Uncategorized

ଜଣାଅଜଣା ଓଡ଼ିଶା: ନଈ ପାଣି କହେ ପ୍ରେମ କାହାଣୀ

ଦୀନାଳ ଘେରା ଆମ ରାଇଜ ଓଡ଼ିଶା। ଆମ ଜୀବନଜୀବିକା, ସୁଖଦୁଃଖ, ହସଲୁହ, ପ୍ରେମପରିଣୟ ସବୁକିଛି ଯୋଡ଼ା ନଦୀ ସହିତ। ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, କୋରାପୁଟ ଜିଲ୍ଲାର ନାରାୟଣପାଟଣା ନିକଟରେ ଏମିତି ଏକ ନଦୀ ବହିଯାଇଛି, ଯାହା ଜଣେ ରାଣୀଙ୍କ ନାମରେ ନାମିତ। ତାହା ସହ ଯୋଡ଼ି ହୋଇ ରହିଛି ଜଣେ ସ୍ଥାନୀୟ ଆଦିବାସୀ ଲଳନା ଏବଂ ଜୟପୁର ରାଜବଂଶର ରାଜା ଦ୍ବିତୀୟ ବିଶ୍ବମ୍ଭର ଦେବଙ୍କର ପ୍ରେମ ଓ ପରିଣୟର କାହାଣୀ।

ନଦୀର ନାମ ଚମ୍ପାବତୀ। କାହାଣୀଟି ଯେତିକି କୌତୂହଳପୂର୍ଣ୍ଣ, ସେତିକି ରୋମାଞ୍ଚକର। ଆଜିକୁ ତିନିଶହରୁ ଅଧିକ ବର୍ଷ ତଳର କଥା। ସେତେବେଳେ ଦକ୍ଷିଣ ଓଡ଼ିଶାର ଜୟପୁର ଜମିଦାରୀରେ ଯେଉଁ ରାଜବଂଶ ରାଜତ୍ବ କରୁଥିଲେ ସେମାନଙ୍କର ରାଜଧାନୀ ଥିଲା ନନ୍ଦପୁର। ୧୭୧୨ରେ ମହାରାଜା ବଳରାମ ଦେବ (ତୃତୀୟ)ଙ୍କ ମୃତ୍ୟୁପରେ ଦ୍ବିତୀୟ ବିଶ୍ବମ୍ଭର ଦେବ ନନ୍ଦପୁର ସିଂହାସନ ଆରୋହଣ କରିଥିଲେ। ସେତେବେଳକୁ ଦିଲ୍ଲୀରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ମୃତ୍ୟୁ ହୋଇସାରିଥାଏ ଏବଂ ଦାକ୍ଷିଣାତ୍ୟର ସୁବେଦାର ନିଜକୁ ସ୍ବାଧୀନ ଘୋଷଣା କରିଥାନ୍ତି। ଏହି ଅଞ୍ଚଳକୁ ନିଜ ଅଧୀନକୁ ନେବା ପାଇଁ ଫରାସୀ ଓ ଇଂରେଜଙ୍କ ମଧ୍ୟରେ କନ୍ଦଳ ମଧ୍ୟ ଆରମ୍ଭ ହୋଇଯାଇଥାଏ। ଏଭଳି ସନ୍ଧିକ୍ଷଣରେ ମାତ୍ର ୨୨ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିବା ବିଶ୍ବମ୍ଭର ଦେବ ଥିଲେ ପ୍ରଶାସନ କାର୍ଯ୍ୟରେ ଅନଭିଜ୍ଞ। ତାଙ୍କ ପ୍ରଥମ ପତ୍ନୀ ଝଞ୍ଜାବତୀଙ୍କ ମୃତ୍ୟୁ ପରେ ସେ ଖୁବ୍ ଭାଙ୍ଗି ପଡ଼ିଥିଲେ।

