ରାଜ୍ୟ

ନିଶ୍ଚିନ୍ତକୋଇଲିରେ ଛେଳି ଚୋରି ରାକେଟ ସକ୍ରିୟ, ୧୦୦ କିଲୋମିଟର ଗୋଡ଼େଇ ଚୋରକୁ ଧରିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି, ୨୭/୦୮ : ପ୍ରତିଦିନ ଗାଁରୁ ଛେଳି ଚୋରି ହେଉଥିଲା। ଗାଁ ଲୋକେ ପୁଲିସକୁ ଅଭିଯୋଗ କରୁଥିଲେ । କିନ୍ତୁ ଛେଳି ଚୋରି ଘଟଣାରେ ପୁଲିସର ଯାଏ ଆସେ କେତେ ? ଚୋରି ଘଟଣାକୁ ଅଣଦେଖା କରାଯାଉଥିଲା । କିନ୍ତୁ ଗାଁ ଲୋକେ ଛେଳି ଚୋରିକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ । ରବିବାର ଗାଁରୁ ଛେଳି ଚୋରି କରି ନେଉଥିବା ଏକ କାର୍କୁ ପିଛା କଲେ କିଛି ଲୋକ ।

କଟକ ନିଶ୍ଚିନ୍ତକୋଇଲିରୁ ଭୁବନେଶ୍ୱର ଖୋର୍ଦ୍ଧାର ତମାଣ୍ଡୋ ଯାଏ ପ୍ରାୟ ଶହେ କିଲୋମିଟର ପିଛା କରି ଗୋଡ଼େଇ ଗୋଡ଼େଇ ଛେଳି ଚୋରକୁ ମାଡ଼ି ବସିଲେ । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ଥାନା ମୁଗୁରିଆ ଗ୍ରାମରେ।

ନିଶ୍ଚିନ୍ତକୋଇଲି ବ୍ଲକ୍ର ମଣିଜଙ୍ଗ, ଉତ୍ତରକୂଳ ଓ ବାବୁଜଙ୍ଗ ପଞ୍ଚାୟତର ବିଭିନ୍ନ ଗାଁରୁ ନିୟମିତ ଛେଳି ଚୋରି ହେଉଥିଲା । ଛେଳି ଚୋର ର୍ୟାକେଟକୁ ଧରିବା ନିମନ୍ତେ ପୁଲିସ କୌଣସି ସହଯୋଗ କରୁନଥିଲା। ରବିବାର ରାତିରେ ମୁଗୁରିଆ ଗ୍ରାମର କୁମର ପୁହାଣଙ୍କ ଗୁହାଳରୁ ଦୁର୍ବୃତ୍ତମାନେ ୩ଟି ଛେଳି ଚୋରି କରି ଏକ କାର୍ରେ ନେଇ ଯାଇଥିଲେ। ଏହି ସମୟରେ କୁମରଙ୍କ ପରିବାର ଲୋକେ ଉଠିପଡ଼ିଥିଲେ । ଦୁର୍ବୃତ୍ତମାନେ କାର୍ରେ ଛେଳି ଚୋରି କରି ନେଇଯାଉଥିବା ଦେଖି ଗ୍ରାମର ୫ ଜଣ ଲୋକ ଅନ୍ୟ ଏକ କାର୍ରେ ଛେଳି ଚୋରଙ୍କ ପିଛା କରିଥିଲେ । ସୋମବାର ସକାଳେ ଛେଳି ଚୋରମାନେ ଭୁବନେଶ୍ୱର ଖୋର୍ଦ୍ଧା ରାସ୍ତାର ତମାଣ୍ଡୋ ନିକଟରେ ଜଣେ ବ୍ୟବସାୟୀଙ୍କୁ ଏହି ଛେଳି ୩ଟି ବିକୁଥିବା ବେଳେ ଗ୍ରାମବାସୀ ୩ ଛେଳି ଚୋରଙ୍କୁ କାବୁ କରିଥିଲେ । ଏପରିକି ଛେଳି ଚୋରମାନେ ବ୍ୟବହାର କରିଥିବା କାର୍ (ଓଡି ୦୨ ଏଏନ୍ ୮୧୫୪)କୁ ମଧ୍ୟ ଧରିଥିଲେ । ଗ୍ରାମବାସୀ ଛେଳି ଚୋର ଓ କାର୍କୁ ନିଜ ଗ୍ରାମକୁ ଉଠାଇ ଆଣିଥିଲେ। ଛେଳି ଚୋର ଧରା ହୋଇଥିବା ଖବର ପାଇ କୁମରଙ୍କ ଘରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଖବର ପାଇ ସ୍ଥାନୀୟ ଶାସକ ଦଳର ଜଣେ ଜଣାଶୁଣା ବ୍ୟକ୍ତି ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଘଟଣାର ଆପୋସ ବୁଝାମଣା କରିଥିଲେ । କୁମରଙ୍କୁ ତାଙ୍କ ୩ଟି ଚୋରି ଛେଳି ଫେରାଇ ଦେବା ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ମାହାଳ ହାଟ ଫାଣ୍ଡିରେ କୌଣସି ଅଭିଯୋଗ କରାଯାଇନଥିବା କାରଣରୁ ପୁଲିସ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଫାଣ୍ଡି ଅଧିକାରୀ ଅଜୟ କୁମାର ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ପୁଲିସ ନିଜ ଆଡୁ କାହିଁକି ମାମଲା ରୁଜୁ କରିବ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ନିକଟରେ ସ୍ଥାନୀୟ ମୁଗୁରିଆ ଗ୍ରାମର ଅବଲା ଦାସଙ୍କ ଗୁହାଳରୁ ୨୨ଟି ଛେଳି, ନିମାଇଁ ମହାପାତ୍ରଙ୍କ ଗୁହାଳରୁ ୨ଟି, ଧିର ମଳିକଙ୍କ ଗୁହାଳରୁ ୩ଟି ସମେତ ବିଭିନ୍ନ ଅଞ୍ଚଳରୁ ଶହେରୁ ଅଧିକ ଛେଳି ଚୋରି ହୋଇଥିବା କୁହାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button