ଜୈବିକ ପଦ୍ଧତିରେ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ନିଜ ଅଞ୍ଚଳର ମହିଳାଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ବାଲେଶ୍ୱରର ଶିବାନୀ

ବାଲେଶ୍ୱର(ପ୍ରତ୍ୟାଶା ମହାନ୍ତି): ମହିଳା ବି କିଛି କମ୍ ନୁହେଁ। ଏପରି ଉକ୍ତିକୁ ସଠିକ ସାବ୍ୟସ୍ତ କରାଇ ନିଜେ ପଢ଼ିଥିବା ପାଠକୁ ନିଜ ବ୍ୟବସାୟରେ ଉପଯୋଗ କରି ଭିନ୍ନ ଏକ ପ୍ରୟାସ କରିଛନ୍ତି ଶିବାନୀ ସମାଦ୍ଦାର ଦତ୍ତ। ଭିଡ଼ ଭିତରୁ ଟିକେ ବାହାରକୁ ଯାଇ ସେ ହାତ ତିଆରି ଜୈବିକ ସାମଗ୍ରୀ ପ୍ରସ୍ତୁତ କରି ବାହାରକୁ ପଠାଇବା ସହ କିଛି ମହିଳାଙ୍କୁ ରୋଜଗାରକ୍ଷମ ମଧ୍ୟ କରିଛନ୍ତି।
ଶିବାନୀ ପରିବାର ସମ୍ଭାଳିବା ସହିତ ବାଲେଶ୍ୱର ସହର ତେଲେଙ୍ଗାସାହି ନିକଟରେ ଥିବା ସ୍ୱାହା ଏଣ୍ଟରପ୍ରାଇଜେସ୍କୁ ମଧ୍ୟ ପରିଚାଳନା କରୁଛନ୍ତି। ଯେଉଁଠି ତାଙ୍କ ଉଦ୍ୟୋଗରେ ଜୈବିକ ପଦ୍ଧତିରେ ହାତ ତିଆରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହେଉଛି। ବାଲେଶ୍ୱର ବାହାରକୁ ମଧ୍ୟ ତାଙ୍କ ସାମଗ୍ରୀ ବିକ୍ରି ପାଇଁ ଯାଉଛି। ଲକ୍ଷାଧିକ ଟଙ୍କା ନିବେଶ କରି ଆରମ୍ଭ କରିଥିଲେ ଏହି ବ୍ୟବସାୟ। ଅଧିକ ମାତ୍ରାରେ ଲାଭ ହୋଇ ନ ଥିଲେ ବି ମାର୍କେଟିଂର ସୁଯୋଗ ରହିଛି। ସହର ସ୍ଥିତ ସୁନହଟରେ ରହୁଥିବା ରବୀନ୍ଦ୍ର ନାଥ ସମାଦ୍ଦାର ଓ ଲବଙ୍ଗ ମଞ୍ଜରୀ ସମାଦ୍ଦାରଙ୍କ ଝିଅ ଶିବାନୀ। ଭାସ୍କରଗଞ୍ଜ(ଏ)ରେ ଶିବାନୀଙ୍କ ଶାଶୁ ଘର। ଶିବାନୀଙ୍କ ସ୍ୱାମୀ ପିଏକ୍ସଇରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ତେବେ ବାହାଘର ପରେ ଶାଶୁଘରେ ରହି ସେ ଆରମ୍ଭ କରିଛନ୍ତି ନିଜର ଏକ ଉତ୍ପାଦନ କେନ୍ଦ୍ର ନିଜସ୍ୱ ଉଦ୍ୟମରେ। ଶିବାନୀ ଏମ୍ ଫାର୍ମ ପାଠ୍ୟକ୍ରମ ପଢ଼ିଛନ୍ତି। ୨୦୧୧ ମସିହାରେ ତାଙ୍କର ବାହାଘର ହୋଇଯାଇଥିଲା। ବାହାଘର ପରେ ସ୍ୱାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ ଶିବାନୀ। ତେବେ ତାଙ୍କର ପିଲା ହେବା ପରେ ସେ ୨୦୧୭ରେ ଶିବାନୀ ବାଲେଶ୍ୱର ପଳାଇ ଆସିଥିଲେ। ତାଙ୍କର ଫାର୍ମା ଲାଇସେନ୍ସ ଥିବାରୁ ବାଲେଶ୍ୱର ଆସି ସେ ଏକ ମେଡିସିନ ଷ୍ଟୋର୍ ଖୋଲିଲେ।