କିଂବଦନ୍ତି କହେ, ଦିନେ ନାରାୟଣପାଟଣା ଜଙ୍ଗଲରେ ବୁଲୁ ବୁଲୁ ସେ ଦଳେ ଆଦିବାସୀ ଯୁବତୀଙ୍କୁ ଦେଖିଲେ। ସେମାନଙ୍କ ଭିତରେ ଥିଲେ ଜଣେ ଅପୂର୍ବ ସୁନ୍ଦରୀ। ତାଙ୍କ ରୂପରେ ବିମୋହିତ ହୋଇ ସେ ତାଙ୍କୁ ବିବାହ କରିବାକୁ ମନସ୍ଥ କଲେ। ପ୍ରକୃତରେ ସେହି ଯୁବତୀ ଥିଲେ ନାରାୟଣପାଟଣା ଠାରୁ ୧୦ ମାଇଲ୍ ଦୂରରେ ଥିବା ପାର୍ବତ୍ୟ ଅଞ୍ଚଳ କୁମ୍ଭାରୀପୁଟ ମୁଠାର କନ୍ଧ ସର୍ଦ୍ଦାରଙ୍କର ଝିଅ। ତାଙ୍କର ନାମ ଚମ୍ପାବତୀ। ସେତେବେଳେ କ୍ଷତ୍ରୀୟ ରାଜାମାନେ କନ୍ଧ ରମଣୀଙ୍କୁ ରାଣୀ କରିବାର ପ୍ରଥା ନ ଥିଲା। ମାତ୍ର ମହାରାଜା ବିଶ୍ବମ୍ଭର ଏ ସବୁକୁ ଖାତିର ନ କରି ଚମ୍ପାବତୀଙ୍କୁ ବିବାହ କଲେ। ଏଥିରେ ତାଙ୍କୁ ସହଯୋଗ କଲେ ତାଙ୍କର ବିଶ୍ବାସୀ ମନ୍ତ୍ରୀ ମହୀଧର ମିଶ୍ର। ରାଜପ୍ରାସାଦର ରକ୍ଷଣଶୀଳ ଲୋକମାନେ ବିଶ୍ବମ୍ଭରଙ୍କ ଏହି ବିବାହକୁ ବିରୋଧ କରୁଥିବାରୁ ରାଜା ତାଙ୍କ ନୂଆ ରାଣୀଙ୍କ ପାଇଁ ନାରାୟଣପାଟଣା ଠାରେ ‘ଚମ୍ପାନଗର’ ନାମରେ ଏକ ନୂଆ ରାଜମହଲ ଗଢ଼ାଇ ସେଠାରେ ରାଣୀଙ୍କୁ ରଖିଲେ।

ଅନେକ ଜାଣନ୍ତି ନାହିଁ ଯେ ନାରାୟଣପାଟଣା ନିକଟରେ ବହିଯାଇଥିବା ଦୁଇ ପାହାଡ଼ୀ ନଈ ଝଞ୍ଜାବତୀ ଓ ଚମ୍ପାବତୀ ବିଶ୍ବମ୍ଭର ଦେବଙ୍କର ଦୁଇ ରାଣୀଙ୍କ ନାମରେ ନାମିତ। ଝଞ୍ଜାବତୀ ନଦୀ କୋରାପୁଟ ଜିଲ୍ଲାର ବିଜାଘାଟି ମାଳ ଅଞ୍ଚଳରୁ ବାହାରିଥିବା ବେଳେ ଚମ୍ପାବତୀ ଗୁମାଣ୍ଡି ଅଞ୍ଚଳରୁ ବାହାରି ନାରାୟଣପାଟଣା ସହର ଉପକଣ୍ଠରେ ଝଞ୍ଜାବତୀ ସହ ମିଶିଛି। ସେଇ ସଙ୍ଗମସ୍ଥଳୀରେ ଅଛି ଝାଡ଼େଶ୍ବର ମହାଦେବଙ୍କର ରମଣୀୟ ମନ୍ଦିର। ଝଞ୍ଜାବତୀ ଆଗକୁ ବହିଯାଇ ନାଗାବଳୀ ନଦୀ ସହ ମିଳିତ ହୋଇଛି। ଚମ୍ପାନଗର ରାଜମହଲଟି ତିଆରି ହୋଇଥିଲା ଝଞ୍ଜାବତୀ ନଦୀ କୂଳରେ, ଦୁଇ ନଦୀର ସଙ୍ଗମସ୍ଥଳଠାରୁ ଟିକିଏ ଆଗରେ। ମହଲରୁ ପଥର ପାହାଚ ଗଡ଼ି ଆସିଥିଲା ନଈ ଭିତରକୁ। ସେଠାରେ ରାଣୀମାନେ ସ୍ନାନ କରୁଥିଲେ। ସେଥିପାଇଁ ପାଖରେ ବନ୍ଧଟିଏ ବାନ୍ଧି କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇଥିଲା। ଏହି ସ୍ଥାନଟି ଗାରିଆଘାଟ ନାମରେ ପରିଚିତ।

ନନ୍ଦପୁର ରାଜବଂଶ ଉପରେ ବୈଷ୍ଣବମାନଙ୍କର ଖୁବ୍ ପ୍ରଭାବ ଥିଲା। ପ୍ରତିବର୍ଷ ନଦିଆ ନବଦ୍ବୀପରୁ ବୈଷ୍ଣବ ସାଧୁମାନେ ନନ୍ଦପୁର ଆସୁଥିଲେ। ରାଜା ବିଶ୍ବମ୍ଭର ଓ ଚମ୍ପାବତୀଙ୍କ ବିବାହ ପରେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ। ଦୀକ୍ଷା ନେବା ପରେ ବିଶ୍ବମ୍ଭର ଦେବ ଭଜନ କୀର୍ତ୍ତନରେ ବ୍ୟସ୍ତ ରହି ରାଜକାର୍ଯ୍ୟରେ ପ୍ରାୟ ଧ୍ୟାନ ଦେଉ ନ ଥିଲେ। ମାତ୍ର ଚମ୍ପାବତୀ ଥିଲେ ଅତ୍ୟନ୍ତ ବୁଦ୍ଧିମତୀ। ମହାରାଜାଙ୍କର ତିନି ବିଶ୍ବସ୍ତ କର୍ମଚାରୀ ମହୀଧର ମିଶ୍ର, ଚିନ୍ତାମଣି ଗୌଡ଼ ଓ ଅଲାର ଖାଁଙ୍କ ସହାୟତାରେ ରାଜ୍ୟର ଉନ୍ନତି ପାଇଁ ସେ ଅନେକଗୁଡ଼ିଏ ଯୋଜନା କରିଥିଲେ। ପଡ଼ୋଶୀ ରାଜ୍ୟଗୁଡ଼ିକ ତରଫରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପାଇକମାନଙ୍କ ମନୋବଳକୁ ଟାଣ କରିବା ସହିତ ସେମାନଙ୍କୁ ସ୍ବତନ୍ତ୍ର ତୋପ ଓ ବନ୍ଧୁକ ଚାଳନା ଶିକ୍ଷାଦେଇ ରାଜ୍ୟରେ ଏକ ଦକ୍ଷ ସେନାବାହିନୀ ଗଠନ କରାଇଥିଲେ। ସେହି ସମୟର ଏକ ତୋପ ପୁରୁଣା ତହସିଲ ଅଫିସ ପରିସରରେ ଥିଲା। ତାହା ଏବେ ସହରର ପ୍ରବେଶପଥ ନିକଟରେ ପ୍ରଦର୍ଶିତ ହେଉଛି।

