ରାଜ୍ୟ

ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ କୋହଳ ହେଲା ୧୬୩ ଧାରା, ଖୋଲିବ ୬ଟି ସ୍କୁଲ ଓ ସବୁ ଅଙ୍ଗନବାଡ଼ି

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ କୋହଳ ହେଲା ୧୬୩ ଧାରା । ଖୋଲିବ ୬ଟି ସ୍କୁଲ ଓ ସବୁ ଅଙ୍ଗନବାଡ଼ି । ମୁକୁନ୍ଦପ୍ରସାଦ ହିଂସାକାଣ୍ଡର ୮ ଦିନ ପରେ କୋହଳ ହୋଇଛି ଧାରା ୧୬୩ । ସ୍ଥାନୀୟ ଜନ ପ୍ରତିନିଧି ଏବଂ ସଚେତନ ନାଗରିକଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳର ସ୍କୁଲ୍ ଏବଂ ଅଙ୍ଗନବାଡ଼ି ଉପରେ ଲାଗୁ ହୋଇଥିବା ବିଏନଏସଏସ ୧୬୩ ଧାରାକୁ ହଟାଇ ଦେଇଛି ।

ଆଜିଠାରୁ ମୁକୁନ୍ଦପ୍ରସାଦର ୱାର୍ଡ ନମ୍ବର ୨, ୨୧, ୨୨ ଏବଂ ୧ ଓ ୩ ନମ୍ବର ୱାର୍ଡର କିଛି ଅଂଶରେ ଥିବା ସବୁ ଅଙ୍ଗନବାଡ଼ିକୁ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି । ସ୍ଥାନୀୟ ଅଞ୍ଚଳର ଛଅ ଗୋଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲ୍ କୁ ବି ଖୋଲିବାକୁ ଅନୁମତି ଦିଆଯାଇଛି। ମୁକୁନ୍ଦପ୍ରସାଦରେ ଜିଲ୍ଲା ପ୍ରଶାସନ ଗତ ୨୫ ତାରିଖରେ ହତ୍ୟା ଘଟଣା ପରେ ହିଂସାକାଣ୍ଡ ହେବାରୁ ମୋଟ୍ ୮ଟି କଟକଣା ଲାଗୁ କରିଥିଲା । ତା’ ଭିତରେ ସ୍କୁଲ୍ ବନ୍ଦ ସହିତ କଲେଜକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ସ୍କୁଲ ଅଙ୍ଗନବାଡି ଖୋଲିଥିବାବେଳେ କଲେଜ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି କୌଣସି ପରିସ୍ଥିତିରେ ବିନା ଅନୁମତିରେ ୫ଜଣ ଲୋକ ଏକାଠି ହୋଇ ପାରିବେ ନାହିଁ, ଦୋକାନ ବଜାର ସବୁ ବନ୍ଦ କରାଯିବା ଭଳି ଅନ୍ୟ ୭ ଗୋଟି କଟକଣା ବି ଜିଲ୍ଲା ପ୍ରଶାସନ ଲାଗୁ କରିଥିଲା। ଦୋକାନ ବଜାର ଉପରେ କଟକଣା ଲାଗୁ ରହିବା ଘଟଣା ଲୋକଙ୍କର ଆର୍ଥିକ ସ୍ଥିତି ଖରାପ କରି ଦେଇଛି। ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାରେ ମୋଟ୍ ୧୪ଜଣଙ୍କୁ ଗିରଫ କରି ସାରିଲାଣି। ଭଙ୍ଗାରୁଜା ଘଟଣାରେ ୧୧ଜଣ ଗିରଫ ହୋଇଥିବା ବେଳେ ହତ୍ୟାକାଣ୍ଡରେ ତିନି ଜଣ ଜେଲ ଯାଇଛନ୍ତି। ଶାନ୍ତି କମିଟି ଗଠନ କରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଲାଣି।

Related Articles

Leave a Reply

Your email address will not be published. Required fields are marked *

Back to top button