କିନ୍ତୁ ଶିବାନୀ ସବୁବେଳେ ନିଜର ଏକ ଛୋଟ ଉତ୍ପାଦନ କେନ୍ଦ୍ର କରିବାକୁ ଇଚ୍ଛା ରଖିଥିଲେ। ସେଥିପାଇଁ ଆରମ୍ଭ କରିଥିଲେ ହ୍ୟାଣ୍ଡ ମେଡ୍ ସାମଗ୍ରୀ ତିଆରି କାମ। ପ୍ରଥମେ ପରୀକ୍ଷାମୂଳକ ଭାବେ ହ୍ୟାଣ୍ଡ ମେଡ୍ ହର୍ବାଲ ସପ୍ ତିଆରି କରିଥିଲେ। ବିଶେଷକରି ଆଲୋବେରା, ନିମ୍ୱ, ହଳଦୀ, ଚନ୍ଦନ, ଲାଭେଣ୍ଡର, ମହୁ ଆଦି ବ୍ୟବହାର କରି ପ୍ରଥମେ ସାବୁନ ତିଆରି କରିବା ଆରମ୍ଭ କରିଥିଲେ। ବିନା କେମିକାଲରେ ତିଆରି ହୋଇଥିବା ସାବୁନକୁ ସମସ୍ତେ ପସନ୍ଦ କରିବା ପରେ ବଜାରକୁ ଏହା ବିକ୍ରି ପାଇଁ ଦେଇଥିଲେ। ତେବେ ଏହି ବ୍ୟବସାୟକୁ ତାଙ୍କର ପ୍ରାୟ ୩ ବର୍ଷ ପୁରିଗଲାଣି। ବର୍ତ୍ତମାନ ସାବୁନ ସହ ସାମ୍ପୁ, ବଡ଼ି ୱାସ୍, ସାୱାର ଜେଲ୍, ତେଲ, ମଶ୍ଚରାଇଜର୍ ଆଦି ୧୦ରୁ ଅଧିକ ସାମଗ୍ରୀ ତିଆରି ହେଉଛି। ବିଭିନ୍ନ ଅର୍ଗାନିକ ବା ଜୈବିକ ପଦ୍ଧତି ବା ସାମଗ୍ରୀ ବ୍ୟବହାର କରି ହାତରେ ତିଆରି ହେଉଛି ସାମଗ୍ରୀ। ସାମଗ୍ରୀ ତିଆରି ପାଇଁ ୪ରୁ ଅଧିକ ମହିଳା କାମ କରୁଛନ୍ତି ପ୍ରତିଦିନ। ଇଣ୍ଡିଆ ମାର୍ଟ ମାଧ୍ୟମରେ ସାରା ଭାରତରୁ ନିଜର ହାତ ତିଆରି ସାମଗ୍ରୀ ପ୍ରଦାନ କରନ୍ତି। ଏଥିସହିତ ଭୁବନେଶ୍ୱର ସମେତ ପଶ୍ଚିମବଙ୍ଗ, ପୁନେକୁ ବହୁତ ସାମଗ୍ରୀ ଯାଉଛି। ଏବେ କିଛି ଦିନ ହେବ ମିଶନ ବଜାରରେ ମଧ୍ୟ ନିଜର ସାମଗ୍ରୀ ବିକ୍ରି ପାଇଁ ପ୍ରଦାନ କରିଛନ୍ତି। ୧୦୦ରୁ ଅଧିକ ମହିଳାଙ୍କୁ ଏଠାରେ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି। ଏହା ମାଧ୍ୟମରେ ଜଣେ ମହିଳା ୩/୪ ହଜାରରୁ ଅଧିକ ଦରମା ପାଇପାରୁଛନ୍ତି। ସେମାନଙ୍କୁ ଏ ବାବଦରେ ତାଲିମ ଦେଇଛନ୍ତି।




