IBN ଓଡ଼ିଶା ବ୍ୟୁରୋ

ଚନ୍ଦ୍ରକୁ ଲାଗିଲାଣି ଚୀନ ଗ୍ରହଣ, ଚନ୍ଦ୍ରପୃଷ୍ଠରୁ ବାହାର କରୁଛି ହିଲିୟମ୍‌, ପୃଥିବୀକୁ ଆଣିବାକୁ ଚାଲିଛି ପ୍ରୟାସ

ନୂଆଦିଲ୍ଲୀ ୨୪।୦୮: ଡ୍ରାଗନର ନୂଆ ଚାଲ୍ । ଏବେ ପୃଥିବୀକୁ ଛାଡି ଚନ୍ଦ୍ରରେ ନଜର । ଚନ୍ଦ୍ରପୃଷ୍ଠରୁ ବାହାର କରୁଛି ହିଲିୟମ୍ । କେବଳ ଯେ ବାହାର କରୁଛି ତା ନୁହେଁ । ଏହାକୁ ପୃଥିବୀପୃଷ୍ଠକୁ ଆଣିବାକୁ କରୁଛି ପ୍ଲାନିଂ । ଏଥିପାଇଁ ଚୀନ ବୈଜ୍ଞାନିକ ଚନ୍ଦ୍ରପୃଷ୍ଠରେ ଲଗାଇବେ ଏକ ମ୍ୟାଗନେଟିକ୍ ଲଞ୍ଚର । ଏହାକୁ ଏପରି ଡିଜାଇନ କରାଯାଇଛି ଯେ ଏଥିରେ ଚନ୍ଦ୍ରରୁ ହିଲିୟମ-୩ ଏବଂ ଅନ୍ୟ ମୂଲ୍ୟବାନ ରିସୋର୍ସକୁ ପୃଥିବୀକୁ ପଠାଯାଇପାରିବ ।

ସେ ଚନ୍ଦ୍ରପୃଷ୍ଟରେ ମ୍ୟାଗନେଟିକ୍ ଲଞ୍ଚର ସ୍ଥାପନ କରି ଅନ୍ତରୀକ୍ଷ ଖନନରେ କ୍ରାନ୍ତି ଆଣିବାକୁ ଯାଉଛି । ଚୀନ ଏପରି କରି ସେ ପୃଥିବୀରେ ସୃଷ୍ଟି ହେଉଥିବା ଶକ୍ତି ସଙ୍କଟର ସମାଧାନ କରିବାରେ ସହାୟକ ହୋଇପାରିବ ।

ତେବେ କଣ ଏହି ମ୍ୟାଗନେଟିକ୍ ଲଞ୍ଚର ? ଚୀନର ଏହି ଲଞ୍ଚର ଚନ୍ଦ୍ରପୃଷ୍ଠରୁ ପୃଥିବୀକୁ ମାଲ ପରିବହନ ପାଇଁ ବ୍ୟବହୃତ ହେବ । ଏଥିପାଇଁ ୧୮ ବିଲିୟନ ଡଲାରର ବଜେଟ୍ ପ୍ରସ୍ତୁତ ହୋଇଛି । ଅର୍ଥାତ୍ ପ୍ରାୟ ୧୫୧୦ ବିଲିୟନ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ଚନ୍ଦ୍ରପୃଷ୍ଟରେ ଏକ ୫୦ ମିଟର ରୋଟେଣ୍ଟିଙ୍ଗ ଆର୍ମ ନିର୍ମାଣ କରାଯିବ । ଏହାର ଅର୍ଥ ହେଉଛି ପ୍ରାୟ ୧୬୫ ଫୁଟ ଲମ୍ବର ଏକ ଡିଭାଇସ୍ ନିଜ ସ୍ଥାନରେ ସେତେବେଳେ ଯାଏଁ ଘୂର୍ଣ୍ଣନ କରିବ ଯେତେବେଳ ଯାଏଁ ଏହାର ବେଗ ପ୍ରତି ସେକେଣ୍ଡରେ ୨.୩୮ କିଲୋମିଟର ହୋଇନଯାଏ । ଘଣ୍ଟାପ୍ରତି ୮୫୬୮ କିଲୋମିଟର ବେଗରେ ପହଞ୍ଚିବା ପରେ ଏହା କ୍ୟାପସୁଲକୁ ପୃଥିବୀ ଆଡକୁ ପକାଇବ । ଯେଉଁଥିରେ ଚନ୍ଦ୍ରରୁ ଖନନ କରି ବାହାର କରାଯାଇଥିବା ହିଲିୟମ୍ କିମ୍ବା ଅନ୍ୟାନ୍ୟ ଶକ୍ତି ରହିଥିବ ।

