IBN ଓଡ଼ିଶା ବ୍ୟୁରୋ

ଆପଣ ବି ହୋଇପାରିବେ ଜ୍ୟୋତିର୍ବିଜ୍ଞାନୀ!

କୃଷ୍ଣଗର୍ତ୍ତ ବା ବ୍ଲାକ୍ହୋଲ୍ ହେଉଛି ଏପରି ଏକ ମହାଜାଗତିକ ପିଣ୍ଡ, ଯାହାର ବସ୍ତୁତ୍ବ ତଥା ମାଧ୍ୟାକର୍ଷଣ ଶକ୍ତି ଏତେ ଅଧିକ ଯେ ତହିଁରୁ ଆଲୋକରଶ୍ମି ମଧ୍ୟ ଖସି ଯାଇପାରେନାହିଁ। ତେଣୁ ତାହା ଅଦୃଶ୍ୟପ୍ରାୟ ଜଣାପଡ଼େ। ସାଧାରଣତଃ କୌଣସି ବୃହତ୍ ତାରକାର ବିଲୟରୁ ହିଁ ବ୍ଲାକ୍ହୋଲ୍ର ସୃଷ୍ଟି ହୋଇଥାଏ। ବ୍ରହ୍ମାଣ୍ଡରେ ଏପରି ଅନେକ ବ୍ଲାକ୍ହୋଲ୍ ଅଛି।

ତେବେ ଆମର ନିକଟତମ ବ୍ଲାକ୍ହୋଲ୍ଟି ହେଉଛି ‘ଗାଲା ବିଏଚ୍-୧’, ଯାହା ଆମଠାରୁ ୧,୫୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ।

ଏମିତି ତ କଳା ରଙ୍ଗ ପାଇଁ ବ୍ଲାକ୍ହୋଲ୍କୁ ଠାବ କରିବା ମୁସ୍କିଲ, ତା’ ସହିତ ସେଗୁଡ଼ିକ ଆମଠାରୁ ଏତେ ଦୂରରେ ଅବସ୍ଥିତ ଯେ କେବଳ ଅତ୍ୟାଧୁନିକ ଦୂରବୀକ୍ଷଣରେ ହିଁ ସେଗୁଡ଼ିକର ସ୍ଥିତି ଠଉରେଇବା ସମ୍ଭବ। ତେବେ ଖୁସିର କଥା, ‘ଡଚ୍ ବ୍ଲାକ୍ହୋଲ୍ କନ୍ସୋର୍ଟିଅମ୍’ ନାମକ ଏକ ବୈଜ୍ଞାନିକ ଦଳ ସ୍ମାର୍ଟଫୋନ୍ ମାଧ୍ୟମରେ ବ୍ଲାକ୍ହୋଲ୍ ଠାବ କରିବା ପାଇଁ ‘ବ୍ଲାକ୍ ହୋଲ୍ ଫାଇଣ୍ଡର୍’ ନାମରେ ଏକ ଅଭିନବ ଆପ୍ ଗଢ଼ିଛନ୍ତି। ଏହି ମାଗଣା ଆପ୍ ଦ୍ବାରା ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଜଣେ ଜ୍ୟୋତିର୍ବିଜ୍ଞାନୀର ଭୂମିକା ନିଭାଇପାରିବେ। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପରିଚାଳିତ ଫୋନ୍ରେ ଉପଲବ୍ଧ ଏହି ଆପ୍ ଦ୍ବାରା ଯେ କେହି ନୂଆ ବ୍ଲାକ୍ହୋଲ୍ର ଆବିଷ୍କାରରେ ସହାୟକ ହୋଇପାରିବେ। ‘ବ୍ଲାକ୍ ହୋଲ୍ ଫାଇଣ୍ଡର୍’ ଆପ୍ ବ୍ୟବହାର ସମ୍ପର୍କରେ ଅଳ୍ପ ସମୟର ପ୍ରଶିକ୍ଷଣ ନେବା ପରେ ହିଁ ତାହାକୁ ବ୍ୟବହାର କରିହେବ। ଏହି ଆପ୍ଟି ମୂଳତଃ ଇଂରେଜୀ ଭାଷାରେ ଥିବା ବେଳେ ପରେ ତାହା ସ୍ପାନିସ୍, ଜର୍ମାନ୍, ଚୀନୀ, ଇଟାଲୀୟ, ପୋଲାଣ୍ଡୀୟ ଓ ବଙ୍ଗଳା ଭାଷାରେ ମଧ୍ୟ ଉପଲବ୍ଧ। ଏଥିରେ ବିଶେଷ କରି ଚିଲିଠାରେ ସ୍ଥାପିତ ‘ବ୍ଲାକ୍ଜେମ୍’ ଦୂରବୀକ୍ଷଣ ସମୂହ ଦ୍ବାରା ଉତ୍ତୋଳିତ ବିଭିନ୍ନ ଛବିକୁ ବିଶ୍ଳେଷଣ କରି ଅନ୍ତରୀକ୍ଷରେ ଘଟୁଥିବା ‘କିଲୋନୋଭା’ ନାମକ ମହାଜାଗତିକ ଘଟଣାକୁ ଅନୁଧ୍ୟାନ କରିହେବ।

