଧ ଅର୍ଥରୁ ଆବେଦନକାରୀ ତାଙ୍କ ଟଙ୍କା ଫେରସ୍ତ ନେଇପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ଇଜିପ୍ଟରୁ ବାହାରିଥିବା ଏମ୍ଭି ଦେବୀ ଜାହାଜ ଇଣ୍ଡୋନେସିଆର ଗ୍ରେସିକ୍ ବନ୍ଦର ଦେଇ ଆସି ପାରାଦୀପରେ ପହଞ୍ଚିଥିଲା । ଏଠାରୁ ଡେନ୍ମାର୍କ ଅଭିମୁଖେ ଯିବାର ଥିଲା । ପାରାଦୀପରେ ପିଆଇସିଟିରେ ଏହି ଜାହାଜ ରହିଥିଲାବେଳେ ୨୦୨୩ ଡିସେମ୍ବର ପହିଲା ଦିନ ସେଥିରୁ ୨୨ କେଜିର କୋକେନ୍ ଜବତ ହୋଇଥିଲା । ଯାହାର ବଜାର ମୂଲ୍ୟ ୨୦୦ରୁ ୨୨୦ କୋଟି ହେବ ବୋଲି ଆକଳନ କରାଯାଇଥିଲା । ସେହିଦିନଠାରୁ ଏହି ଜାହାଜଟି ପାରାଦୀପରେ ଅଟକି ରହିଥିଲା । ଧାର୍ଯ୍ୟ ବନ୍ଦର ଭଡ଼ା ନଦେବାରୁ ପିଆଇସିଟି ହାଇକୋର୍ଟକୁ ଆସିଥିଲା । ଏମ୍ଭି ଦେବୀ ଜାହାଜ ଉପରେ ୭କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ବକେୟା ହୋଇଛି । ଏଥିରେ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଥିଲାବେଳେ ୫୦ ଲକ୍ଷ ଟଙ୍କାର ଆଇନଗତ ଖର୍ଚ୍ଚ ରହିଛି । ଏହି ଜାହାଜ ଧାର୍ଯ୍ୟ ଭଡ଼ା ନଦେବାରୁ ପିଆଇସିଟି ପ୍ରଥମେ ହାଇକୋର୍ଟରେ ଆଡମିରାଲଟି ଆଇନ୍ରେ (ଜୁରିସିଡିସ୍କନ୍ ଆଣ୍ଡ ସେଟେଲ୍ମେଣ୍ଟ୍ ଅଫ୍ ମାରିଟାଇମ୍ କ୍ଲେମ୍ସ)ରେ ମାମଲା ରୁଜୁ କରିଥିଲା । ହାଇକୋର୍ଟ ଗତ ଫେବ୍ରୁଆରୀ ୨୩ ତାରିଖରେ ଅନ୍ତରୀଣ ପିଟିସନ୍ ଉପରେ ଶୁଣାଣି କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button