ରାଜ୍ୟ

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ରାଗିଂ: ପଞ୍ଚମ ବର୍ଷର ୧୭ ଛାତ୍ରଙ୍କ ନାଁରେ ମାମଲା, ତଦନ୍ତ କରିବ ପୋଲିସ

ଟକ,୨୫/୦୮: ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍ଏଲ୍ୟୁ-ଓ) କ୍ୟାମ୍ପସ୍ ଭିତରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଓ କନିଷ୍ଠ ଛାତ୍ରଙ୍କୁ ରାଗିଂ କରିବା ନେଇ ୧୭ ଜଣ ପଞ୍ଚମ ବର୍ଷ ଆଇନ ଛାତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି । କେତେଜଣ ପ୍ରଥମ ବର୍ଷ ଛାତ୍ରଙ୍କ ଅଭିଯୋଗ ଆଧାରରେ ହଷ୍ଟେଲ୍ ୱାର୍ଡେନ୍ ଏନେଇ ସିଡିଏ ଫେଜ୍-୨ ଥାନାରେ ଏତଲା ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ହେଉଛି, ରାଗିଂ ସମ୍ପର୍କରେ କାହିଁକି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲ ବୋଲି ଘଟଣାର ପରଦିନ ୫ମ ବର୍ଷ ଛାତ୍ରମାନେ ପୁଣି କନିଷ୍ଠ ଛାତ୍ରଙ୍କୁ ଧମକାଇଥିଲେ । ସେହି ଆଧାରରେ ଅନ୍ୟ ଏକ ଏତଲା ମଧ୍ୟ ଦାଏର ହୋଇଛି । ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ଯାଞ୍ଚ୍ କରାଯିବା ପାଇଁ ଏକ କମିଟି ଗଠନ କରାଯାଇ ଅଭିଯୋଗର ସଂପୂର୍ଣ୍ଣ ଛାନ୍ଭିନ୍ ହେଉଛି । କମିଟିର ଯାଞ୍ଚ୍ ଶେଷ ହେବାଯାଏ ଓ ପରବର୍ତ୍ତୀ ଆଦେଶ ଯାଏ ଏତଲାରେ ନାଁ ଥିବା ଛାତ୍ରଙ୍କୁ ହଷ୍ଟେଲ୍ରେ ନ ରହିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୧୭ ତାରିଖ ରାତିରେ ଅନ୍ୟ ଦିନ ଭଳି ବିଶ୍ୱବିଦ୍ୟାଳୟର ପଞ୍ଚମ ବର୍ଷର କିଛି ଛାତ୍ର କ୍ୟାମ୍ପସ୍ ବାହାରକୁ ବୁଲାବୁଲି କରିବାକୁ ଯାଇଥିଲେ । ଛାତ୍ରମାନେ ରାତି ପ୍ରାୟ ୧୨ଟା ବେଳେ କ୍ୟାମ୍ପସ୍କୁ ଫେରି ଏକ ଛୋଟ ମିନି ସାଉଣ୍ଡ୍ ବକ୍ସରେ ଗୀତ ବଜାଇ କ୍ୟାମ୍ପସ୍ ଭିତରେ ନାଚଗୀତ କରିଥିଲେ । ପରେ ସେମାନେ ପ୍ରଥମ ବର୍ଷ ଛାତ୍ର ରହୁଥିବା ହଷ୍ଟେଲ୍ ନମ୍ବର ୨ରେ ପହଞ୍ଚି କିଛି ଛାତ୍ରଙ୍କୁ ଡାକିଥିଲେ । ପଞ୍ଚମ ବର୍ଷ ଛାତ୍ର ରହୁଥିବା ହଷ୍ଟେଲ୍ ନମ୍ବର ୧ର ଛାତ ଉପରକୁ ସେମାନେ କନିଷ୍ଠ ଛାତ୍ରମାନଙ୍କୁ ଡାକି ନେଇଯାଇ ସେଠାରେ ବକ୍ସ ଲଗାଇ ନାଚ ଗୀତ କରିବା ସହିତ ପ୍ରଥମ ବର୍ଷ ଛାତ୍ରମାନଙ୍କୁ ରାଗିଂ କରିଥିଲେ । କ୍ୟାମ୍ପସ୍ ଭିତରେ ରାତି ଅଧରେ ହୋହାଲ୍ଲା ହେବାରୁ ଖବର ପାଇ ହଷ୍ଟେଲ୍ ୱାର୍ଡେନ ଓ ଅଧୀକ୍ଷକ ପହଞ୍ଚି ଛାତ୍ରମାନଙ୍କୁ ଏଥିରୁ ବିରତ ହେବା ପାଇଁ କହିଥିଲେ । ମାତ୍ର କେହି ଶୁଣି ନଥିଲେ । ଏ ଖବର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟରେ ପହଞ୍ଚିବା ପରେ ପୁଲିସର ହସ୍ତକ୍ଷେପ ଲୋଡ଼ାଯାଇଥିଲା ଓ ପୁଲିସ ପହଞ୍ଚିବା ପରେ ପାଟିତୁଣ୍ଡ, ହୋହାଲ୍ଲା ବନ୍ଦ ହୋଇଥିଲା ।

