ରାଜ୍ୟ

ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା, ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ତିଶଗଡ ୨୩।୦୮: ଛତିଶଗଡ ରାୟଗଡରେ ଅଭାବନୀୟ ଘଟଣା । ଆଦିବାସୀ ମହିଳା ହେଲେ ଗଣଦୁଷ୍କର୍ମର ଶିକାର । ମଦ ନିଶାରେ ୮ ଜଣ ଲୋକ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ୨୭ ବର୍ଷୀୟ ମହିଳା । ଘଟଣାଟି ରାୟଗଡାର ପୁସୌର ଅଞ୍ଚଳର ଏକ ଗାଁରେ ଘଟିଛି ।

ଅଭିଯୋଗ ଅନୁଯାୟୀ ୧୨ ଅଗଷ୍ଟରେ ଘଟିଥିଲା ଏହି ଘଟଣା, ଯେତେବେଳେ କି ମହିଳା ଜଣକ ସ୍ଥାନୀୟ ଅଞ୍ଚଳକୁ ମେଳା ଦେଖିବାକୁ ଯାଉଥିଲେ ।

ରାସ୍ତାରେ ଯିବା ସମୟରେ ୮ଜଣ ଲୋକ ତାଙ୍କର ଅପହରଣ କରିଥିଲେ । ଏହାପରେ ତାଙ୍କୁ ଏକ ପୋଖରୀ ପାଖକୁ ନେଇଯାଇ ୫ ଘଣ୍ଟା ଧରି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ଘଟଣା ପରେ ମହିଳା ଜଣକ କୌଣସି ପ୍ରକାରେ ତାଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ଏହାପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ ସମସ୍ତ ଅଭିଯୁକ୍ତ ମଦ ନିଶାରେ ଥିଲେ । ମହିଳାଙ୍କୁ ଏକାକୀ ଦେଖି ଅପହରଣ କରିନେଇଥିଲେ । ତାଙ୍କ ସହିତ ଦୁଷ୍କର୍ମ କରିବା ପରେ ସେଠାରୁ ହୋଇଯାଇଥିଲେ ଫେରାର । ଏହି ଘଟଣାକୁ ନେଇ ରାୟଗଡ ପୋଲିସ ଅଧିକ୍ଷକ କହିଛନ୍ତି କି ୨୦ ଅଗଷ୍ଟକୁ ଆମକୁ ଏହି ସୂଚନା ମିଳିଥିଲା ଯେ ମହିଳାଙ୍କ ସହିତ ଗଣଦୁଷ୍କର୍ମ ହୋଇଛି ।

ଏହାପରେ ମାମଲା ରୁଜୁ ହେବା ସହିତ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ବର୍ତ୍ତମାନ ଯାଏଁ ଏହି ଘଟଣାରେ ୬ଜଣଙ୍କୁ କରାଯାଇଛି ଗିରଫ, ଆଗକୁ ତଦନ୍ତ ଜାରି ରହିବା ସହିତ ଫେରାର ଅଭିଯୁକ୍ତଙ୍କର ସନ୍ଧାନ ଜାରି ରହିଛି ।

ଏହାରି ମଧ୍ୟରେ ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘଟଣାକୁ ଅତ୍ୟନ୍ତ ଗମ୍ଭୀର ଦର୍ଶାଇବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି । ବଘେଲ ଟ୍ୱିଟରରେ ଲେଖିଛନ୍ତି, “ରାୟଗଡର ପୁସୌର ଅଞ୍ଚଳରେ ଘଟିଥିବା ବଳାତ୍କାର ଘଟଣା ଅତ୍ୟନ୍ତ ଗୁରୁତର । ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ପୀଡିତାଙ୍କୁ ସୁରକ୍ଷା ଦିଆଯିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button