ମସ୍କୋ ଉପରେ ୟୁକ୍ରେନ୍ର ବଡ଼ଧରଣର ଡ୍ରୋନ୍ ଆକ୍ରମଣ, ୪୫ ଡ୍ରୋନ୍କୁ ନଷ୍ଟ କଲା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା

ମସ୍କୋ: ରୁଷ ଉପରେ ୟୁକ୍ରେନ୍ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛି। ରାଜଧାନୀ ମସ୍କୋର ବିଭିନ୍ନ ସ୍ଥାନକୁ ଲକ୍ଷ୍ୟ କରି ଛଡ଼ାଯାଇଥିବା ଡ୍ରୋନ୍ ମଧ୍ୟରୁ ୪୫ଟି ଡ୍ରୋନ୍କୁ ରୁଷ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଛି। ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ରୁଷ୍ ସୀମାରେ ପଶିବା ମାତ୍ରେ ମୋଟ ୪୫ଟି ଡ୍ରୋନ୍କୁ ଧ୍ବସ୍ତ କରିଦିଆଯାଇଛି।
ସେମଧ୍ୟରୁ ୧୧ଟି ମସ୍କୋ ଅଞ୍ଚଳରେ ନଷ୍ଟ କରାଯାଇଥିବା ବେଳେ ୨୩ଟି ବ୍ରାୟାନସ୍କ ଅଞ୍ଚଳରେ, ୬ଟି ବେଲଗୋରୋଦ, ୩ଟି କାଲୁଗା ଓ ଦୁଇଟି କୁର୍ସ୍କ ଅଞ୍ଚଳରେ ନଷ୍ଟ କରାଯାଇଛି। ଏହି ଡ୍ରୋନ୍ ଆକ୍ରମଣ ପରେ ରୁଷ୍ର ଭ୍ନୁକୋଭ୍, ବୋମୋଦେଡୋଭ୍, ଜୁକୋଭିସ୍କି ବିମାନବନ୍ଦରରେ ବିମାନଚଳାଚଳକୁ ୪ ଘଣ୍ଟା ପାଇଁ ସୀମିତ କରାଯାଇଥିଲା। ଭୋର ୩ଟା ୩୦ ମିନିଟ୍ରେ ବିମାନଚଳାଚଳ ସ୍ବାଭାବିକ ହୋଇଥିଲା ବୋଲି ରୁଷ୍ ପ୍ରତିରକ୍ଷା ବିଭାଗ କହିଛି। ସୂଚନାଯୋଗ୍ୟ, ନାଟୋର ବିସ୍ତାରୀକରଣ ଓ ୟୁକ୍ରେନ୍କୁ ସଦସ୍ୟତା ପ୍ରଦାନ ପ୍ରସଙ୍ଗକୁ କେନ୍ଦ୍ରକରି ଫେବ୍ରୁଆରି ୨୦୨୨ରେ ୟୁକ୍ରନେ୍ ଉପରେ ରୁଷ୍ ଆକ୍ରମଣ କରିଥିଲା।
ଚଳିତ ମାସ ପ୍ରଥମ ସପ୍ତାହରେ ଉଭୟ ଦେଶର ଆକ୍ରମଣାତ୍ମକ ଆଭିମୁଖ୍ୟରେ କିଛି ପରିମାଣରେ ଶିଥିଳତା ଆସିଥିଲା। କିନ୍ତୁ ଅଗଷ୍ଟ ୬ରେ ୟୁକ୍ରେନ୍ ପ୍ରାୟ ୧୦ହଜାର ସୈନିକ ରୁଷ୍ର କୁର୍ସ୍କ ସୀମା ମଧ୍ୟକୁ ପଠାଇଥିଲା। ଏହାପରେ ଯୁଦ୍ଧ ପୁଣି ଭୀଷଣ ରୂପ ଧାରଣ କରିଛି।