ପରଦିନ କୁଳପତିଙ୍କ ନିର୍ଦ୍ଦେଶରେ ହଷ୍ଟେଲ୍ ୱାର୍ଡେନ୍ ସିଡିଏ ଫେଜ୍-୨ ଥାନାରେ ଏତଲା ଦାଏର କରିଥିଲେ । ପୁଲିସ ଏକାଧିକ ଧାରାରେ ୧୨୫/୨୪ ନମ୍ବର କେସ୍ ରୁଜୁ କରିଛି । ତେବେ ଏତଲା ଦିଆଯିବାର କିଛି ସମୟ ପରେ ପଞ୍ଚମ ବର୍ଷର ୩ ଜଣ ଛାତ୍ର କ୍ୟାମ୍ପସ୍ ଭିତରେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଅଟକାଇ ଧମକ ଦେଇଥିଲେ । ଏହି ଅଭିଯୋଗ ୱାର୍ଡେନ ପାଇବା ପରେ ପୁଣି ଏକ ଏତଲା ଥାନାରେ ଦେଇଥିଲେ । ଏହା ପରେ ପୁଲିସ ୧୨୬/୨୪ ନମ୍ବର ମାମଲା ରୁଜୁ କରିଛି । କ୍ୟାମ୍ପସ୍ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ କରିବା ନେଇ ପଞ୍ଚମ ବର୍ଷର ୧୭ ଜଣ ଛାତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସେହିପରି ପରଦିନ ପ୍ରଥମ ବର୍ଷ ଛାତ୍ରଙ୍କୁ ଧମକ ଚମକ ଦେବା ଘଟଣାରେ ୩ ଜଣଙ୍କ ନାଁରେ ଆଉ ଏକ ମାମଲା ହୋଇଛି । ଦୁଇଟିର ତଦନ୍ତ ଜାରି ରହିଥିବା ଜୋନ୍ ଏସିପି ପ୍ରଦୀପ ରାଉତ ସୂଚନା ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ଆଭ୍ୟନ୍ତରୀଣ ଯାଞ୍ଚ୍ ପାଇଁ କୁଳପତି ନିର୍ଦ୍ଦେଶ ଦେବା ପରେ ଏକ ଉଚ୍ଚସ୍ତରୀୟ କମିଟି ଅନୁଧ୍ୟାନ କରିବାକୁ ସ୍ଥିର ହୋଇଛି । ଯାଞ୍ଚ୍ ଶେଷ ହୋଇ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯେଉଁ ଛାତ୍ରମାନଙ୍କ ନାଁରେ ଅଭିଯୋଗ ହୋଇଛି ସେମାନେ ହଷ୍ଟେଲ୍ରେ ରହିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button