‘ବ୍ଲାକ୍ ହୋଲ୍ ଫାଇଣ୍ଡର୍’ ଆପ୍ ଜରିଆରେ ଯେ କେହି ନୂଆ ବ୍ଲାକ୍ହୋଲ୍ ଆବିଷ୍କାରରେ ସହାୟକ ହୋଇ ବିଜ୍ଞାନର ଅଗ୍ରଗତିରେ ନିଜକୁ ଅଂଶୀଦାର କରିପାରିବେ

ଉଲ୍ଲେଖଯୋଗ୍ୟ, ଏକ ନବଜାତ ତାରକାକୁ ନୋଭା କୁହାଯାଏ, ଯାହାର କ୍ଷୀଣ ଆଲୋକ ତୀବ୍ର ଗତିରେ ଜାଜ୍ଜ୍ବଲ୍ୟମାନ ହେବାକୁ ଲାଗିଥାଏ। ‘କିଲୋନୋଭା’ କହିଲେ ହଜାରେ ଗୁଣ ଆଲୋକ ବିଶିଷ୍ଟ ନୋଭାକୁ ବୁଝାଯାଏ, ଯାହା ଦୁଇଟି ନ୍ୟୁଟ୍ରିନୋ ତାରକା ମଧ୍ୟରେ ଧକ୍କାଜନିତ ବିସ୍ଫୋରଣରୁ ସୃଷ୍ଟି ହୋଇଥାଏ। ପରୋକ୍ଷରେ କହିଲେ ଏହା ହିଁ ତାରକାର ମୃତ୍ୟୁ ତଥା କୌଣସି ବ୍ଲାକ୍ହୋଲ୍ର ଜନ୍ମକୁ ସୂଚାଇଥାଏ। ତେବେ ଅନେକ ସମୟରେ କୃତ୍ରିମ ସାଟେଲାଇଟ୍ରୁ ଆସୁଥିବା ସିଗ୍ନାଲ୍ ‘କିଲୋନୋଭା’ର ଭ୍ରମ ସୃଷ୍ଟି କରିଥାଏ। ତେଣୁ ସିଗ୍ନାଲ୍ ବାସ୍ତବ କି ନୁହେଁ ତାହା ଠାବ କରିବା ଲାଗି ମାନବ ହସ୍ତକ୍ଷେପ ଜରୁରି। ଏହି ଆପ୍ ଜରିଆରେ ଯେ କେହି ସାଟେଲାଇଟ୍ ଚିତ୍ର ଦେଖି ତାହା ବ୍ଲାକ୍ହୋଲ୍ର କି ନୁହେଁ ସୁନିଶ୍ଚିତ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button