କାମାକ୍ଷାନଗରରେ ବଢୁଛି ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦା, ଚର୍ଚ୍ଚାରେ ଯୁବ କାରିଗର ରୂପରଞ୍ଜନ
ପାଖେଇ ଆସୁଛି ପାର୍ବଣ ଋତୁ । ସେଥିପାଇଁ ଦିନ ରାତି ଏକ କରି ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । ବର୍ତ୍ତମାନର ଆଧୁନିକ ଯୁଗରେ ଉନ୍ନତ ଜ୍ଞାନକୌଶଳରେ ନିର୍ମାଣ ହେଉଛି ରଙ୍ଗ ବେରଙ୍ଗର ଭଳିକି ଭଳି ସୁନ୍ଦର ମୂର୍ତ୍ତି । ସମୟ ସ୍ରୋତରେ ବର୍ତ୍ତମାନ ମାଟି ମୂର୍ତ୍ତିର ଚାହିଦା କମି ଆସୁଥିବା ବେଳେ ତାହାର ସ୍ଥାନ ନେଇଛି ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି ।
ଅଳ୍ପ ସମୟ ଓ ଆଖିକୁ ଚକଚକ ଦିଶୁଥିବା ଏହି ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତିର ଏବେ ବଜାର ଚାହିଦା ରହିଛି । ଆଉ ସେହି ମୂର୍ତ୍ତିକୁ ତିଆରି କରିବାକୁ ଆଗେଇ ଆସୁଛନ୍ତି ଯୁବ କାରିଗର । ନିଜେ ସ୍ୱାବଲମ୍ବୀ ହୋଇପାରିବା ସହ ଅନ୍ୟମାନଙ୍କୁ ଯୋଗାଉଛନ୍ତି ରୋଜଗାର । ସମୟକୁ ତାଳ ଦେଇ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦାକୁ ଦୃଷ୍ଟିରେ ରଖି କାମାକ୍ଷାନଗରରେ ତିଆରି ହେଉଛି ପ୍ଲାଷ୍ଟର ପ୍ୟାରିସ ନିର୍ମିତ ବମ୍ବେ ଷ୍ଟାଇଲ ଗଣେଷ ମୂର୍ତ୍ତି ।
ପରିବର୍ତ୍ତିତ ଆଧୁନିକ ଯୁଗରେ ପାରମ୍ପରିକ ମାଟି ମୂର୍ତ୍ତିର ସ୍ଥାନ ନେଇ ସାରିଛି ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି । ଅଳ୍ପ କଞ୍ଚାମାଲ ଓ ସ୍ୱଳ୍ପ ସମୟରେ ପ୍ଲାଷ୍ଟର ପ୍ୟାରିସରେ ନିର୍ମିତ ହେଉଛି ବିଶାଳ ମୂର୍ତ୍ତି । ଆଉ ଏହି ପ୍ଲାଷ୍ଟର ପ୍ୟାରିସକୁ ନେଇ ବମ୍ବେ ଷ୍ଟାଇଲ ଗଣେଷ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ରୂପ ରଞ୍ଜନ ରାଉଳ । ଭୁବନେଶ୍ୱରସ୍ଥିତ ବିକେ କଲେଜରେ ଭିଜୁଆଲ ଆର୍ଟରେ ଡିଗ୍ରୀ ଓ ଉତ୍କଳ ୟୁନିଭର୍ସଟିରୁ କଳାରେ ପିଜି କରି ବିଭିନ୍ନ ପ୍ରକାରର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି କରି ସାଉଣ୍ଟୁଛନ୍ତି ଅଜସ୍ର ପ୍ରଶଂସା । ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟ ଭୁବନେଶ୍ୱରରୁ ଚାକିରି ଛାଡି ପ୍ରାୟ ତିନିମାସ ହେବ ନିଜ ଗାଁରେ କରିଛନ୍ତି ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ନିର୍ମାଣ କେନ୍ଦ୍ର। ଆଉ ସେଥିରେ ନିର୍ମାଣ କରୁଛନ୍ତି ବମ୍ବେ ଷ୍ଟାଇଲ ଗଣେଷ ମୂର୍ତ୍ତି । ଯାହାକୁ ନେଇ ପୂଜା ବଜାରରେ ସାଧାରଣ ଲୋକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରୂପ ରଞ୍ଜନ । କଳାରେ ଉଚ୍ଚଶିକ୍ଷା ହାସଲ କରି ନିଜ ମୂର୍ତ୍ତି କେନ୍ଦ୍ରରେ ଗଢୁଛନ୍ତି ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି । ୮ ଇଞ୍ଚରୁ ଆରମ୍ଭ କରି ୧୨ ଫୁଟ ରୁ ୧୫ ଫୁଟ ପର୍ଯ୍ୟନ୍ତ ଗଢ଼ା ହେଉଛି ବିଶାଳ ମୂର୍ତ୍ତି । ଆଉ ସେହି ମୂର୍ତ୍ତିମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବମ୍ବେ ଷ୍ଟାଇଲ ଗଣେଶଙ୍କ ବିଶାଳ ମୂର୍ତ୍ତି । ପ୍ରଥମକରି କାମାକ୍ଷାନଗର ଅଞ୍ଚଳରେ ବମ୍ବେ ଷ୍ଟାଇଲ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବ କାରିଗର ରୂପରଞ୍ଜନ ।
ସରକାରୀ ଚାକିରୀ ଛାଡି କଳାପ୍ରତି ଥିବା ନିଶା ଏବେ ଆଣିଦେଇଛି ରୂପରଞ୍ଜନ ଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ । ନିଜ ମୂର୍ତ୍ତି ତିଆରି କେନ୍ଦ୍ରରେ ନିଜେ ସ୍ୱାବଲମ୍ବୀ ହୋଇପାରିବା ସହ ପ୍ରାୟ ୧୦ ଜଣ ଙ୍କୁ ଯୋଗାଇ ପାରିଛନ୍ତି ରୋଜଗାର । ଆଗକୁ ଆସୁଥିବା ଗଣେଷପୂଜା ପାଇଁ ତିଆରି କରିଛନ୍ତି ୫୦୦ ରୁ ଉର୍ଦ୍ଧ ଗଣେଷ ମୂର୍ତ୍ତି । ଭୁବନେଶ୍ୱର, ନୟାଗଡ଼, କଟକ, ଅନଗୁଳ, ଯାଜପୁର, ସମେତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ରୂପଙ୍କ ପାଖକୁ ଆସୁଛି ମୂର୍ତ୍ତି ତିଆରି ପାଇଁ ଅର୍ଡର । ଏବେ ସୁଦ୍ଧା ପ୍ରାୟ ମୂର୍ତ୍ତିକାମ ଶେଷ ହୋଇଥିବା ବେଳେ କାରିଗରଙ୍କ ରଙ୍ଗତୁଳୀରେ ଜୀବନ୍ତ ହୋଇଉଠୁଛି ବିଭିନ୍ନ ପ୍ରକାର ର ମୂର୍ତ୍ତି। କାମାକ୍ଷାନଗର ଭଳି ଏକ ଛୋଟ ସହରରେ ବମ୍ବେ ଷ୍ଟାଇଲ ମୂର୍ତ୍ତି ତିଆରି କରିବା ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ବଜାର ଦର ଓ ଲୋକମାନଙ୍କ ଆବଶ୍ୟକତା ଓ ଭଲପାଇବାକୁ ଦୃଷ୍ଟିରେ ରଖି ମୂର୍ତ୍ତି କାମରେ ଆଗେଇ ଚାଲିଛନ୍ତି ରୂପ ଓ ତାଙ୍କ ସହକର୍ମୀ । ବର୍ତ୍ତମାନ ସମୟରେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦା ବୃଦ୍ଧି ପାଉଥିବା ବେଳେ ବଜାରକୁ ଦୃଷ୍ଟିରେ ରଖି ଅଳ୍ପ ଲାଭରେ ମୂର୍ତ୍ତି ଗଢୁଛନ୍ତି ରୂପରଞ୍ଜନ । ଆଗକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଓ ଅନ୍ୟାନ୍ୟ ପୂଜା ପାଖେଇ ଆସୁଥିବାବେଳେ ଏବେ ଠାରୁ ବିଭିନ୍ନ ମୂର୍ତ୍ତି ପାଇଁ ଅର୍ଡର ରଖି କାମ ଜାରି ରଖିଛନ୍ତି ରୂପରଞ୍ଜନ ।
ସମୟ ସହ ତାଳଦେଇ ନିଜର କଳାପ୍ରତି ଥିବା ଆଗ୍ରହକୁ ନେଇ ବମ୍ବେ ଷ୍ଟାଇଲ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ରୂପରଞ୍ଜନ । ଆଗାମୀ ସମୟରେ ବଜାର ଦରକୁ ଦୃଷ୍ଟିରେ ରଖି ଅଳ୍ପ ପଇସାରେ ଭଲ ମୂର୍ତ୍ତି ଯୋଗାଇବା ପାଇଁ ଲକ୍ଷ ରଖିଛନ୍ତି ରୂପରଞ୍ଜନ । କାମାକ୍ଷାନଗର ଅଞ୍ଚଳରେ ପ୍ରଥମକରି ଏଭଳି ଏକ ନୂଆ କୌଶଳର ମୂର୍ତ୍ତି ନିର୍ମାଣ କରି ଏବେ ରୂପରଞ୍ଜନ ଚର୍ଚ୍ଚାରେ ଅଛନ୍ତି ।