ଜମିବ କଟକ ଦଶହରା, ଖାନ୍ନଗରରେ ଝଲସିବ ବୃନ୍ଦାବନର ବୈଷ୍ଣୋଦେବୀ ତୋରଣ
କଟକ,୨୭/୦୮: ଆସନ୍ତା ଦଶହରା ପାଇଁ ଖାନ୍ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ତାର ପ୍ରସ୍ତୁତିକୁ ଜୋର୍ଦାର୍ କରିଛି । ଏଥର ପୂଜାରେ ହେବାକୁ ଥିବା ସୁଉଚ୍ଚ ତୋରଣର ଡିଜାଇନ୍କୁ କମିଟି ପକ୍ଷରୁ ଚୂଡ଼ାନ୍ତ କରାଯାଇଛି । ଏଥର ମା’ ଦୁର୍ଗାଙ୍କ ଘର ସମ୍ମୁଖରେ ବୃନ୍ଦାବନରେ ଥିବା ମା’ବୈଷ୍ଣୋଦେବୀଙ୍କ ମନ୍ଦିର ସଦୃଶ୍ୟ ତୋରଣ କରାଯିବାକୁ ନିଷ୍ପତ୍ତି ହୋଇଛି ।
ପ୍ରାୟ ୬୦ ଫୁଟ୍ ଉଚ୍ଚର ଏକ ପାହାଡ଼ ନିର୍ମାଣ କରାଯିବ । ସେଥିରେ ମା’ଙ୍କ ମୂର୍ତ୍ତି ସହିତ ମା’ ଲକ୍ଷ୍ମୀ, ସରସ୍ୱତୀ ଓ ହନୁମାନଙ୍କ ମୂର୍ତ୍ତି ରହିବ ।
ସେହିପରି ବୃକ୍ଷଲତା ଓ ଜୀବଜନ୍ତୁ ନିରାପତ୍ତା ନେଇ ସଚେତନତା ବାର୍ତ୍ତା ମଧ୍ୟରେ ଏଥିରେ ଦେଖିବାକୁ ମିଳିବ । ସେହିପରି ଦଶ ମହାବିଦ୍ୟା ଓ ମା’ ବୈଷ୍ଣୋଦେବୀଙ୍କ ପୀଠର ଦର୍ଶନ ମଧ୍ୟ ଏଠାରେ ଶ୍ରଦ୍ଧାଳୁ କରିପାରିବେ । ଏହି ତୋରଣ ନିର୍ମାଣ କାମ କଟକ ଜଗତପୁର ନିକଟ ପଦ୍ମପୁରର ଜୟ ହନୁମାନ ଡେକୋରେଟର ରାଜକିଶୋର ସାହୁ ନିର୍ମାଣ କରିବେ । ନିର୍ମାଣ କାମ ଆସନ୍ତା ବୁଧବାରଠାରୁ ଶୁଭ ଦିଆଯାଇ କରାଯିବ । ପ୍ରାୟ ୩୫ ବର୍ଷ ପୂର୍ବେ ରାଜକିଶୋରଙ୍କ ବାପା ଖାନ୍ନଗର କମିଟି ପାଇଁ ପୁରୀ ଶ୍ରୀମନ୍ଦୀର ସଦୃଶ୍ୟ ତୋରଣ ନିର୍ମାଣ କରିଥିଲେ ବୋଲି କମିଟିର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ ସୂଚନା ଦେଇଛନ୍ତି ।