ଏଲପିଜି ଠାରୁ ନେଇ ଫେକ୍ କଲ୍ ଯାଏଁ… ସେପ୍ଟେମ୍ଵରରେ ପରିବର୍ତ୍ତନ ହେବ ଏହି ସବୁ ନିୟମ, ସମସ୍ତଙ୍କ ପକେଟ ଉପରେ ପଡିବ ପ୍ରଭାବ
ନୂଆଦିଲ୍ଲୀ, ୨୪/୦୮ : ଆଉ ଦିନ କେଇଟା ପରେ ଶେଷ ହେବ ଅଗଷ୍ଟ ମାସ। ଆରମ୍ଭ ହେବ ସେପ୍ଟେମ୍ଵର। ଏଲପିଜି ସିଲିଣ୍ଡର ଠାରୁ ନେଇ କ୍ରେଡିଟ୍ କାର୍ଡ ଯାଏଁ ମାସ ଆରମ୍ଭରୁ ପରିବର୍ତ୍ତନ ହେବ ବିଭିନ୍ନ ନିୟମ। ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ ଏହାର ସିଧା ପ୍ରଭାବ। ଏତଦ୍ ବ୍ୟତୀତ ସରକାରୀ କର୍ମଚାରୀଙ୍କ ଡିଏକୁ ନେଇ ହୋଇପାରେ ବଡ଼ ଘୋଷଣା।
ତେବେ ଜାଣନ୍ତୁ ସେପ୍ଟେମ୍ଵର ଆରମ୍ଭରୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ଆଉ କାହା ଉପରେ ପଡ଼ିବ ଏହାର ସିଧା ପ୍ରଭାବ।
ଏଲପିଜି ସିଲିଣ୍ଡର ଦାମ୍ : ପ୍ରତି ମାସ ୧ ତାରିଖରେ ସରକାର ଏଲପିଜି ଦାମ୍ରେ ପରିବର୍ତ୍ତନ କରନ୍ତି। କମରସିଆଲ ଗ୍ୟାସ୍ ସିଲିଣ୍ଡର ଠାରୁ ନେଇ ଘରୋଇ ଗ୍ୟାସ୍ର ଦାମ୍ରେ ପରିବର୍ତ୍ତନ ହୁଏ। ଏଥର ମଧ୍ୟ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ରେ ପରିବର୍ତ୍ତନ ହୋଇପାରେ। ଗତ ମାସରେ କମରସିଆଲ୍ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ଜୁଲାଇ ମାସରେ ଏହାର ଦାମ୍ ୩୦ ଟଙ୍କା ହ୍ରାସ ପାଇଥିଲା।
ଏଟିଏଫ୍ ଏବଂ ସିଏନଜି-ପିଏନଜି ରେଟ୍ : ପ୍ରତି ମାସ ପହିଲାରୁ ଏଲପିଜି ସିଲିଣ୍ଡର ଦାମ୍ ସହ ଅଏଲ ମାର୍କେଟ କମ୍ପାନୀ ତରଫରୁ ଏୟାର ଇନ୍ଧନ ତଥା ଏୟାର ଟର୍ବାଇନ୍ ଫୁଏଲ୍ ଏବଂ ସିଏନଜି-ପିଏନଜି ଦାମ୍ରେ ସଂଶୋଧନ ହୁଏ। ତେଣୁ ସେପ୍ଟେମ୍ଵର ମାସ ଆରମ୍ଭରୁ ମଧ୍ୟ ଏହି ଦାମ୍ରେ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି।
ଫେକ୍ କଲ୍ ନିୟମରେ ପରିବର୍ତ୍ତନ : ସେପ୍ଟେମ୍ଵର ୧ରୁ ଫେକ୍ କଲ୍ ଏବଂ ମେସେଜ୍ ଉପରେ ଲାଗିବ ଲଗାମ। ଏଥିପାଇଁ ଟ୍ରାଇ ଟେଲିକମ୍ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଇ ଏକ ଗାଇଡଲାଇନ୍ ଜାରି କରିଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ନେଟଓ୍ବର୍କରେ କଲ୍ କରୁଥିବା ବ୍ୟକ୍ତିର ନାଁ ଫୋନ୍ ସ୍କ୍ରିନ୍ରେ ଦେଖାଇବାର ସେବା ଆରମ୍ଭ କରିବାର ସୁପାରିଶ କରିଛି। ଟ୍ରାଇ ନିଜ ସୁପାରିଶରେ କହିଛି, କଲିଂ ନେମ୍ ପ୍ରେଜେଣ୍ଟେସନ୍ (ସିଏନ୍ଏପି) ଅନୁରୂପକ ସେବା ଅନୁସାରେ, ମୋବାଇଲ ଫୋନ୍ର ସ୍କ୍ରିନ୍ରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ପ୍ରଦର୍ଶିତ କରିବାର ବ୍ୟବସ୍ଥା ଆରମ୍ଭ କରାଯିବ। ତେବେ ଏହି ସୁବିଧା ଗ୍ରାହକଙ୍କ ଅନୁରୋଧରେ ସବୁ ଟେଲିକମ୍ କମ୍ପାନୀକୁ ପ୍ରଦାନ କରାଯିବ। ଏହି ସୁବିଧା ଆରମ୍ଭ ହେବା ବେଳେ ଅଜଣା କଲ୍ରୁ ମୁକ୍ତି ମିଳିବାରେ ଖୁବ୍ ସାହାଯ୍ୟ ମିଳିବ। ସିଏନ୍ଏପି ସୁବିଧା ଲାଗୁ ହେବା ଫଳରେ ଗ୍ରାହକ ନିଜର ଫୋନ୍ ସ୍କ୍ରିନ୍ରେ କଲରର ନାଁ ଦେଖିପାରିବେ।
କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ : ସେପ୍ଟେମ୍ଵର ମାସରୁ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ଦେୟର ନ୍ୟୁନତମ ରାଶି ହ୍ରାସ କରିବ। ଦେୟ ତାରିଖ ମଧ୍ୟ ୧୮ ଦିନରୁ ୧୫ ଦିନକୁ ହ୍ରାସ କରାଯିବ।
ମହଙ୍ଗା ଭତ୍ତା : ସେପ୍ଟେମ୍ଵର ମାସରେ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ମହଙ୍ଗା ଭତ୍ତାକୁ ନେଇ ବଡ଼ ଘୋଷଣା କରିପାରନ୍ତି। ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ। ଏବେ ୫୦ ପ୍ରତିଶତ ଡିଏ ମିଳୁଛି। ଆଉ ୩ ପ୍ରତିଶତ ବଢିଲେ ମହଙ୍ଗା ଭତ୍ତା ୫୩ ପ୍ରତିଶତ ହେବ ବୋଲି ଜଣାପଡ଼ିଛି।