IBN ଓଡ଼ିଶା ବ୍ୟୁରୋ

ସ୍ବପ୍ନ ରହସ୍ୟ: କେଉଁ ସ୍ବପ୍ନ ଦେଖିଲେ ଉଚ୍ଚପଦ ମିଳିଥାଏ

ମ ଭିତରୁ ଅଧିକାଂଶଙ୍କ ମନରେ ଲୁକ୍କାୟିତ ଇଚ୍ଛାଟିଏ ଥାଏ; ଏମିତି କିଛି ଘଟନ୍ତା କି ମୁଁ ରାତାରାତି ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି। କେବେ କେବେ ସେମିତି ଘଟେ। ଆଉ ବେଳେ ବେଳେ ସ୍ବପ୍ନ ଜରିଆରେ ଏହାର ଆଭାସ ମିଳିଥାଏ। ଆସନ୍ତୁ ସେଭଳି କିଛି ସ୍ବପ୍ନ ଓ ତା’ର ସମ୍ଭାବ୍ୟ ଫଳାଫଳ ସଂପର୍କରେ ଅବଗତ ହେବା।

ରାଜଭବନର ଶିଖର ଉପରେ ଚଢ଼ି ଯେଉଁ ବ୍ୟକ୍ତି ପକ୍ବାନ୍ନ ଭୋଜନ କରୁଥିବାର ଦେଖେ ବା ଯେଉଁ ବ୍ୟକ୍ତି ଅଗାଧ ଜଳ ଭିତରେ ପହଁରୁଥିବା ଦେଖେ ସେ ରାଜା ପରି ଉଚ୍ଚପଦ ଲାଭ କରେ ବୋଲି ‘ସ୍ବପ୍ନ କମଳାକର’ ଗ୍ରନ୍ଥରେ ଉଲ୍ଲେଖ ରହିଛି।

ପୁଣି ସ୍ବପ୍ନରେ ଯେଉଁ ବ୍ୟକ୍ତି ବାନ୍ତି ବା ବିଷ୍ଠାର ସ୍ବାଦ ଗ୍ରହଣ କରି ଖାଏ, ତାକୁ ଅଭକ୍ଷ ଭାବି ଘୃଣା କରେନାହିଁ, ସେ ବ୍ୟକ୍ତି ରାଜ୍ୟ ବା ଅଚଳାଚଳ ସମ୍ପତ୍ତି ଲାଭ କରେ। ଯେଉଁ ବ୍ୟକ୍ତି ସ୍ବପ୍ନରେ ମୂତ୍ର, ରେତ (ବୀର୍ଯ୍ୟ ବା ରଜ) ଓ ରକ୍ତ ଖାଏ ତଥା ତାହାକୁ ତେଲ ପରି ଦେହରେ ବୋଳିହୁଏ, ସେ ଧନବାନ୍ ହୁଏ। ପଦ୍ମପତ୍ର ଉପରେ ବସି ଯିଏ ଖିରି (ପାୟସ) ଖାଏ ସେ ବିଶାଳ ରାଜ୍ୟ ବା ଧନସମ୍ପତ୍ତି ପ୍ରାପ୍ତ କରେ। ସେହିପରି ସ୍ବପ୍ନରେ ଯେଉଁ ବ୍ୟକ୍ତି ଫଳ ଓ ଫୁଲ ଖାଏ ବା ଦେଖେ ତାଙ୍କ ଅଗଣାରେ ଲକ୍ଷ୍ମୀ ଲୋଟନ୍ତି। ଅର୍ଥାତ୍ ତାଙ୍କ ଅଗଣାରେ ଧାନ, ଚାଉଳ, ମୁଗ, ବିରି ଆଦି ଗଦା ହୁଏ। ସ୍ବପ୍ନରେ ଯେଉଁ ବ୍ୟକ୍ତି ଧନୁରେ ଶର ସନ୍ଧାନ କରେ ସେ ନିଜ ଶତ୍ରୁମାନଙ୍କୁ ମାରି ନିଷ୍କଣ୍ଟକ ରାଜ୍ୟ ଭୋଗ କରେ। ସ୍ବପ୍ନରେ ଯେଉଁ ବ୍ୟକ୍ତି ଅନ୍ୟର ଶତ୍ରୁତା କରେ, ଅନ୍ୟକୁ ବଧ କରେ ବା ବନ୍ଦୀ କରେ ସେ ଧନବାନ୍ ହୁଏ। ସ୍ବପ୍ନରେ ବିଜୟ ହେଲେ ବା ଶତ୍ରୁମାନଙ୍କର ପରାଜୟ ହେଲେ ବ୍ୟକ୍ତି ଚକ୍ରବର୍ତ୍ତୀ ରାଜା (ଉଚ୍ଚ କ୍ଷମତାଧର) ହୁଏ।

