ରାଜ୍ୟ

ଚିକିଟିରେ ଜଣଙ୍କ ଜୀବନ ନେଲା ବିଷାକ୍ତ ମଦ, ୨୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୭ ଗିରଫ

ପାତ୍ରପୁର/ଚିକିଟି/ବ୍ରହ୍ମପୁର, ୨୧/୦୮ : ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ୍ୟପାନ ଘଟଣା। ମଙ୍ଗଳବାର ମଧ୍ୟରାତ୍ରୀରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଚିକିଟି ଜେନାପୁରର ଜୁର ବେହେରା। ଏନେଇ ମୃତକଙ୍କ ସାନ ପୁଅ ଶବ ବେହେରା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ବିଷାକ୍ତ ଓ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗାଁର ୨୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ଗତକାଲି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ୪ ଜଣ ଭର୍ତ୍ତି ହେବା ପରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ଛୁଇଁଛି। ମାଉନ୍ଦପୁର ଗାଁରେ ବିକ୍ରି ହେଉଥିବା ବିଷାକ୍ତ ମଦ ପିଇ ସମସ୍ତେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଏବେ ସୁଦ୍ଧା ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଅନ୍ୟମାନେ ବ୍ରହ୍ମପୁର ଓ ଚିକିଟିରେ ଚିକିତ୍ସାଧୀନ ରହିଛନ୍ତି ।

ଏହି ଘଟଣା ପରେ ଆକ୍ସନ୍ ମୁଡ୍ରେ ଜିଲ୍ଲା ପ୍ରଶାସନ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅବକାରୀ ବିଭାଗ ଓ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ବାପ ପୁଅ ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ମାଉନ୍ଦପୁରର ନିର୍ମଳା ସାହୁ, ମାଉନ୍ଦପୁର ଗାଁର ବାୟା ସାହୁ, ତାଙ୍କ ପୁଅ ବାପିନି ସାହୁ, ରବି ସାହୁ, ଦେବରାଜ ବିଶୋଇ, ବିଷାକ୍ତ ମଦ ଯୋଗାଉଥିବା ଦିଗପହଣ୍ଡି ଥାନା ଇଲାକାର ସୁରେନ୍ଦ୍ର ମଲ୍ଲିକ ଓ ତାର ସହଯୋଗୀ ରାମ ମଲ୍ଲିକ । ଅନ୍ୟ ଜଣେ ଅଭିଯୁକ୍ତ ଜୁରିଆ ସାହୁ ଫେରାର୍ ରହିଛି । ଅବକାରୀ ବିଭାଗ ନିର୍ମଳା, ସୁରେନ୍ଦ୍ର ରାମକୁ ଗିରଫ କରିଥିବା ବେଳେ ଅନ୍ୟ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ।

ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅବକାରୀ କମିଶନର୍ ନରସିଂହ ଭୋଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ କମିଶନର୍, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅସୁସ୍ଥଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅବକାରୀ କମିଶନର୍ କେ.ନୂଆଗାଁ ଥାନାକୁ ଯାଇ ଗିରଫ ୬ ପୁରୁଷ ଅଭିଯୁକ୍ତଙ୍କୁ ଜଣଜଣ କରି ପଚରାଉଚରା କରିଛନ୍ତି । ଗଞ୍ଜାମ ଏସ୍ପି ଜଗମୋହନ ମୀନା ସୋମବାର ରାତିରେ ଚିକିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥିତି ପରଖିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button