IBN ଓଡ଼ିଶା ବ୍ୟୁରୋ

ଗୁଜରାଟରେ ବର୍ଷା ତାଣ୍ଡବ : ଏପର୍ଯ୍ୟନ୍ତ ୨୮ ଜଣଙ୍କ ମୃତ୍ୟୁ, ୧୭ ହଜାରରୁ ଅଧିକ ରେସକ୍ୟୁ, ସେନା ନିୟୋଜିତ

ଗୁଜରାଟରେ ଲଗାଣ ବର୍ଷାରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ମଧ୍ୟ ସୌରାଷ୍ଟ୍ର ଅଂଚଳକୁ ପ୍ରବଳ ବର୍ଷା ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରବିବାର ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ୨୮ ଜଣଙ୍କ ମୃତ୍ୟୁ ହେଲାଣି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଏବେ ବି ଅନେକ ବନ୍ୟା ପାଣି ଘେରରେ ଫସି ରହିଛନ୍ତି ।

ମୌରବି ଜିଲ୍ଲାର ଧାବନା ଗାଁ ନିକଟେର ଏକ ପୋଲ ଉପରୁ ବନ୍ୟା ପାଣିରେ ଟ୍ରାକ୍ଟର ଟ୍ରଲି ଭାସିଯିବାରୁ ୭ ଜଣ ନିଖୋଜ ଥିଲେ । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଜୱା ଏବଂ ପ୍ରତାପପୁରା ଜଳଭଣ୍ଡାରର ବନ୍ୟା ଜଳ ବିଶ୍ୱମିତ୍ରି ନଦୀକୁ ନିଷ୍କାସନ କରାଯିବାରୁ ତଳମୁଣ୍ଡରେ ବନ୍ୟା ଆସିଛି । ଫଳରେ ବଦୋଦରା ଏବଂ ଅନ୍ୟ ସହରରେ ପାଣି ପଶିଯାଇଛି ।

ରେକର୍ଡ ବର୍ଷା ହେତୁ ଗୁଜରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ବର୍ଷା ଯୋଗୁଁ ଅନେକ ଟ୍ରେନ ରଦ୍ଦ କରିବାକୁ ପଡିଛି । ୧୯ରୁ ଅଧିକ ଟ୍ରେନ ରଦ୍ଦ ହୋଇଥିବା ବେଳେ ୯ରୁ ଅଧିକ ଟ୍ରେନ ପ୍ରଭାବିତ ହୋଇଛି । ଟ୍ରେନ ଟ୍ରାକରେ ପାଣି ଜମିବା ଯୋଗୁଁ ଟ୍ରେନ ରଦ୍ଦ ହୋଇଛି ।

ବଦୋଦରା ସହର ଦେଇ ବିଶ୍ବମିତ୍ରି ନଦୀ ପ୍ରବାହିତ ହେଉଥିବାରୁ, ଏଠାରେ ବନ୍ୟାର ପ୍ରଭାବ ଅଧିକ ରହିଛି । ରାଜ୍ୟର ୨୪ଟି ନଦୀରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର । ପାଣିପାଗ ବିଭାଗ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କ ସୂଚନା ଦେଇଛି । ଏସଡିଆରଏଫ, ଏନଡିଆରଏଫ ସହ ସେନା ଏବଂ କୋଷ୍ଟାଗାର୍ଡ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବନ୍ୟା ସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱାରକା, ଜାମନଗର, ରାଜକୋଟ ଏବଂ ପୋରବନ୍ଦରରେ ପ୍ରବଳ ବର୍ଷା ହୋଇଛି । ଭାରତୀୟ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button