ବୈଜ୍ଞାନିକଙ୍କ ଅନୁଯାୟୀ ଚନ୍ଦ୍ରର ବାୟୁମଣ୍ଡଳ ଅନନ୍ୟ ଏବଂ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବାସ୍ତବରେ ଚନ୍ଦ୍ରରେ କୌଣସି ଗୁରୁତ୍ବାକର୍ଷଣ ନାହିଁ । ଏହାର କୌଣସି ବାୟୁମଣ୍ଡଳ ମଧ୍ୟ ନାହିଁ । ଏପରି ସ୍ଥିତିରେ ଲଞ୍ଚରର ରୋଟେଣ୍ଟିଙ୍ଗ ଆର୍ମ ନିଜର ଗତିରେ ସହଜରେ ପହଞ୍ଚିବାରେ ସକ୍ଷମ ହେବ । ଏହାକୁ ଚଳାଇବା ପାଇଁ ସୋଲାର ଏବଂ ଆଣବିକ ଶକ୍ତିର ବ୍ୟବହାର କରାଯିବ । ଚୀନ ବୈଜ୍ଞାନିକମାନେ ପୃଥିବୀକୁ ହିଲିୟମ୍-୩ ଗ୍ୟାସ୍ ଆଣିବା ପାଇଁ ଏହି ଲଞ୍ଚର୍ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି ।

ବାସ୍ତବରେ ହିଲିୟମ୍-୩ ପୃଥିବୀରେ ସୀମିତ ପରିମାଣରେ ରହିଥିବା ବେଳେ ଚନ୍ଦ୍ରରେ ଏହାର ଭଣ୍ଡାର ରହିଛି । ବୈଜ୍ଞାନିକମାନେ ଏହାକୁ ଭବିଷ୍ୟତର ଇନ୍ଧନ ଭାବରେ ଦେଖୁଛନ୍ତି । ଯାହା ଏକ ପରିଷ୍କାର ଏବଂ ଅତ୍ୟନ୍ତ ସୁରକ୍ଷିତ ବିକଳ୍ପ । ଚୀନ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ମାତ୍ର ୨୦ ଟନ୍ ହିଲିୟମ୍ରେ ଚୀନ୍କୁ ପୁରା ଏକ ବର୍ଷ ପାଇଁ ବିଦ୍ୟୁତ୍ ମିଳିପାରିବ । ପୃଥିବୀ ବିଷୟରେ କହିବାକୁ ଗଲେ ଏଠାରେ ହିଲିୟମ୍-୩ର ପରିମାଣ ମାତ୍ର ୦.୫ଟନ୍ ରହିଥିବା ବେଳେ ଚନ୍ଦ୍ରରେ ଏହା ୧ ମିଲିୟନ୍ ଟନ୍ରୁ ଅଧିକ ହୋଇପାରେ । ଯଦି ଏହା ଚନ୍ଦ୍ରରୁ ପୃଥିବୀକୁ ଆସେ ତେବେ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ବିଶ୍ୱ ଶକ୍ତି ଆବଶ୍ୟକତା ପୂରଣ କରିପାରିବ ।

ଚୀନ ବୈଜ୍ଞାନିକ ପ୍ରସ୍ତୁତ କରିଥିବା ଏହି ଯୋଜନା ବେଶ୍ ଉତ୍ସାହଜନକ, କିନ୍ତୁ ଏହା ଆଗରେ ରହିଛି ବଡ ପ୍ରତିବନ୍ଧକ । ଏହାର ପ୍ରମୁଖ ପ୍ରତିବନ୍ଧକ ହେଉଛି ଚନ୍ଦ୍ରପୃଷ୍ଠରେ ଥିବା ଖାଲଢିପ । ଯାହା ଲଞ୍ଚର ସ୍ଥାପନ କରିବାରେ କଷ୍ଟକର ହୋଇପାରେ । ବୈଜ୍ଞାନିକମାନେ ୨୦୩୦ ସୁଦ୍ଧା ଲଞ୍ଚରର ପ୍ରମୁଖ ଉପାଦାନଗୁଡ଼ିକୁ ଏକତ୍ର କରିବାକୁ ଚେଷ୍ଠା କରୁଛନ୍ତି । ଆଉ ୨୦୪୫ ସୁଦ୍ଧା ଚନ୍ଦ୍ରରୁ ପୃଥିବୀକୁ ସମ୍ପତ୍ତି ଆଣିବା ପାଇଁ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button