ସ୍ବପ୍ନ ରହସ୍ୟ ସ୍ତମ୍ଭରେ ପୂର୍ବ ଅଧ୍ୟାୟରେ କେତେକ ରାଜଯୋଗ ଓ ଧନଯୋଗପ୍ରଦ ଶୁଭସ୍ବପ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଏଥର କେବଳ ଶୁଭସ୍ବପ୍ନର ଫଳ ନୁହେଁ, ଶୁଭ ଓ ଅଶୁଭ ସ୍ବପ୍ନର ଫଳ ମିଶେଇ ଉପସ୍ଥାପନ କରାଯାଇଛି।

ରୁପା ବା ସୁନା ପାତ୍ରରେ ଯେଉଁ ବ୍ୟକ୍ତି ପାୟସ (ଖିରି) ପାନ କରେ ସେ ରାଜତ୍ବ (ଉଚ୍ଚପଦ) ଲାଭ କରେ। ସ୍ବପ୍ନରେ ବୃକ୍ଷ ବା ପର୍ବତ ଉପରେ ଚଢ଼ିଲେ ମଧ୍ୟ ସମାନ ଫଳ ମିଳେ। ପର୍ବତ-ଜଙ୍ଗଲ ଯୁକ୍ତ ପୃଥିବୀକୁ ଯେଉଁ ବ୍ୟକ୍ତି ନିଜ ବାହୁ ଦ୍ବାରା ନଈରେ ପହଁରିବା ପରି ପହଁରି ପହଁରି ପାରି ହୁଏ ସେ ଶୀଘ୍ର ହିଁ ରାଜତ୍ବ (ଉଚ୍ଚ କ୍ଷମତା) ପ୍ରାପ୍ତ ହୁଏ। ଯେଉଁ ବ୍ୟକ୍ତି ପର୍ବତ ଶିଖର ଉପରେ ଚଢ଼ି ବିନା ପରିଶ୍ରମରେ ଓହ୍ଲେଇ ଆସେ ସେ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରି ସକୁଶଳ ଘରକୁ ଫେରେ। ସ୍ବପ୍ନରେ ଯେଉଁ ବ୍ୟକ୍ତି ବିଷ ପିଇ ମରିଯାଏ, ସେ ଉତ୍ତମ ପୁରୁଷ ଅନେକ ପ୍ରକାର ଭୌତିକ ସୁଖ ଦ୍ବାରା ଯୁକ୍ତ ତଥା କଷ୍ଟ ଓ ରୋଗରୁ ମୁକ୍ତ ହୁଏ। ସ୍ବପ୍ନରେ ଅସ୍ତ୍ରଶସ୍ତ୍ର, ଗହଣା, ମଣି ବା ବିଭିନ୍ନ ପ୍ରକାର ରତ୍ନ, ପ୍ରବାଳ, ସୁନା ତଥା ତମ୍ବା ଚୋରି ହେବା ହାନି ବା ଅଶୁଭ ଫଳଦାୟକ ହୋଇଥାଏ। ହସୁଥିବା, ନାଚୁଥିବା, ମୋଟାସୋଟା, ଡେଙ୍ଗା ଓ ବାଳରହିତ ମନୁଷ୍ୟକୁ ଯେଉଁ ବ୍ୟକ୍ତି ସ୍ବପ୍ନରେ ଦେଖେ ସେ ଦୁଇମାସ ପର୍ଯ୍ୟନ୍ତ ଜୀବିତ ରହେ। କାନ, ନାକ, ବାହୁ କଟିଯିବା, ବିଷ୍ଠା ବା ଗୋବର କୁଣ୍ଡରେ ବୁଡ଼ିଯିବା, ଦାନ୍ତ ଓ କେଶ ଝଡ଼ିବା, ଅତ୍ୟଧିକ ମାଂସ ଖାଇବା, ଘର ବା ରାଜମହଲ ଫାଟିଯିବା ଆଦି ସ୍ବପ୍ନରେ ଦେଖିଲେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ କିମ୍ବା ତା’ର ମୃତ୍ୟୁ ହୋଇଯାଏ। ଘୋଡ଼ା, ହାତୀ, ବସ୍ତ୍ର ତଥା ଗୃହ ଆଦି ଲୁଟ୍ପାଟ୍ ବା ଚୋରି ଯେଉଁ ବ୍ୟକ୍ତି ଦେଖେ ତା’ର ରାଜଭୟ (ଇଡି ବା ସିବିଆଇ ତଦନ୍ତ ବା ଜେଲ୍ଯିବା ଭୟ) ଉତ୍ପନ୍ନ ହୋଇଥାଏ ବୋଲି ଶ୍ରୀଧରକୃତ ‘ସ୍ବପ୍ନ କମଳାକର’ରେ ବର୍ଣ୍ଣିତ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button