ରାଜା ବିଶ୍ବମ୍ଭର ଦେବଙ୍କର ମୃତ୍ୟୁ ହେଲା ୧୭୫୨ରେ। କୁହାଯାଏ ଯେ ତାଙ୍କର ମୃତ୍ୟୁ ପରେ ମହଲରେ ଥିବା ରାଣୀମାନେ ଝଞ୍ଜାବତୀ ନଦୀର ଏକ ଗଭୀର ଗଣ୍ଡରେ ଝାସଦେଇ ସତୀ ହୋଇଥିଲେ। ସେହି ସ୍ଥାନଟିକୁ ଏବେ ‘ସତୀଖାଲ’ ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଆଦିବାସୀମାନେ ରାଜାଙ୍କ ମୃତ୍ୟୁକଥା ସ୍ବୀକାର କରନ୍ତି ନାହିଁ। ସେମାନେ ଏବେ ବି ନାରାୟଣପାଟଣା ସହରକୁ ‘ନାଗେରୀ’ ନାମରେ ଜାଣନ୍ତି। ସେମାନଙ୍କର ବିଶ୍ବାସ ଯେ ରାଜା ସନ୍ନ୍ୟାସ ଗ୍ରହଣ କରି ନିକଟରେ ଥିବା ଆତମା ପାହାଡ଼କୁ ଚାଲିଯାଇଛନ୍ତି ଏବଂ ସେଠାରେ ସେ ଆଜି ବି ଅଛନ୍ତି।

ଚମ୍ପାନଗର ରାଜମହଲ ଏବେ ମାଟିରେ ମିଶିଯାଇଛି। ଗାରିଆ ଘାଟ ନିକଟରେ ଥିବା ବନ୍ଧଟି ପ୍ରାୟ ନିଶ୍ଚିହ୍ନ। ଏବେ ସେଠାରୁ ଦେଖିଲେ ପୁରୁଣା ରାଜନଅର ଥିବା ସ୍ଥାନଟି ଏକ ଉଚ୍ଚ କୁଦ ପରି ଦୃଷ୍ଟିଗୋଚର ହୁଏ। ଝଞ୍ଜାବତୀ ନଦୀଶଯ୍ୟାରେ ରହିଛି ଅନେକ ବଡ଼ ବଡ଼ ପଥର। ଆଜି ବି ପର୍ଯ୍ୟଟକମାନେ ସେହି ପଥର ଉପରେ ବସି ସତୀଖାଲର ନୀଳ ଜଳଭଉଁରି ଭିତରେ ବିଶ୍ବମ୍ଭର ଓ ତାଙ୍କ ପ୍ରିୟ ରାଣୀମାନଙ୍କର ଅମର ପ୍ରେମକାହାଣୀକୁ ମନେ ପକାନ୍ତି। ସନ୍ଧ୍ୟା ନଇଁଲା ବେଳକୁ ଆତମା ପାହାଡ଼ ଦିଗରୁ ଭାସି ଆସେ ଆଦିବାସୀମାନଙ୍କର ପାରମ୍ପରିକ ବାଦ୍ୟର ସ୍ବର। ଲାଗେ ଯେମିତି ୩୦୦ ବର୍ଷ ତଳର ଇତିହାସ ପୁଣି ଜୀବନ୍ୟାସ ପାଉଛି। ସ୍ଥାନୀୟ ଆଦିବାସୀମାନଙ୍କ ଦୃଷ୍ଟିରେ ନାଗେରୀଗଡ଼ର ରାଜା ଅମର। ଏବେ ବି ଆତମା ପାହାଡ଼ ଗୁମ୍ଫାରେ ସେ ଧ୍ୟାନରତ ବୋଲି ସେମାନଙ୍କର ବିଶ୍ବାସ। ମଣିଷର ସିନା ମୃତ୍ୟୁ ଅଛି, କିନ୍ତୁ ବିଶ୍ବାସର ମୃତ୍ୟୁ କାହିଁ?

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button